ନୂଆଦିଲ୍ଲୀ: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱ ପାଣିପାଗ ସଂଗଠନ (WMO) ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରୁ ‘ଏଲ୍ ନିନୋ’ (El Nino)ର ପ୍ରଭାବ ଆହୁରି ସକ୍ରିୟ ଏବଂ ତୀବ୍ର ହେବାକୁ ଯାଉଛି। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହେବା ସହ ସାରା ବିଶ୍ବର ପାଣିପାଗକୁ ବିଗାଡ଼ିପାରେ।
ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ଓ ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ ୨.୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ସହ ଭାରତୀୟ ମହାସାଗରରେ ‘ପଜିଟିଭ୍ ଇଣ୍ଡିଆନ୍ ଓସନ୍ ଡାଇପୋଲ୍’ ସୃଷ୍ଟି ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି।
ସୂଚନାଥାଉକି, ଏଲ୍ ନିନୋ ପ୍ରଭାବରେ ସାଧାରଣତଃ ଭାରତରେ ମୌସୁମୀ ବର୍ଷା କମ୍ ହୋଇଥାଏ, ଯାହାକି କୃଷି ଓ ଜଳସମ୍ପଦ ପାଇଁ ଚିନ୍ତାର କାରଣ ହୋଇପାରେ। ତେଣୁ ଏହା ଯୋଗୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ବନ୍ୟା ଏବଂ ଜଙ୍ଗଲ ନିଆଁ (Wildfires) ପରି ସଂକଟ ବୃଦ୍ଧି ପାଇପାରେ।
Also Read: ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା
ଜାତିସଂଘ ସଚିବଙ୍କ ସତର୍କବାଣୀ
ଜାତିସଂଘ ସଚିବ-ଜେନେରାଲ୍ ଏଣ୍ଟୋନିଓ ଗୁଟେରସ ଏହି ସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, “ଏଲ୍ ନିନୋ ବର୍ତ୍ତମାନ କେବଳ ଦ୍ୱାରଦେଶରେ ନାହିଁ ବରଂ ଘର ଭିତରକୁ ପ୍ରବେଶ କରିସାରିଛି ଏବଂ ତାପମାତ୍ରା ବୃଦ୍ଧି କରୁଛି।”
ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଜୀବାଶ୍ମ ଇନ୍ଧନ (କୋଇଲା, ତେଲ ଓ ଗ୍ୟାସ୍)ର ବ୍ୟବହାର ଏହି ସଂକଟକୁ ଆହୁରି ଭୟଙ୍କର କରୁଛି। ଜଳବାୟୁ ପରିବର୍ତ୍ତନର ମୂଳ କାରଣକୁ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଏହି ବିପଦ ଆହୁରି ମାରାତ୍ମକ ରୂପ ନେବ।
