Voice of Eastern India

ଶ୍ରୀଲଙ୍କାରେ ଫ୍ଲପ୍‌ ଶୋ’; ୧୫ ବର୍ଷୀୟ ବୈଭବଙ୍କ ଭବିଷ୍ୟତ ସ୍ଥିର କରିବ ଫାଇନାଲ ମ୍ୟାଚ୍‌ !


ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ନିଜର ଚମତ୍କାର ବ୍ୟାଟିଂ ବଳରେ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଥିବା ବିହାରର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ବର୍ତ୍ତମାନର ଶ୍ରୀଲଙ୍କା ଗସ୍ତ ଏକ ଖରାପ ସ୍ୱପ୍ନ ସାବ୍ୟସ୍ତ ହୋଇଛି। ଭାରତର ପିଚ୍ ଏବଂ ଛୋଟ ବାଉଣ୍ଡାରିରେ ବୋଲରମାନଙ୍କୁ ନାକେଦମ କରିଥିବା ବୈଭବ ଶ୍ରୀଲଙ୍କାର ବଡ଼ ପଡ଼ିଆ, ପେସ୍ ଏବଂ ସ୍ପିନ୍ ଅନୁକୂଳ ପରିସ୍ଥିତିରେ ରନ୍ କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ‘ଇଣ୍ଡିଆ ଏ’ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବୈଭବ ଏପର୍ଯ୍ୟନ୍ତ ନିଜ ନାମ ଅନୁରୂପ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଏବେ ରନ୍ ପାଇଁ ବ୍ୟାକୁଳ

ଚଳିତ ବର୍ଷ ଶେଷ ହୋଇଥିବା ଆଇପିଏଲ୍ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୬ଟି ମ୍ୟାଚରୁ ୭୭୬ ରନ୍ ସଂଗ୍ରହ କରିବା ସହ ରେକର୍ଡ ସଂଖ୍ୟକ ୭୨ଟି ଛକା ମାରିଥିଲେ । ମାତ୍ର ଶ୍ରୀଲଙ୍କାରେ ଚାଲିଥିବା ୫୦ ଓଭର ବିଶିଷ୍ଟ ତ୍ରିରାଷ୍ଟ୍ରୀୟ ସିରିଜ୍ (Try-Series) ରେ ତାଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ଏପର୍ଯ୍ୟନ୍ତ ଖେଳିଥିବା ୪ଟି ମ୍ୟାଚ୍‌ରେ ସେ ମାତ୍ର ୧୪, ୪୪, ୨୧ ଏବଂ ୩୮ ରନ୍ କରିଛନ୍ତି। ଏଥିମଧ୍ୟରୁ ୪୪ ଏବଂ ୩୮ ରନ୍‌ର ଦୁଇଟି ଇନିଂସ ଦୁର୍ବଳ ଆଫଗାନିସ୍ତାନ ଏ’ ବିରୋଧରେ ଆସିଥିବା ବେଳେ, ଶକ୍ତିଶାଳୀ ଘରୋଇ ଶ୍ରୀଲଙ୍କା ଏ’ ବିରୋଧରେ ସେ ମାତ୍ର ୧୪ ଓ ୨୧ ରନ୍ କରିବାକୁ ସକ୍ଷମ ହୋଇଛନ୍ତି ବୈଭବ।

ପଦାରେ ପଡ଼ିଲା ଦୁର୍ବଳତା

ମାତ୍ର ୧୫ ବର୍ଷ ବୟସ୍କ ବୈଭବ କ୍ରିଜରେ ତିଷ୍ଠି ରହିବାକୁ ଏବଂ ଖରାପ ଶଟ୍ ନଖେଳିବାକୁ ଚେଷ୍ଟା କରୁଛନ୍ତି ସତ, କିନ୍ତୁ ଏହି ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ‘ଶଟ୍ ସିଲେକ୍ସନ୍’ (Shot Selection) ରେ ଅପରିପକ୍ୱତା ସ୍ପଷ୍ଟ ଜଣାପଡ଼ୁଛି। ଆଇପିଏଲ୍‌ର ଫ୍ଲାଟ୍‌ ବ୍ୟାଟିଂ ପିଚ୍‌ରେ ସେ ସହଜରେ ବ୍ୟାଟ୍ ଘୂରାଇ ରନ୍ ସଂଗ୍ରହ କରୁଥିଲେ, ହେଲେ ଶ୍ରୀଲଙ୍କାରେ ତାଙ୍କ ପାଖରେ ଧୈର୍ଯ୍ୟର ଅଭାବ ଦେଖାଦେଇଛି।ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଏହି ସିରିଜ୍‌ର ୪ଟି ଇନିଂସ ମଧ୍ୟରୁ ଦୁଇଥର ସେ ଶର୍ଟ-ପିଚ୍ (Short-pitch) ବଲ୍‌ରେ ଆଉଟ୍ ହୋଇଛନ୍ତି। ଆଇପିଏଲ୍ ସମୟରେ ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ପୁଲ୍ ଶଟ୍ (Pull Shot) ଖେଳିବା ସମୟରେ ସେ ସମସ୍ୟାରେ ପଡ଼ନ୍ତି । ଏବେ ଶ୍ରୀଲଙ୍କାର ବଡ଼ ପଡ଼ିଆରେ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଯାଇଛି ।

ଫାଇନାଲରେ ଅଗ୍ନିପରୀକ୍ଷା

ଆସନ୍ତା ରବିବାର ଦିନ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲ୍ ମ୍ୟାଚରେ ଇଣ୍ଡିଆ ଏ’ ସମ୍ଭବତଃ ଶ୍ରୀଲଙ୍କା ଏ’ର ସାମ୍ନା କରିବ । ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସମାଲୋଚକମାନଙ୍କୁ ଚୁପ୍ କରିବା ଏବଂ ନିଜର ବ୍ୟାଟିଂ କୌଶଳ ପ୍ରମାଣିତ କରିବାର ଏହା ଶେଷ ସୁଯୋଗ। ଯଦି ସେ ରବିବାର ମଧ୍ୟ ଫ୍ଲପ୍ ହୁଅନ୍ତି, ତେବେ ବ୍ୟସ୍ତ ହେବାର କିଛି ନାହିଁ। ଏହାର ସିଧାସଳଖ ଅର୍ଥ ହେବ ଯେ, ତାଙ୍କୁ ଘରୋଇ କ୍ରିକେଟକୁ ଫେରି ପୁଣି କଠିନ ପରିଶ୍ରମ କରିବାକୁ ହେବ। କ୍ରିକେଟ ବିଶେଷଜ୍ଞଙ୍କ ମତରେ, ତାଙ୍କୁ ବିହାର ଛାଡ଼ି କୌଣସି ଏଭଳି ଏଲିଟ୍ ଗ୍ରୁପ୍ (Elite Group) ଘରୋଇ ଦଳ ତରଫରୁ ଖେଳିବା ଉଚିତ୍, ଯେଉଁଠାରେ ପ୍ରତିଯୋଗିତା ଅଧିକ ଏବଂ ଦୃଢ଼ ବିରୋଧୀ ଦଳ ମିଳିବେ। ଏହାଦ୍ୱାରା ସେ ରେଡ୍ ବଲ୍ ଏବଂ ହ୍ୱାଇଟ୍ ବଲ୍ ଉଭୟ ଫର୍ମାଟ୍‌ରେ ନିଜକୁ ସୁଧାରି ପାରିବେ।

ବୈଭବ ଏକ ଅଦ୍ଭୁତ ଏବଂ ଦୁର୍ଲଭ ପ୍ରତିଭା ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ତାଙ୍କୁ ଆଉ କିଛି ସମୟ ଲାଗିବ। ସେ ଆଗାମୀ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ (T20I) ଦଳରେ ମଧ୍ୟ ସାମିଲ ହୋଇଛନ୍ତି। ତେଣୁ ବିସିସିଆଇ (BCCI) କୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ମିଶି ଏହି ଯୁବ ଖେଳାଳିଙ୍କ ଉନ୍ନତି ପାଇଁ ଏକ ଦୃଢ଼ ବ୍ଲୁ-ପ୍ରିଣ୍ଟ ବା ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ହେବ। କେବଳ ୧୫ ବର୍ଷ ବୟସରେ ଏଭଳି ଉଚ୍ଚ ସ୍ତରରେ ଖେଳିବା ନିଜ ଭିତରେ ଏକ ବଡ଼ ସଫଳତା। ରବିବାରର ଫାଇନାଲ୍ ମ୍ୟାଚ୍ ଏବଂ ଆଗାମୀ ଆୟରଲ୍ୟାଣ୍ଡ-ଇଂଲଣ୍ଡ ଗସ୍ତ ପରେ ହିଁ ଏହି ଯୁବ କ୍ରିକେଟ୍ ତାରକାଙ୍କ ଭବିଷ୍ୟତର ରଣନୀତି ଏବଂ ସେ ଭାରତୀୟ ଦଳରେ ଦୀର୍ଘ ସମୟ ଧରି ଖେଳିବେ କି ନାହିଁ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ।

Source link



Source link

Leave A Reply

Your email address will not be published.