ମୁମ୍ବାଇ: ନେପାଳରେ ପ୍ରକୃତିର ତାଣ୍ଡବ। ଗ୍ଲାସିୟର ତରଳିବା କାରଣରୁ ତିବ୍ବତ ସୀମାକୁ ଲାଗିଥିବା ନେପାଳର ଉତ୍ତର ଜିଲ୍ଲା ରସୁୱାରେ ଅଗଷ୍ଟ ୨୬ ତାରିଖରେ ହଠାତ୍ ଆସିଥିଲା ଭୟଙ୍କର ବନ୍ୟା। ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ମୃତ୍ୟୁର ତାଣ୍ଡବ ରଚିଛି। ଗ୍ଲାସିୟର ତରଳିବା ପରେ ହଠାତ୍ ଆସିଥିବା ଏହି ବନ୍ୟାରେ ରସୁୱା ସମେତ ନେପାଳର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟା ପରେ ସାମ୍ନାକୁ ଆସିଥିବା ଧ୍ୱଂସର ଚିତ୍ର ଦେଖି ସାରା ଦେଶକୁ ବ୍ୟଥିତ କରିଛି। ଏହି ବିପର୍ଯ୍ୟୟ ସହ ଜଡ଼ିତ ନିଜର ଏକ ଅନୁଭୂତି ସେୟାର କରିଛନ୍ତି ବଲିଉଡ୍ ଅଭିନେତା ଅଙ୍କୁର ରତନ। ‘ମାଇ’ ଏବଂ ‘ଇନସାଇଡ୍ ଏଜ୍’ ଭଳି ୱେବ୍ ସିରିଜରେ ଅଭିନୟ କରିଥିବା ଅଙ୍କୁର ରତନ ବନ୍ୟା ଆସିବାର ମାତ୍ର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ରସୁୱା ଜିଲ୍ଲାରେ ଥିଲେ। ଯେଉଁ ସ୍ଥାନରେ ସେ ଏବଂ ତାଙ୍କ ଗ୍ରୁପ୍ ରହିଥିଲେ। ଆଉ କିଛି ଘଣ୍ଟା ପରେ ସେହି ସ୍ଥାନକୁ ବନ୍ୟା ଧୋଇ ନେଇଛି। ଯାହାକୁ ସେ ବିଶ୍ୱାସ କରିପାରୁନାହାନ୍ତି।
ବନ୍ୟାର ୧୨ ଘଣ୍ଟା ପୂର୍ବରୁ ରସୁୱାରେ ଥିଲେ ଅଙ୍କୁର
ଅଙ୍କୁର ରତନଙ୍କ କହିବା ଅନୁସାରେ, ସେ ମହାରାଷ୍ଟ୍ରର ଏକ କ୍ଲବ୍ର ଗ୍ରୁପ୍ ସହ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ଅଗଷ୍ଟ ୨୨ ତାରିଖରେ ସେ କାଠମାଣ୍ଡୁରେ ପହଞ୍ଚିଥିଲେ। ଏହାପରେ ଯାତ୍ରା କରି ସେମାନେ ରସୁୱା ଅଞ୍ଚଳ ଦେଇ ଆଗକୁ ବଢ଼ିଥିଲେ। କିନ୍ତୁ ସେତେବେଳେ ଏଭଳି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟିବାର କୌଣସି ଆଭାସ ତାଙ୍କୁ ମିଳିନଥିଲା। ବନ୍ୟା ଆସିବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ସେ ରସୁୱା ଜିଲ୍ଲା ପାର ହୋଇଥିଲେ। ସେତେବେଳେ ପାଗ ମଧ୍ୟ ଏଭଳି ଭୟଙ୍କର ବିପଦର ସଙ୍କେତ ଦେଉନଥିଲା କାରଣ ଯାତ୍ରା ସମୟରେ ପାଣିପାଗର ସ୍ଥିତି ଜାଣିବା ପାଇଁ ସେମାନେ ନିୟମିତ ଭାବେ ୱେଦର ଆପ୍ ଚେକ୍ କରୁଥିଲେ। ତାପମାତ୍ରା, ପାଣିପାଗର ପରିବର୍ତ୍ତନ ଓ ସମ୍ଭାବ୍ୟ ଖରାପ ପାଗ ଉପରେ ସେମାନେ ନଜର ରଖିଥିଲେ। କିନ୍ତୁ ହଠାତ୍ ଏଭଳି ବନ୍ୟା ଆସିବ ଏବଂ ଏତେ ବଡ଼ ଧ୍ୱଂସ ଘଟିବ, ସେନେଇ କୌଣସି ପ୍ରକାରର ଚେତାବନୀ ମିଳିନଥିଲା ବୋଲି ଅଙ୍କୁର ପିଟିଆଇକୁ କହିଛନ୍ତି।
Also Read- ରକ୍ଷାବନ୍ଧନରେ ଭାଇକୁ ମନେପକାଇ ଭାବୁକ ହେଲେ ଭଉଣୀ ଶ୍ଵେତା, ପିଲାଦିନର ଫଟୋକୁ କଲେ ସେୟାର
ବନ୍ୟା ପରେ ରସୁୱାର ଦୃଶ୍ୟ ଦେଖି ଅଙ୍କୁର ରତନ ଭାବପ୍ରବଣ ହୋଇ ପଡ଼ିଛନ୍ତି। ଯେଉଁ ଅଞ୍ଚଳରେ ସେ ନିଜ ଗ୍ରୁପ୍ ସହ ରହିଥିଲେ, ସେହି ସ୍ଥାନ ଏବେ ବନ୍ୟାରେ ଧୋଇ ଯାଇଛି। ଯାହା ତାଙ୍କୁ ଗଭୀର ମର୍ମାହତ କରିଛି।
