Voice of Eastern India

ବ୍ୟବସାୟୀଙ୍କୁ ୨କୋଟି ଟଙ୍କା ଠକେଇ ଅଭିଯୋଗରେ ଯୋଦ୍ଧପୁରର ଲେଡି ଡନ୍ ଓ ତାଙ୍କ ପୁଅ ଗିରଫ


ଯୋଦ୍ଧପୁର: ରାଜସ୍ଥାନର ଅପରାଧ ଦୁନିଆରେ ଲେଡି ଡନ ଭାବେ ଜଣାଶୁଣା ସୁମତା ବିଷ୍ଣୋଇକୁ ଯୋଦ୍ଧପୁରସ୍ଥିତ ତାଙ୍କ ଘରୁ ୨ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଗିରଫ କରାଯାଇଛି। ତାଙ୍କର ଦୁଇ ପୁଅ  ମଧ୍ୟ ଅଟକ ଅଛନ୍ତି। ପୋଲିସ ଅନୁସାରେ ଶନିବାର ସୂଚନା ମିଳିଥିଲା ଯେ ବିଷ୍ଣୋଇ ଘରେ ଅଛି। ତେବେ ଅଧିକାରୀ ତାଙ୍କ ଘରେ ପହଞ୍ଚିବା ବେଳେ ବାହାରେ କେବଳ କୁକୁରଙ୍କ ବ୍ୟତୀତ କେହି ମିଳି ନଥିଲେ। ତେବେ ସନ୍ଦେହ ହୋଇଥିଲା ଯେ ଘରେ ଭିତରେ କେହି ଥାଇ ପାରନ୍ତି। ଏଣୁ ଜଣେ ବଢେଇକୁ ଡକାଇ କବାଟ କାଟି ପୋଲିସ ଘରେ ପ୍ରବେଶ କରିବା ପରେ ବିଷ୍ଣୋଇ ଓ ତାଙ୍କର ଜଣେ ପୁଅ ଘରେ ଥିବାର ଦେଖିବାକୁ ପାଇଥିଲେ।

ଯେତେବେଳେ ବିଷ୍ଣୋଇ ଉପରେ ବରିଷ୍ଠ ଅଧିକାରୀଙ୍କ ନଜର ପଡିଲା ସେ ‘ଜୟହୀନ୍ଦ ସାର’ କହି ଅଭିବାଦନ କରିଥିଲା। ତେବେ ଘରର ଆଉ ଗୋଟିଏ ବନ୍ଦ କୋଠରୀ ଦ୍ୱାର କାଟିବା ପାଇଁ ପୋଲିସ ବଢେଇକୁ କହିବାରୁ ବିଷ୍ଣୋଇ ମନା କରିଥିଲା ଓ ପୁଅକୁ ଘରୁ ବାହିରାକୁ କହିଥିଲା। ଏଣୁ ପୋଲିସ ବିଷ୍ଣୋଇ ସମେତ ତା ୨ ପୁଅଙ୍କୁ ଥାନାକୁ ନେଇ ଯାଇଛି। ବିଷ୍ଣୋଇ ଓ ତାର ଦୁଇ ପୁଅ ବିନୋଦ ଏବଂ ମନିଷଙ୍କୁ ସୋମବାର କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ ଚିତୋରଗଡର ବ୍ୟବସାୟୀ ପର୍ବତସିଂହ ରାଜପୁରୋହିତଙ୍କ ଅଭିଯୋଗ ଆଧାରରେ ବିଷ୍ଣୋଇ ଓ ତା ଦୁଇ ପୁଅଙ୍କୁ ଗିରଫ କରାଯାଇଛି।

ଅଭିଯୋଗ ଅନୁସାରେ ବିଷ୍ଣୋଇ କଥିତ ରୂପେ ରାଜନେତା, ଅଧିକାରୀ ଓ ପୋଲିସ-କୋର୍ଟ ପ୍ରଣାଳୀ ସହ ନିଜ ସମ୍ପର୍କ ଉପଯୋଗ କରି ରାଜପୁରୋହିତଙ୍କୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାମ କରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିରେ ସେ ସାଓଁଲିଆଜୀ ମନ୍ଦିର ଟ୍ରଷ୍ଟରେ ପ୍ରସାଦ ଠିକାଇ ଦିଆଇ ଦେବ ବୋଲି କହି ୧.୫କୋଟି ଟଙ୍କା ବହିନା ନେଇଥିଲା। ସେହିପରି ହାଇକୋର୍ଟରୁ ଜଣେ ଲୋକକୁ ଜାମିନ କରାଇଦେବ ବୋଲି କହି ୧.୪କୋଟି ଟଙ୍କା ନେଇଥିଲା। ହେଲେ ଏଥିରୁ କୌଣସି ଗୋଟିଏ କାମ ବି ବିଷ୍ଣୋଇ କରିପାରି ନଥିଲା। ରାଜପୁରୋହିତ ତାଙ୍କ ଟଙ୍କା ଫେରସ୍ତ ମାଗିବାରୁ ବିଷ୍ଣୋଇ ତାହା ମଧ୍ୟ ଫେରାଇ ନଥିଲା।

ପୋଲିସ ସୂଚନା ଅନୁସାରେ ବିଷ୍ଣୋଇ ବିରୋଧରେ ଯୋଦ୍ଧପୁର ସହିତ ବିଭିନ୍ନ ଥାନାରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ସବୁ ମାମଲାରେ ମାଦକ ପଦାର୍ଥ ତସ୍କରୀ ଓ ଠକେଇ ଆଦି ଅଭିଯୋଗ ରହିଛି। ପୂର୍ବରୁ ମଧ୍ୟ ବିଷ୍ଣୋଇ ଗିରଫ ହୋଇଥିଲା ଓ ହାଜତରେ ବି ଥିଲା। କୁଖ୍ୟାତ ନିଶା ତସ୍କର ପ୍ରଦୀପ ଇରମ ସହ ତାର ଦୀର୍ଘ ସମୟର ସମ୍ପର୍କ ଥିବାର ମଧ୍ୟ ଅଭିଯୋଗ ରହିଛି। ସେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଧ୍ୟ କରେ।

Source link



Source link

Leave A Reply

Your email address will not be published.