Voice of Eastern India

‘ଅନ୍ୟ ପୁରୁଷ ସହ ଚାଲିଗଲା ସ୍ତ୍ରୀ’: ଦୁଇ ପିଲାଙ୍କୁ କରେଣ୍ଟ ଦେଇ ମାରିବା ପରେ ବାପା କଲେ ଆତ୍ମହତ୍ୟା


ଚେନ୍ନାଇ: ତାମିଲନାଡୁର ତୁତିକୋରିନ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦ ଓ ମାନସିକ ଚାପର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ନିଜର ଦୁଇ ସନ୍ତାନଙ୍କୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ତୁତିକୋରିନ ଜିଲ୍ଲାର ପୁଦୁକୋଟ୍ଟାଇ ନିକଟସ୍ଥ ସାଭେରିୟାରପୁରମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ୪୦ ବର୍ଷୀୟ ଟ୍ରକ ଚାଳକ ମେରି ମାଇକେଲ, ତାଙ୍କର ୧୪ ବର୍ଷର ଝିଅ ମେରି ନିରୋଶା ଏବଂ ୧୨ ବର୍ଷର ପୁଅ ମେରି କେନିଷ୍ଟନ ।

ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୬ ମାସ ପୂର୍ବରୁ ମାଇକେଲଙ୍କ ପତ୍ନୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଚାଲିଯାଇଥିଲେ । ଏହାପରେ ମାଇକେଲ ଡିପ୍ରେସନକୁ ଚାଲିଯାଇଥିଲେ । ଠିକ୍ ଭାବେ ଟ୍ରକ ଚଳାଇବାକୁ ମଧ୍ୟ ଯାଉ ନ ଥିଲେ ।  ଗତ ଶୁକ୍ରବାର ମାଇକେଲ ପିଲାମାନଙ୍କ ପାଇଁ ଖାଦ୍ୟ ଦେଇ ଶୋଇବାକୁ କହିଥିଲେ । ପିଲାମାନେ ଶୋଇବା ପରେ ସେ ସେମାନଙ୍କ ଦେହରେ ବିଦ୍ୟୁତ୍ ତାର ବାନ୍ଧି କରେଣ୍ଟ ସଂଯୋଗ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେହି ତାରକୁ ଧରି ନିଜେ ଆତ୍ମହତ୍ୟା କରିଥିଲେ ।

ଘର ବାହାରେ ମାଇକେଲଙ୍କ ୭୫ ବର୍ଷୀୟ ବୃଦ୍ଧ ପିତା ଆନ୍ଥୋନୀ ମୁଥୁ ଶୋଇଥିଲେ । ଶନିବାର ଖରାବେଳ ପର୍ଯ୍ୟନ୍ତ ଘରର କବାଟ ଭିତରୁ ବନ୍ଦ ରହିବାରୁ ସେ ସନ୍ଦେହ କରି ପଡ଼ୋଶୀମାନଙ୍କୁ ଜଣାଇଥିଲେ । ପରେ ସ୍ଥାନୀୟ ଲୋକେ ପୁଦୁକୋଟ୍ଟାଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତିନିଜଣଙ୍କ ମୃତଦେହ ଖଟ ଉପରୁ ଉଦ୍ଧାର କରିଥିଲା । ସମସ୍ତଙ୍କ ଦେହରେ ବିଦ୍ୟୁତି ତାର ଲାଗି ରହିଥିଲା । ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ତୁତିକୋରିନ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। ଏହି ମାମଲାରେ ପୁଦୁକୋଟ୍ଟାଇ ପୋଲିସ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

 

Source link



Source link

Leave A Reply

Your email address will not be published.