ସମ୍ବଲପୁର: ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ (ORS) ଅଜୟ ଗଡ଼ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ସମ୍ବଲପୁର ଭିଜିଲାନ୍ସ ଟିମ୍।
ମିଳିଥିବା ସୂଚନା ଅନୁଯାୟୀ, ରେଳ ଲାଇନ ସମ୍ପ୍ରସାରଣ ପାଇଁ ଜମି ହରାଇଥିବା ଜଣେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଅର୍ଥ କରାଇଦେବା ପାଇଁ ଅଜୟ ଗଡ଼ନାୟକ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ଅଭିଯୁକ୍ତ ଅଧିକାରୀଜଣକ ପ୍ରଥମ କିସ୍ତି ବାବଦକୁ ୨ ଲକ୍ଷ ଟଙ୍କା ନେଇସାରିଥିଲେ। ଆଉ ବାକି ଟଙ୍କା ପାଇଁ ଚାପ ପକାଇବାରୁ କ୍ଷତିଗ୍ରସ୍ତ ବ୍ୟକ୍ତିଜଣକ ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏମିତିରେ ଯୋଜନା ମୁତାବକ ଗତକାଲି ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ଗିରଫଦାରୀ ପରେ ଭିଜିଲାନ୍ସ ଟିମ୍ ଅଜୟ ଗଡ଼ନାୟକଙ୍କ ବିଭିନ୍ନ ଠିକଣାରେ ଥିବା ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି। ଢେଙ୍କାନାଳ ଜିଲ୍ଲା ରସୋଲ ବ୍ଲକ୍ ଗିରିଧାରୀ ପ୍ରସାଦସ୍ଥିତ ପୈତୃକ ବାସଭବନ, ଅନୁଗୁଳରେ ଥିବା ସରକାରୀ ବାସଭବନ, ସମ୍ବଲପୁର ଏବଂ ଅନୁଗୁଳସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟ ଚଢ଼ାଉ ଜାରି ରହିଛି।
Also Read: ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା, ଭିଜିଲାନ୍ସ ଜାଲରେ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ
ସୂଚନା ଅନୁସାରେ, ଅଜୟ ଗଡ଼ନାୟକଙ୍କ ବାପା ୧୯୯୯ ମସିହାରେ ନେବା ପରେ, ତାଙ୍କୁ ଅନୁକମ୍ପାମୂଳକ ଆଧାରରେ ସରକାରୀ ଚାକିରି ମିଳିଥିଲା। ସେ ପ୍ରଥମେ କିରାଣୀ ଭାବେ ସରକାରୀ ସେବାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ହୋଇଥିଲେ। ୨୦୨୩ ମସିହାରୁ ସେ ସମ୍ବଲପୁରରେ ତାଳଚେର-ସମ୍ବଲପୁର ରେଳ ଲାଇନ ଦୋହରୀକରଣର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ। ଗିରଫ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
