Voice of Eastern India

ଉପକୂଳ ମୁହାଁ ଗଭୀର ଅବପାତ: କାଲି ସକାଳ ସୁଦ୍ଧା ଛୁଇଁବ ସ୍ଥଳଭାଗ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ସୃଷ୍ଟ ଗଭୀର ଅବପାତ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୭ କିଲୋମିଟର ଧୀର ବେଗରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗରେ ଗତି କରୁଛି। ଆସନ୍ତାକାଲି ଜୁଲାଇ ୨୮ ଭୋର କିମ୍ବା ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗର ଦିଘା ପୂର୍ବ ଏବଂ ହଳଦିଆର ପଶ୍ଚିମ ମଧ୍ୟବର୍ତ୍ତୀ ସ୍ଥଳଭାଗ ଦେଇ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

ପାଣିପାଗ ବିଭାଗର ସ୍ୱତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହି ଗଭୀର ଅବପାତଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଦିଘାଠାରୁ ମାତ୍ର ୨୦ କିଲୋମିଟର ପୂର୍ବରେ, କୋଣ୍ଟାଇଠାରୁ ୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ, ସାଗର ଦ୍ୱୀପଠାରୁ ୪୦ କିଲୋମିଟର ପଶ୍ଚିମ, ହଳଦିଆଠାରୁ ୬୦ କିଲୋମିଟର ଦକ୍ଷିଣ-ପଶ୍ଚିମ, ବାଲେଶ୍ୱରଠାରୁ ୮୦ କିଲୋମିଟର ପୂର୍ବ ଏବଂ କ୍ୟାନିଂଠାରୁ ୧୨୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦୂରତାରେ ରହିଛି।

Also Read: ​​​​​​​ନୀଳାଦ୍ରିବିଜେ ପରେ କାଲି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ

ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଅଧିକ ରହିବାକୁ ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ଚେତାବନୀ ଜାରି କରାଯାଇଛି।

 

Source link



Source link

Leave A Reply

Your email address will not be published.