Voice of Eastern India

ବାଂଲାଦେଶରେ ପୁଣି ହିଂସା : ପୋଲିସକୁ ଆକ୍ରମଣ, ଜାଳିଦେଲେ ଥାନା


ଢାକା,୨/୧୧ : ବାଂଲାଦେଶରେ ପୁଣି ହିଂସା ତେଜିଛି। ରାଜଧାନୀ ଢାକା ସମେତ ୩ଟି ଅଞ୍ଚଳରେ ରବିବାର ପୋଷାକ କାରଖାନାର ଶ୍ରମିକମାନେ ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତା ରୋକ ସହିତ ଅନେକ ସ୍ଥାନରେ ଗାଡ଼ି ପୋଡ଼ାଜଳା କରିଛନ୍ତି ।

ଢାକାର ମୀରପୁର ଅଞ୍ଚଳରେ ଶ୍ରମିକମାନେ ରାସ୍ତା ଜାମ୍ କରିଦେବାରୁ ଯାତାୟାତ ଠପ୍ ହୋଇଯାଇଥିଲା। ଫଳରେ ଲୋକଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଠାରେ ବିକ୍ଷୋଭକାରୀ ପୁଲିସ ଉପରେ ଢେଲାପଥର ମାଡ଼ ସହିତ ଏକ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗାଜିପୁରରେ ରାଜପଥ ଅବରୋଧ ସହ ଥାନାରେ ନିଆଁ ଲଗାଇ ଦେଇଥିଲେ। ଅଶୁଲିୟାରେ ୩୦ଟି କାରଖାନାକୁ ସେମାନେ ବନ୍ଦ କରିଦେଇଥିଲେ ।

Also Read :- ଆଜି ରାତିରେ ମାଡ଼ ହେବ ବାତ୍ୟା : ୧୩୦ କିମି ବେଗରେ ପବନ ! ଓଡ଼ିଶାରେ ପୁଣି ଜଳପ୍ରଳୟ ଆଶଙ୍କା

ଶ୍ରମିକମାନେ ସର୍ବନିମ୍ନ ମାସିକ ଦରମା ୯ ହଜାର ୬୦୦ ଟଙ୍କାରୁ ବଢ଼ାଇ ପ୍ରାୟ ୩୦ ହଜାର ଟଙ୍କା କରିବାକୁ ଦାବି କରିଛନ୍ତି । ଦୀର୍ଘଦିନ ଧରି ଦାବି ପୂରଣ ନ ହେବାରୁ ସେମାନେ ବାଧ୍ୟହୋଇ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି। ୨୦୨୩ ଡିସେମ୍ବରରେ ବେତନ ପ୍ରାୟ ୯ ହଜାର ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଓଭରଟାଇମ୍ ଯୋଡ଼ିବା ପରେ ଏହା ପ୍ରାୟ ୧୪ ହଜାରରୁ ୧୫ ହଜାର ଟଙ୍କା ହେଉଛି। ସାଙ୍ଘାତିକ ଦରଦାମ ବୃଦ୍ଧି ମଧ୍ୟରେ ଏତେ କମ୍ ଟଙ୍କାରେ ଚଳିବା ମୁସ୍କିଲ ହୋଇପଡ଼ିଛି। ସେମାନଙ୍କ ଅନୁସାରେ, କିଛି ବର୍ଷ ପୂର୍ବେ ଯେଉଁ ଘରର ଭଡ଼ା ପାଖାପାଖି ୨ ହଜାର ଟଙ୍କା ଥିଲା, ତାହା ଏବେ ବଢ଼ି ୬ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି I ଖାଦ୍ୟପେୟ, ଚିକିତ୍ସା ଓ ପିଲଙ୍କ ପାଠପଢ଼ା ଖର୍ଚ୍ଚ ବି ବଢ଼ିଛି।

ଦାବି ପୂରଣ ନ ହେବାରୁ ଶ୍ରମିକମାନେ ଶେଷରେ ଆନ୍ଦୋଳନ ରାସ୍ତା ବାଛିଛନ୍ତି। ରବିବାର ସକଳେ ଢାକାର ମୀରପୁର-୧୦ ଛକରେ ଶ୍ରମିକମାନେ ଏକତ୍ର ହୋଇ ରାସ୍ତା ଜାମ୍ କରିଦେଇଥିଲେ। ଏହି ସମୟରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। କିଛି ଶ୍ରମିକ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏହାପରେ ପୁଲିସ ଲାଠିଚାର୍ଜ କରିଥିଲା । ଭିଡ଼କୁ ହଗଇବା ପାଇଁ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ମୀରପୁର-୧୦ ମେଟ୍ରୋ ଷ୍ଟେସନର ଗେଟ ବନ୍ଦ କରାଯାଇଥିଲା।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ରବିବାର ୬ ସଦସ୍ୟବିଶିଷ୍ଟ ବେତନ ବୋର୍ଡ ଗଠନ କରିଛନ୍ତି। ପୋଷାକ କାରଖାନା ଶ୍ରମିକଙ୍କ ସର୍ବନିମ୍ନ ଦରମା ଧାର୍ଯ୍ୟ ଲାଗି ଏହାକୁ ଦାୟିତ୍ବ ଦିଆଯାଇଛି। ଶ୍ରମ ମନ୍ତ୍ରୀ ଅରିଫୁଲ୍ ହକ୍ ଚୌଧୁରୀ କହିଛନ୍ତି, ବୋର୍ଡ ଖୁବଶୀଘ୍ର ନୂଆ ବେତନ ସ୍ଥିର କରିବ । ବୋର୍ଡରେ ମାଲିକ, ଶ୍ରମିକ ସଂଗଠନ ଏବଂ ଜଣେ ସ୍ବାଧୀନ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ସରକାର ଶ୍ରମିକଙ୍କୁ ରାସ୍ତା ଖାଲି କରି କାମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ବାଂଲାଦେଶ ପୋଷାକ ଉତ୍ପାଦନକାରୀ ଓ ରପ୍ତାନିକାରୀ ସଂଘ (ବିଜିଏମଇଏ) ମୁତାବକ, ଦେଶରେ ପ୍ରାୟ ୪ ହଜାର ପଞ୍ଜିକୃତ ପୋଷାକ କାରଖାନାରେ ୪୦ ଲକ୍ଷରୁ ଅଧିକ ଶ୍ରମିକ କାମ କରୁଛନ୍ତି। ଚୀନ୍ ପରେ ବାଂଲାଦେଶ ବିଶ୍ବର ଦ୍ବିତୀୟ ସର୍ବାଧିକ ପୋଷାକ ରପ୍ତାନିକାରୀ ଦେଶ ବିବେଚିତ ହୋଇଛି ।

Source link



Source link

Leave A Reply

Your email address will not be published.