ଚଣ୍ଡିଗଡ଼: ଜୁଲାଇ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ଫର୍ମାସୀ ଅଫିସର ନିଯୁକ୍ତି ପରୀକ୍ଷା ପେପର ଲିକ୍ ହୋଇଯାଇଛି। ଏହି ଦାବି କରିଛନ୍ତି ପଞ୍ଜାବ ବିଜେପି ସାଧାରଣ ସମ୍ପାଦକ ଅନିଲ ସରିନ। ସେ କହିଛନ୍ତି ଯେ ୬୫୪ ପଦବୀ ନିମନ୍ତେ ଆୟୋଜିତ ଏହି ପରୀକ୍ଷାରେ ୭୦୦୦ ପ୍ରାର୍ଥୀ ଥିଲେ। ତେବେ ପରୀକ୍ଷା ପେପର ଲିକ୍ ହୋଇଯାଇଛି। ସେ କହିଛନ୍ତି ଯେ ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥିତ ବିଫଳତାର ଅଂଶବିଶେଷ। ଆମ ଆଦମୀ ସରକାର ପାରଦର୍ଶିତା ଓ ବିଶ୍ୱସନୀୟତାର ମିଥ୍ୟା ଦାବି କରୁଛନ୍ତି, ହେଲେ ସରକାର ନିଯୁକ୍ତି ପରୀକ୍ଷାର ସୂଚିତା ରକ୍ଷା କରିବାରେ ବାରମ୍ବାର ବିଫଳ ହେଉଥିବା ସରିନ ଅଭିଯୋଗ କରିଛନ୍ତି।
ସରିନ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଭିତରେ ପ୍ରଶ୍ନ ପତ୍ରକୁ ସ୍କାନ କରି ବାହାରକୁ ପଠା ଯାଇଥିଲା। ପରୀକ୍ଷା କେନ୍ଦ୍ର ବାହାରେ ଏହାର ସମାଧାନ କରାଯାଇ ବ୍ଲୁଟୁଥ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ନିକଟକୁ ପହଞ୍ଚା ଯାଇଥିଲା। ସରିନ କହିଛନ୍ତି ଯେ ରେଜିଷ୍ଟ୍ରାର ନିଜେ ମାନିଛନ୍ତି ଅଧିକାରୀଙ୍କୁ ଏପରି ଇଲେକ୍ଟ୍ରୋନିକ୍ ଉପକରଣର ସମ୍ଭାବିତ ଉପଯୋଗର ପୂର୍ବରୁ ସୂଚନା ଥିଲା। ଏହା ସତ୍ତ୍ୱେ ସରକାର ପର୍ଯ୍ୟାପ୍ତ ଜାମର ଲଗାଇ ସତର୍କତା ଉପାୟ କରିବାରେ ବିଫଳ ହୋଇଛନ୍ତି। ସରିନ ଅଭିଯୋଗ କରିଛନ୍ତି ଯେ ପଞ୍ଜାବରେ ଆମଆଦମୀ ସରକାରରେ ଏହା ପରୀକ୍ଷା ଓ ନିଯୁକ୍ତି ସମ୍ପର୍କିତ ଷଷ୍ଠ ବିବାଦ। ଏହା ପୂର୍ବରୁ ନାୟବ ତହସିଲଦାର ନିଯୁକ୍ତି ପରୀକ୍ଷା, ପିଏସଇବି ଦ୍ୱାଦଶ ପରୀକ୍ଷା ପେପରଲିକ୍,ପିଏସଟିଇଟି ବିବାଦ, ପଞ୍ଜାବ ଅଧିନସ୍ଥ ସେବା ମନୋନୟନ ବୋର୍ଡ ନିଯୁକ୍ତି ପରୀକ୍ଷା ଆଦିର ଉଦାହରଣ ଦେଇଛନ୍ତି।
ସରିନ ପାର୍ଟିକୁ ମନେ ପକାଇଦେଇଛନ୍ତି ଦଳର ନେତାମାନେ (ଅରବିନ୍ଦ କେଜରିୱାଲ ଓ ମନିଷ ସିସୋଦିଆ) ଅନ୍ୟ ରାଜ୍ୟରେ ପରୀକ୍ଷା ଅନିୟମିତତାକୁ ନେଇ ଇସ୍ତଫା ଦାବି କରୁଥିଲେ, ଏହି ଏହି ମାନକ ପଞ୍ଜାବରେ ମଧ୍ୟ ଲାଗୁ ହେବା ଦରକାର ବୋଲି ସେ ଦାବି କରିଛନ୍ତି। ସରିନ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ତତ୍କାଳ ଇସ୍ତଫା ଦାବି କରିଛନ୍ତି। ପରୀକ୍ଷା ଆୟୋଜନରେ ବାରମ୍ବାର ବିଫଳତା ନିମନ୍ତେ ସରିନ ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନୈତିକ ରୂପେ ଦାୟି କରିଛନ୍ତି।
