Voice of Eastern India

କଣ୍ଟ୍ରୋଲ୍ ରୁମ୍‌ରୁ ରଖାଯିବ କଡ଼ା ନଜର, ଗୁଣ୍ଡିଚା ମନ୍ଦିରରେ ହେବ ଓ୍ବାନ୍ ଓ୍ବେ ଧାଡ଼ି ବ୍ୟବସ୍ଥା


ପୁରୀ ୧୯।୬: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଅଘଟଣ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ରଥଯାତ୍ରା ୨୦୨୬କୁ ଅଘଟଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବିଶେଷ କରି ପୁରୀ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ତେବେ ଚଳିତବର୍ଷ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛି ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଏବଂ ପ୍ରତ୍ୟେକ ଗଳିରେ ଲଗାଯାଇଛି ଅତ୍ୟାଧୁନିକ ଏଆଇ କ୍ୟାମେରା। ଟାଉନ ଥାନା ଏବଂ ଜେବିପିସି ଠାରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇ ଏଆଇ କ୍ୟାମେରା ଦ୍ବାରା ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ସହିତ ପୁରୀ ସହର ଉପରେ କଡ଼ା ନଜର ରଖାଯିବ। ଯେଉଁ ଅଞ୍ଚଳରେ ଅତ୍ୟଧିକ ଭିଡ଼ ସୃଷ୍ଟି ହେବ ଏହାକୁ ନିୟନ୍ତ୍ରଣ କରିବା ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯିବ।

ସେପଟେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶୃଙ୍ଖଳିତ ଦର୍ଶନ ପାଇଁ ଓ୍ବାନ୍ ଓ୍ବେ ଧାଡ଼ି ବ୍ୟବସ୍ଥା ହେବ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ମଧ୍ୟ ଓ୍ବାନ ଓ୍ବେ କରାଯିବ। କିଛି ଅଞ୍ଚଳ କେବଳ ପାଦରେ ଚାଲିକି ଯିବା ପାଇଁ ବ୍ୟବସ୍ଥା ରହିବ। ଏଠାରେ କୌଣସି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଉତ୍ତରା ଛକରୁ ପୁରୀ ସହର ପର୍ଯ୍ୟନ୍ତ ଥିବା ସମ୍ପୂର୍ଣ୍ଣ ଜାତୀୟ ରାଜପଥ ଏଆଇ କ୍ୟାମେରା ନଜରରେ ରହିବ। ପୂର୍ବବର୍ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟି ତିନିଜଣ ଭକ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ରଥଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ବରିଷ୍ଠ ଏବଂ ଅଭିଜ୍ଞ ୭ ଜଣ ଓଡ଼ିଆ ଆଇପିଏସ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ପୁରୀ ସହରରେ ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଯାଇ ଭକ୍ତଙ୍କୁ ୨୪ ଘଣ୍ଟିଆ ସମସ୍ତ ସୂଚନା ପ୍ରଦାନ କରାଯିବ। ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତୁତିକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ।

ଦେବସ୍ନାନ ପୂର୍ଣ୍ଣିମା ସହିତ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ କ୍ଲିନ୍। ଏହି ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ବିଭିନ୍ନ ସମୟରେ ପୋଲିସ ଅପରାଧୀମାନଙ୍କୁ ଗିରଫ କରି ଜେଲ୍ ପଠାଉଛି।‌ ଗତ ଏକମାସ ମଧ୍ୟରେ ୩ ଶହରୁ ଉର୍ଦ୍ଧ୍ବ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଛି। ତେବେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସମସ୍ତ ଅପରାଧୀଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ରଥଯାତ୍ରା ସମୟରେ ଅପରାଧୀ ମାନେ ବାହାରେ ରହିଲେ ବିଭିନ୍ନ ଅଘଟଣା ବା ଅପରାଧ ଘଟାଇବାର ଆଶଙ୍କା ଥିବାରୁ ଅପରାଧିମାନଙ୍କ ବିରୁଦ୍ଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହିଛନ୍ତି ପୁରୀ ଏସପି।

ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ରେ ସମାପନ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣୁ ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ​​​​​​​

Source link



Source link

Leave A Reply

Your email address will not be published.