ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଜଣେ ମା’, ଜଣେ ବିଧବା ମହିଳା ଏବଂ ଜଣେ ବୋହୂର କାହାଣୀ ବେଶ ଭାଇରାଲ ହେବାରେ ଲାଗିଛି । ଖାଲି ପାଦ, ବିନା ଟ୍ରାକ୍ ସୁଟ୍, ଡହ ଡହ ଖରା, ତଥାପି ସେ ଧାଇଁଛନ୍ତି ଗୋଟିଏ ଲକ୍ଷ୍ୟ ନେଇ । ଚାକିରିଟିଏ କରିବେ, ଦୁଇ ପିଲାଙ୍କ ଭବିଷ୍ୟତ ଗଢ଼ିବେ । କେବଳ ସେତିକି ନୁହେଁ, ପୁଅକୁ ହରାଇଥିବା ବୁଢ଼ା ଶାଶୂ ଶ୍ବଶୁରଙ୍କ ଦାୟିତ୍ବ ବହନ କରିବେ । ସ୍ବାମୀଙ୍କ ମୃତ୍ୟୁ ପରେ, ଇଟା ଭାଟିରେ କାମ କରି ସେ ଏହି ଦାୟିତ୍ବ ତୁଲାଇ ଆସୁଛନ୍ତି । କିନ୍ତୁ ଏତେ କମ ଟଙ୍କାରେ ପରିବାର ପୋଷିବା ଭାରି କଷ୍ଟ । ଏହି କଷ୍ଟରୁ ଟିକିଏ ମୁକ୍ତି ପାଇଁ ସେ ସରକାରୀ ଚାକିରିଟିଏ ପାଇଁ ପରିଶ୍ରମ କରି ଚର୍ଚ୍ଚାକୁ ଆସିଛନ୍ତି ।
ହୋମଗାର୍ଡ ଚାକିରି ପାଇଁ ସେ ୧୬୦୦ ମିଟର ଦୌଡ଼ ମାତ୍ର ୬ ମିନିଟ୍ରେ ଶେଷ କରିଛନ୍ତି । ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ସୋସୋ ଗ୍ରାମର କବିତା ମହାତୋ । ସୋସିଆଲ ମିଡିଆରେ ଏବେ କେବଳ ତାଙ୍କ ଚର୍ଚ୍ଚା । ଏକ ଟ୍ରେନିଂ ଆକାଡେମୀର ଟ୍ରାଏଲ୍ ରନ୍ରେ ସେ କୌଣସି ଟ୍ରାକ ସୁଟ୍ କିମ୍ବା ଜୋତା ନ ପିନ୍ଧି, ଶାଢ଼ୀ ପିନ୍ଧି ଖାଲି ପାଦରେ ୧୬୦୦ ମିଟର ଦୌଡ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ହୋମ୍ଗାର୍ଡ ଚାକିରି ପାଇଁ ନିର୍ଦ୍ଧାରିତ ୧୦ ମିନିଟ୍ ସମୟସୀମା ପୂର୍ବରୁ ସେ ଏହି ସଫଳତା ହାସଲ କରି ସମସ୍ତ ପ୍ରଶିକ୍ଷକ ଓ ପ୍ରତିଯୋଗୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି କବିତା ।
ତିନି ବର୍ଷ ପୂର୍ବରୁ ସ୍ୱାମୀ ଦୀପକ ମହାତୋଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ପରେ କବିତାଙ୍କ ଉପରେ ଦୁଇଟି ଛୋଟ ପିଲାଙ୍କ ସମେତ ଶାଶୂ ଶ୍ବଶୁରଙ୍କ ଦାୟିତ୍ୱ ପଡ଼ିଥିଲା । ପରିବାର ପ୍ରତିପୋଷଣ ପାଇଁ ସେ ଇଟା ଭାଟିରେ କାମ କରୁଛନ୍ତି। ପରିବାରକୁ ଏକ ସ୍ଥାୟୀ ଭବିଷ୍ୟତ ଦେବା ପାଇଁ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଦୌଡ଼ିବା ପାଇଁ ଜୋତା କିମ୍ବା ଖେଳ ପୋଷାକ କିଣିବାକୁ ଟଙ୍କା ନଥିଲା । ହେଲେ ଆଖିରେ ଥିଲା ଆଖିଏ ସ୍ବପ୍ନ, ଦୁଇ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଝୁଙ୍କ । ତେଣୁ ସବୁ ବାଧାବିଘ୍ନକୁ ପଛ କରି ସେ ପ୍ରତିଦିନ ସକାଳ ୪ଟାରୁ ଉଠି ସାଧାରଣ ପୋଷାକରେ ଗାଁ ରାସ୍ତାରେ ଦୌଡ଼ିବା ଅଭ୍ୟାସ କରୁଥିଲେ ।
ଅକ୍ଟୋବର ୨୪ ରୁ ନଭେମ୍ବର ୫ ମଧ୍ୟରେ ହେବାକୁ ଥିବା ରାମଗଡ଼ ଜିଲ୍ଲାର ୨୮୪ଟି ହୋମ୍ଗାର୍ଡ ପଦବୀ ପାଇଁ ସେ ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିରେ ବିଧବା ଓ ବିବାହ ବିଚ୍ଛେଦ ଘଟିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ସୁବିଧା ରହିଛି। ତେବେ ଏହି ଦୌଡ଼ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ନେଟିଜେନ୍ କବିତାଙ୍କ ନିଷ୍ଠା ଓ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘୬ ମିନିଟ୍ରେ ୧୬୦୦ ମିଟର ଦୌଡ଼ିବା କୌଣସି ସୈନିକଙ୍କଠାରୁ କମ୍ ନୁହେଁ । ସେ ପ୍ରକୃତରେ ଜଣେ ‘ସୁପର ୱୁମ୍ୟାନ୍’ । ଅନ୍ୟ ଜଣେ ଲେଖିଛନ୍ତି ଯେ, ଏପରି କଠିନ ପରିଶ୍ରମୀ ଓ ନିଷ୍ଠାପର ମହିଳାଙ୍କୁ ବିନା କୌଣସି ପରୀକ୍ଷାରେ ସିଧାସଳଖ ଚାକିରି ଦିଆଯିବା ଉଚିତ୍ । ସେ ପ୍ରକୃତ ନାରୀଶକ୍ତିର ଉଦାହରଣ ।
