ବଡ଼ବିଲ: ରାସ୍ତା ଉପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୃବୃର୍ତ୍ତ । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳର ୯ ନମ୍ବର ୱାର୍ଡ ପାତ୍ରସାହିରେ ରାତି ପ୍ରାୟ ୮ ଟା ସମୟରେ ଏହି ଆକ୍ରମଣ ହୋଇଛି। ଆହତ ଯୁବକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ହୁଡ଼ିସାହି ନିକଟ ଭୋଲାସାହିର ୩୬ ବର୍ଷୀୟ ବିଷ୍ଣୁ ନାଗ। ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାଖରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯୋଡ଼ା ସ୍ଥିତ ଟାଟା ମେନ୍ ହସ୍ପିଟାଲକୁ ନେଇଥିଲେ।
ମିଳିଥିବା ସୂଚନା ଅନୁସାରେ, ତାଙ୍କ ପିଠି, ଛାତି, କାନ୍ଧ, ଗୋଡ଼, ହାତ ଆଦି ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଆକ୍ରମଣ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବ ଶତ୍ରୁତା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଯୋଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।
Also Read: ମଶାଣି ନିକଟରେ କାର୍ରେ ଚାଲିଥିଲା କାରବାର, ଚଢ଼ାଉ କରି ମାଡ଼ିବସିଲା ପୋଲିସ
