Voice of Eastern India

ମହାରାଷ୍ଟ୍ର ରାଜନୀତିରେ ହାଇ-ଭୋଲ୍ଟେଜ ଡ୍ରାମା; ସଫଳ ହେଲା ସିନ୍ଦେଙ୍କ ‘ଅପରେସନ୍ ଟାଇଗର’


ମୁମ୍ବାଇ (୨୩/୬) : ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ହାଇ-ଭୋଲ୍ଟେଜ ଡ୍ରାମା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶିବସେନାର ୬ ବିଦ୍ରୋହୀ ଲୋକସଭା ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶାସକ ଶିବସେନାରେ ସାମିଲ ହୋଇଛନ୍ତି। ମୁମ୍ବାଇରେ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସାଂସଦମାନେ ନିଜର ନୂଆ ରାଜନୈତିକ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି । ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ସାଂସଦଙ୍କ ମଧ୍ୟରେ ସଞ୍ଜୟ ହରିଭାର ଜାଧବ, ଭାଉସାହେବ ରାଜାରାମ ୱାକଚୌରେ, ଓମ୍ ପ୍ରକାଶ ଭୂପାଲସିଂହ ନିମ୍ବଲକର , ସଞ୍ଜୟ ଦିନା ପାଟିଲ, ସଞ୍ଜୟ ଉତ୍ତମରାଓ ଦେଶମୁଖ ଏବଂ ନାଗେଶ ବାପୁରାଓ ପାଟିଲ ଅଷ୍ଟିକର ସାମିଲ ।

ବିଦ୍ରୋହୀ ସାଂସଦମାନେ ପ୍ରଥମେ ଏକନାଥ ସିନ୍ଦେଙ୍କ ସହ ନନ୍ଦନବନ ବଙ୍ଗଳାରେ ବୈଠକ କରିଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀ ଲାଗି ୱାଇବି ଚୌହାନ ସେଣ୍ଟର ପହଞ୍ଚିଥିଲେ। ଏହି ସମୟରେ ସିନ୍ଦେ କହିଥିଲେ ଯେ, ‘ଅପରେସନ୍ ଟାଇଗର’ ସଫଳ ହୋଇଛି । ଏଠାରେ ଜଣେ ନୁହନ୍ତି, ୬ ଜଣ ‘ଟାଇଗର ଉପସ୍ଥିତ ଅଛନ୍ତି। ୪ ବର୍ଷ ପୂର୍ବରୁ ସେ ଦଳ, ବାଲାସାହେବଙ୍କ ବିଚାରଧାରା ଏବଂ ଧନୁ-ବାଣ ଚିହ୍ନକୁ ବଞ୍ଚାଇବାକୁ ବିଦ୍ରୋହ କରିଥିଲେ। ସେତେବେଳେ ୪୦ ଜଣ ବିଧାୟକ ତାଙ୍କ ସହ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଶିବସେନାର ବିସ୍ତାର ହୋଇଛି। ସେହିପରି ବିଗତ ୪ ବର୍ଷ ମଧ୍ୟରେ ତାଙ୍କ ଗୋଷ୍ଠୀ ଶିବସେନାକୁ ଦୃଢ଼ କରିବାକୁ କାମ କରିଛି । ହିନ୍ଦୁତ୍ୱ ବିଚାରଧାରା ପ୍ରତି ପ୍ରତିବଦ୍ଧ ରହିଛି। ତାଙ୍କ କାମ ଦ୍ୱାରା ପ୍ରଭାବିତ ହୋଇ ଏହି ସାଂସଦମାନେ ଆଜି ଅସଲି ଶିବସେନା ପରିବାରରେ ସାମିଲ ହୋଇଛନ୍ତି। ନୂଆ କରି ସାମିଲ ହୋଇଥିବା ସାଂସଦଙ୍କ ଚିନ୍ତା ଏବଂ ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରାଯିବ। ଦଳରେ କେହି ସୁପ୍ରିମ ଲିଡର ନାହାନ୍ତି ବୋଲି ସିନ୍ଦେ ପ୍ରକାଶ କରିଛନ୍ତି ।

୨୦୨୨ ପରେ ଏହାକୁ ମିଶାଇ ଶିବସେନା ଦ୍ଵିତୀୟ ଥର ଭାଙ୍ଗିଛି । ଏହି ସଂସଦଙ୍କୁ ମିଶାଇଲେ ଲୋକସଭାରେ ସିନ୍ଦେ ଗୋଷ୍ଠୀର ସାଂସଦଙ୍କ ସଂଖ୍ୟା ୭ରୁ ୧୩କୁ ବୃଦ୍ଧି ପାଇଛି | ଉଦ୍ଧବଙ୍କ ଗୋଷ୍ଠୀରେ ୯ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣ ସାଂସଦ ରହିଯାଇଛନ୍ତି । ସେପଟେ ଏହି ସାଂସଦଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ ହେବନାହିଁ । କାରଣ କୌଣସି ଦଳ ଭାଙ୍ଗିଲେ ସାଂସଦଙ୍କୁ ଅଯୋଗ୍ୟତାକୁ ରକ୍ଷା ପାଇବା ଲାଗି ଦୁଇ ତୃତାୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ଜରୁରି ହୋଇଥାଏ । ଶିବସେନର ୬ ସାଂସଦ ଏକାଠି ବିଦ୍ରୋହ କରି ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିଛନ୍ତି। ସେଥିଯୋଗୁ ଏମାନଙ୍କର ଲୋକସଭା ସଦସ୍ୟତା ଉପରେ ତତ୍କାଳ କୌଣସି ବିପଦ ନାହିଁ । ଇତିମଧ୍ୟରେ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟ ଦଳ ଛାଡ଼ିଥିବା ସାଂସଦମାନେ ସେମାନଙ୍କ ବିଶ୍ୱସନୀୟତା ବିକ୍ରି ଯୋଗ୍ୟ ବୋଲି ସାବ୍ୟସ୍ତ କରିଥିବା ଅଭିଯୋଗ ଆଣିଛନ୍ତି।

Source link



Source link

Leave A Reply

Your email address will not be published.