ମୁମ୍ବାଇ: ରିଲାଏନ୍ସ ଜିଓର ୫ଜି ଗ୍ରାହକଙ୍କ ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ଜିଓ ପ୍ଲାଟଫର୍ମସର ଅନଅଡିଟେଡ୍ ତ୍ରୈମାସିକ ଆର୍ଥିକ ଫଳାଫଳ ଅନୁଯାୟୀ, ଗତ ୧୨ ମାସ ଅର୍ଥାତ୍ ୧ ଅକ୍ଟୋବର ୨୦୨୫ରୁ ୩୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଜିଓର ୫ଜି ଗ୍ରାହକ ସଂଖ୍ୟାରେ ୬.୬ କୋଟି ବୃଦ୍ଧି ଘଟିଛି। ଫିକ୍ସଡ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ କମ୍ପାନୀ ୩ କୋଟି ଗ୍ରାହକ ହାସଲ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଓର ମୋଟ ଗ୍ରାହକ ସଂଖ୍ୟା ୫୪.୨ କୋଟି ଅତିକ୍ରମ କରିଛି।
ଜିଓ ନେଟୱର୍କରେ ଡାଟା ବ୍ୟବହାର ମଧ୍ୟ ଦ୍ରୁତଗତିରେ ବଢ଼ିଛି। ପ୍ରତ୍ୟେକ ଗ୍ରାହକଙ୍କ ହାରାହାରି ମାସିକ ଡାଟା ବ୍ୟବହାର ୪୪.୨ ଜିବିରେ ପହଞ୍ଚିଛି। କମ୍ପାନୀର ମୋଟ ୱାୟାରଲେସ୍ ଡାଟା ଟ୍ରାଫିକରେ ୫ଜିର ଭାଗ ଏବେ ପ୍ରାୟ ୫୬ ପ୍ରତିଶତ ହୋଇଛି। ସେପ୍ଟେମ୍ବର ତ୍ରୈମାସିକରେ ଜିଓର ମୋଟ ଡାଟା ଟ୍ରାଫିକ୍ ବାର୍ଷିକ ଭିତ୍ତିରେ ୨୨.୧ ପ୍ରତିଶତ ବୃଦ୍ଧି ପାଇ ୭୧ ଏକ୍ସାବାଇଟରେ ପହଞ୍ଚିଛି। ଏହି ସଂଖ୍ୟା ଜିଓ ନେଟୱର୍କରେ ଡାଟା ବ୍ୟବହାରର କ୍ରମାଗତ ବୃଦ୍ଧିକୁ ପ୍ରତିଫଳିତ କରୁଛି।
ଫିକ୍ସଡ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓ ଏୟାରଫାଇବରର ଭୂମିକା ମଧ୍ୟ କ୍ରମାଗତ ଭାବେ ବଢ଼ୁଛି। ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧ କୋଟି ୫୧ ଲକ୍ଷରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ଜିଓର ଫିକ୍ସଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟାରେ ହୋଇଥିବା ମୋଟ ନେଟ୍ ବୃଦ୍ଧିରେ ଏୟାରଫାଇବରର ଯୋଗଦାନ ୭୫ ପ୍ରତିଶତରୁ ଅଧିକ ରହିଛି। ଏହି ସମୟ ମଧ୍ୟରେ ଜିଓର ମୋଟ ଗ୍ରାହକ ସଂଖ୍ୟାରେ ୩ କୋଟି ୬୦ ଲକ୍ଷ ନେଟ୍ ବୃଦ୍ଧି ହୋଇଥିବା ବେଳେ କେବଳ ସେପ୍ଟେମ୍ବର ତ୍ରୈମାସିକରେ ୯୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି।
ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ଡିଜିଟାଲ୍ ସେବାର ସମ୍ପ୍ରସାରଣ କମ୍ପାନୀର ଆର୍ଥିକ ପ୍ରଦର୍ଶନରେ ମଧ୍ୟ ପ୍ରତିଫଳିତ ହୋଇଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ୧୧.୩ ପ୍ରତିଶତ ବୃଦ୍ଧି ପାଇ ୪୭,୪୮୫ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୧୬.୬ ପ୍ରତିଶତ ବୃଦ୍ଧି ପାଇ ୨୧,୮୭୯ କୋଟି ଟଙ୍କାରେ ପହଞ୍ଚିଛି। ପ୍ରତି ଗ୍ରାହକ ପିଛା ହାରାହାରି ମାସିକ ଆୟ (ARPU) ମଧ୍ୟ ବୃଦ୍ଧି ପାଇ ୨୧୮.୮ ଟଙ୍କା ହୋଇଛି।
ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ଜିଓ ପ୍ଲାଟଫର୍ମସର ସେୟାର ବଜାରରେ ଚମତ୍କାର ଲିଷ୍ଟିଂ ହୋଇଥିଲା। କମ୍ପାନୀର ୩୦,୧୮୮ କୋଟି ଟଙ୍କାର ଆଇପିଓ ଭାରତୀୟ ଇତିହାସର ସବୁଠାରୁ ବଡ଼ ଆଇପିଓ ହୋଇଥିବା ବେଳେ ଏହା ୨୨ ଗୁଣରୁ ଅଧିକ ସବସ୍କ୍ରାଇବ ହୋଇଥିଲା। ଲିଷ୍ଟିଂ ପରେ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଜିଓ ପ୍ଲାଟଫର୍ମସ ଦେଶର ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ ତାଲିକାଭୁକ୍ତ କମ୍ପାନୀର ମାନ୍ୟତା ହାସଲ କରିଛି।
