ମୁମ୍ବାଇ: ଶାହରୁଖ ଖାନଙ୍କ ଅପକମିଂ ଫିଲ୍ମ ‘କିଙ୍ଗ’ରୁ ହଠାତ ଦୂରେଇ ଗଲେ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ।
ଅନିରୁଦ୍ଧ ରବିଚନ୍ଦର ଏବଂ ସନ୍ ଟିଭି ମାଲିକାଣୀ କାବ୍ୟା ମାରନଙ୍କ ବିବାହ ନଭେମ୍ବର ୧୦ ଏବଂ ୧୧ରେ ଗ୍ରୀସ୍ରେ ହେବାକୁ ନେଇ ଚର୍ଚ୍ଚା । କିନ୍ତୁ ତା ପୂର୍ବରୁ କିଙ୍ଗ ଖାନଙ୍କ ଫିଲ୍ମରୁ ଅନିରୁଦ୍ଧ ଦୂରେଇ ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ସମୟର ଅଭାବ ଏବଂ ଅତ୍ୟଧିକ ବ୍ୟସ୍ତତା କାରଣରୁ ସେ ଏହି ପ୍ରୋଜେକ୍ଟରୁ ଓହରିଥିବା ଜଣାପଡ଼ିଛି। ମେକର୍ସ ବର୍ତ୍ତମାନ ଏହି ଫିଲ୍ମର ଗୀତ ଏବଂ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦାୟୀତ୍ୱ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏବଂ ଶହାରୁଖ ଖାନ ଆସନ୍ତା କ୍ରିସମାସରେ ‘କିଙ୍ଗ’କୁ ପ୍ରେକ୍ଷାଳୟରେ ରିଲିଜ୍ ପାଇଁ ବେଶ୍ ଆଶାବାଦୀ । ଅନ୍ୟପଟେ, ଅନିରୁଦ୍ଧ ଦକ୍ଷିଣ ଭାରତୀୟ ସିନେମାର ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମ ପାଇଁ ଆବଶ୍ୟକୀୟ ସମୟ ଦେଇପାରୁଥିଲେ । ଫଳରେ, ସିଦ୍ଧାର୍ଥ ଆନନ୍ଦ, ସାହରୁଖ ଖାନ ଏବଂ ଅନିରୁଦ୍ଧଙ୍କ ମଧ୍ୟରେ ବୁଝାମଣା ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି।
ଫିଲ୍ମ ସହ ଅନିରୁଦ୍ଧଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଶାହରୁଖ ଖାନଙ୍କ ପ୍ରତି ଥିବା ସମ୍ମାନ ପାଇଁ ଅନିରୁଦ୍ଧ ଏହି ଫିଲ୍ମର ମୁଖ୍ୟ ଥିମ୍ ଟ୍ରାକ୍ କମ୍ପୋଜ୍ କରିସାରିଛନ୍ତି । ଏହି ଥିମ୍ ଟ୍ରାକକୁ ସଙ୍ଗୀତ ଯୋଡ଼ି ‘ସଚିନ୍-ଜିଗର’ ନୂଆ ରୂପ ଦେଇ ବ୍ୟାକଗ୍ରାଉଣ୍ଡ ସ୍କୋରରେ ବ୍ୟବହାର କରିବେ। ଅର୍ଥାତ୍ ଫିଲ୍ମ ‘କିଙ୍ଗ’ରେ ଅନିରୁଦ୍ଧଙ୍କ ସଙ୍ଗୀତର ଛାପ ରହିବ । କିନ୍ତୁ ସମ୍ପୂର୍ଣ୍ଣ ଆଲବମ୍ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋରର ଦାୟିତ୍ୱ ସଚିନ୍-ଜିଗର ତୁଲାଇବେ।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ହାଇ-ଭୋଲଟେଜ୍ ଆକ୍ସନ ଫିଲ୍ମରେ ଶାହରୁଖ ଖାନଙ୍କ ସହ ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଅନିଲ କପୁର, ରାଣୀ ମୁଖାର୍ଜୀ, ଜ୍ୟାକି ଶ୍ରଫ, ଅର୍ଶଦ ୱାର୍ସି, ଜୟଦୀପ ଅହଲାୱଟ ଏବଂ ରାଘବ ଜୁୟାଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ୨୦୨୬ ଡିସେମ୍ବର ୨୪ ରେ ଗ୍ରାଣ୍ଡ ରିଲିଜ୍ ସ୍ଥିର ହୋଇଛି। ଶାହରୁଖ ଖାନଙ୍କ ୬୧ତମ ଜନ୍ମଦିନ ଅବସରରେ ନଭେମ୍ବର ୨ ତାରିଖରେ ଫିଲ୍ମର ପ୍ରଥମ ଟିଜର ରିଳିଜ୍ ହେବ ।
