Voice of Eastern India

କାବୁଲରେ ଏକ ସ୍କୁଲ ନିକଟରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ: ୫୦ରୁ ଅଧିକ ଶିଶୁ ଆହତ


ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବିଦ୍ୟାଳୟ ନିକଟରେ ହୋଇଥିବା ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣରେ ବହୁ ସଂଖ୍ୟାରେ ଶିଶୁ ଆହତ ହୋଇଛନ୍ତି। କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜାଦ୍ରାନ ଏହି ଘଟଣାର ସଂପର୍କରେ ସୂଚନା ଦେବା ସହ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି। ଆଫଗାନ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ପ୍ରାୟ ୫୦ ଜଣ ଶିଶୁ ଆହାତ ହୋଇଛନ୍ତି।

ଏହି ବିସ୍ଫୋରଣ କାବୁଲର ‘ଦାସତ-ଏ-ବାରଚି’ ଅଞ୍ଚଳରେ ଘଟିଛି, ଯେଉଁଠାରେ ମୁଖ୍ୟତଃ ‘ହଜାରା’ (Hazara) ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଆଫଗାନିସ୍ତାନ ଜନସଂଖ୍ୟାର ପ୍ରାୟ ୯% ଥିବା ହଜାରା ସମ୍ପ୍ରଦାୟର ଲୋକମାନେ ଶିଆ ମୁସଲିମ୍‌ ଅଟନ୍ତି। ସୁନ୍ନି ଚରମପନ୍ଥୀ ଗୋଷ୍ଠୀ (ଯେପରିକି ଆଇଏସ୍‌/IS) ଦ୍ୱାରା ଏମାନେ ବାରମ୍ବାର ହିଂସା ଓ ଆକ୍ରମଣର ଶିକାର ହୋଇଆସୁଛନ୍ତି।

ଜାତିସଂଘର ଆଫଗାନିସ୍ତାନ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ପ୍ରତିନିଧି ରିଚାର୍ଡ ବେନେଟ୍‌ ଏହି ଜଘନ୍ୟ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ଏକ୍ସ (X) ରେ ସେ ଲେଖିଛନ୍ତି ଯେ, ହଜାରା ପ୍ରଧାନ ଅଞ୍ଚଳକୁ ପୁଣିଥରେ ଟାର୍ଗେଟ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାର ଏକ ସ୍ୱାଧୀନ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରିବାକୁ ସେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମେ ୨୦୨୧ରେ ମଧ୍ୟ ଏହି ଦାସତ-ଏ-ବାରଚି ଅଞ୍ଚଳର ଏକ ସ୍କୁଲ ବାହାରେ ହୋଇଥିବା ବିସ୍ଫୋରଣରେ ବହୁ ସଂଖ୍ୟାରେ ହଜାରା ସମ୍ପ୍ରଦାୟର ଛାତ୍ରୀ ମୃତ୍ୟୁବରଣ କରିଥିଲେ।

Source link



Source link

Leave A Reply

Your email address will not be published.