ଭୁବନେଶ୍ବର ୨୯।୮: ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ଛାତ୍ର କଂଗ୍ରେସ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ବିଭୁତି ମହାପାତ୍ର । ସେ କହିଛନ୍ତି, ସରକାର ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି । ବିଭିନ୍ନ ବାହାନା ଦେଖାଇ ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି ସରକାର ।
୨୦୧୭ ମସିହା ଠାରୁ ଆଉ ଛାତ୍ର ସଂସଦ ନିର୍ବାଚନ ହୋଇପାରୁନାହିଁ । ଯେତେବେଳେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା ସେତେବେଳେ ବିଜେଡି ସରକାରରେ ଯିଏ ମନ୍ତ୍ରୀ ଥିଲେ ସିଏ ନିଜେ ଛାତ୍ର ସଂସଦ ନିର୍ବାଚନରୁ ନେତା ହୋଇଥିଲେ ।
ବିଜେପି ନିର୍ବାଚନ ଇସ୍ତହାରରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ଛାତ୍ରଛାତ୍ରୀଙ୍କୁ ଧୋକା ଦେଲେ ସରକାର । ମୁଖ୍ୟମନ୍ତ୍ରୀ ମଧ୍ୟ ABVPର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିଲେ କିନ୍ତୁ ନିର୍ବାଚନ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହୋଇଗଲା ।
Also Read:- ସମୁଦ୍ର କ୍ଷୟ ରୋକିବାକୁ ଓଡ଼ିଶାରେ କର୍ଣ୍ଣାଟକ ମଡେଲ୍, ୬ ଉପକୂଳ ଜିଲ୍ଲା ପାଇଁ ମେଗା ପ୍ଲାନ୍
ତେଣୁ ଆମେ ଦାବି କରୁଛୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ୍ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯିବ । ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏଫ୍ଏମ୍ ଛାତ୍ରୀଙ୍କୁ ହତ୍ୟା କରାଗଲା । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଭୁତି ମହାପାତ୍ର କହିଛନ୍ତି ।
