Voice of Eastern India

ଖାଦ୍ୟ ସହ ଆମ ଶରୀରକୁ ଯାଉଛି କି ମାଇକ୍ରୋପ୍ଲାଷ୍ଟିକ୍? ସଂସଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ: ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ କ’ଣ ମିଶିଛି? ଆମେ ଜାଣି ନଥିବା ବେଳେ ଖାଦ୍ୟ ସହ ଆମ ଶରୀରକୁ ଯାଉଛି କି ମାଇକ୍ରୋପ୍ଲାଷ୍ଟିକ୍? ଏହି ପ୍ରଶ୍ନ ଏବେ ଚିନ୍ତା ବଢ଼ାଇଛି। ଖାଦ୍ୟରେ ମାଇକ୍ରୋ ଏବଂ ନାନୋ ପ୍ଲାଷ୍ଟିକ୍ ଉପସ୍ଥିତିକୁ ନେଇ ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଏହାର ପରୀକ୍ଷଣ ଓ ବୈଜ୍ଞାନିକ ଅଧ୍ୟୟନ ପାଇଁ FSSAI ଆରମ୍ଭ କରିଛି ସ୍ୱତନ୍ତ୍ର ପ୍ରକଳ୍ପ। ମାଇକ୍ରୋପ୍ଲାଷ୍ଟିକ୍ ଆମ ଶରୀର ପାଇଁ କେତେ ବିପଦଜନକ?

ପ୍ଲାଷ୍ଟିକ୍… ଆଜି ଆମ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ରହିଛି। ଖାଦ୍ୟ ପ୍ୟାକେଜିଂଠାରୁ ପାଣି ବୋତଲ ପର୍ଯ୍ୟନ୍ତ, ପ୍ଲାଷ୍ଟିକ୍ର ବ୍ୟବହାର ସାଧାରଣ ହୋଇଗଲାଣି। କିନ୍ତୁ ଏହି ପ୍ଲାଷ୍ଟିକ୍ର ଅତି ସୂକ୍ଷ୍ମ କଣିକା ଯଦି ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରେ, ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

କେନ୍ଦ୍ର ସରକାର ସଂସଦକୁ ଦେଇଥିବା ସୂଚନା ଅନୁସାରେ, ଖାଦ୍ୟ ଉତ୍ପାଦରେ ମାଇକ୍ରୋ ଏବଂ ନାନୋ ପ୍ଲାଷ୍ଟିକ୍ ପରୀକ୍ଷା ପାଇଁ FSSAI ଏକ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପରେ CSIR-IITR, ICAR-CIFT ଏବଂ BITS ପିଲାନି ସହଯୋଗ କରୁଛନ୍ତି। ଖାଦ୍ୟରେ ମାଇକ୍ରୋ ଓ ନାନୋ ପ୍ଲାଷ୍ଟିକ୍ର ଉପସ୍ଥିତି କିପରି ଚିହ୍ନଟ କରାଯିବ, ସେନେଇ ପରୀକ୍ଷଣ କୌଶଳ ବିକଶିତ କରାଯାଉଛି।

ବିଭିନ୍ନ ଖାଦ୍ୟ ସାମଗ୍ରୀରେ ମାଇକ୍ରୋପ୍ଲାଷ୍ଟିକ୍ କେତେ ପରିମାଣରେ ରହୁଛି ଏବଂ ଏହା ମଣିଷଙ୍କ ଶରୀରକୁ କେତେ ପରିମାଣରେ ପ୍ରବେଶ କରୁଛି, ତାହା ନେଇ ବୈଜ୍ଞାନିକ ଅଧ୍ୟୟନ କରାଯିବ। ତେବେ ଏଠି ବଡ଼ ପ୍ରଶ୍ନ—ଖାଦ୍ୟରେ ମାଇକ୍ରୋପ୍ଲାଷ୍ଟିକ୍ ଥିଲେ ଏହା କେତେ ବିପଦଜନକ?

ସରକାରଙ୍କ କହିବା ଅନୁସାରେ, ମଣିଷ ଶରୀରରେ ମାଇକ୍ରୋପ୍ଲାଷ୍ଟିକ୍ ଥିବା ନିଶ୍ଚିତ ହୋଇଥିଲେ ମଧ୍ୟ ଏହାର ସ୍ପଷ୍ଟ ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପ୍ରଭାବ ସମ୍ପର୍କରେ ଏବେବି ପର୍ଯ୍ୟାପ୍ତ ବୈଜ୍ଞାନିକ ତଥ୍ୟ ନାହିଁ। ଏହାର ବିଷାକ୍ତତା ଏବଂ ଦୀର୍ଘକାଳୀନ ପ୍ରଭାବ ନେଇ ଆହୁରି ଗବେଷଣାର ଆବଶ୍ୟକତା ରହିଛି।

ଖାଦ୍ୟରେ ମାଇକ୍ରୋପ୍ଲାଷ୍ଟିକ୍ ରହିଛି କି ନାହିଁ, ଏହାକୁ ନେଇ ଏବେ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଛି। ଭାରତରେ ମଧ୍ୟ ଏହାର ବୈଜ୍ଞାନିକ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ଏହାର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପ୍ରଭାବ ନେଇ ଏବେ ସୁଦ୍ଧା ସ୍ପଷ୍ଟ ବୈଜ୍ଞାନିକ ସହମତି ନାହିଁ। ତେଣୁ ଭୟଭୀତ ହେବା ଅପେକ୍ଷା, ଗବେଷଣାର ଫଳାଫଳକୁ ଅପେକ୍ଷା କରିବା ହିଁ ବୁଦ୍ଧିମାନର କାମ।

ଖାଦ୍ୟ ପ୍ୟାକେଜିଂକୁ ନେଇ ମଧ୍ୟ ରହିଛି ନିର୍ଦ୍ଦିଷ୍ଟ ନିୟମ। ଖାଦ୍ୟ-ଗ୍ରେଡ୍ ପ୍ୟାକେଜିଂ ମାନଦଣ୍ଡ ସହିତ BISର ଗୁଣବତ୍ତା ମାନଦଣ୍ଡ ପାଳନ ବାଧ୍ୟତାମୂଳକ। ତେବେ ଖାଦ୍ୟ ଉତ୍ପାଦରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ସରକାରୀ ଡାଟା ଉପଲବ୍ଧ ନାହିଁ।

ICMR ଅନୁଯାୟୀ, ଖାଦ୍ୟ ଶୃଙ୍ଖଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି ନେଇ ବିଭିନ୍ନ ଦିଗରେ ପର୍ଯ୍ୟାପ୍ତ ଗବେଷଣା ହୋଇନାହିଁ। ପ୍ଲାଷ୍ଟିକ୍ ପ୍ୟାକେଜିଂରୁ ଲିକ୍ ହେଉଥିବା ପଦାର୍ଥକୁ ଦୀର୍ଘ ସମୟ ଧରି ଗ୍ରହଣ କଲେ ତାହାର ବିପଦ କେତେ, ତାହା ଆକଳନ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। ମାଇକ୍ରୋପ୍ଲାଷ୍ଟିକ୍କୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତ ସରକାର ଏହାର ଉପସ୍ଥିତି ଓ ସମ୍ଭାବ୍ୟ ପ୍ରଭାବ ନେଇ ଅଧିକ ବୈଜ୍ଞାନିକ ତଥ୍ୟ ଯୋଗାଡ଼ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ନଜର ରହିଛି FSSAI ଏବଂ ସହଯୋଗୀ ସଂସ୍ଥାଗୁଡ଼ିକର ଅଧ୍ୟୟନ ରିପୋର୍ଟ ଉପରେ।

Source link



Source link

Leave A Reply

Your email address will not be published.