ନୂଆଦିଲ୍ଲୀ, ୨୮। ୦୭ : ଚିକିତ୍ସାରେ ଅବହେଳାର ଏକ ମାମଲା ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ହରିୟାଣା ପାନିପତର ଜିଟି ରୋଡ୍ ସ୍ଥିତ ପାର୍କ ହସ୍ପିଟାଲର। ପରିବାର ଦାବି କରିଛନ୍ତି, ସଡ଼କ ଦୁର୍ଘଟଣାରେ ଆହତ ମହିଳାଙ୍କୁ କେବଳ ଗୋଡ଼ ହାଡ଼ର ଚିକିତ୍ସା ଲାଗି ହସ୍ପିଗଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପର ଦିନ କୌଣସି ସୂଚନା ଓ ସହମତି ବିନା ତାଙ୍କ ହୃତପିଣ୍ଡ ଅପରେସନ୍ କରାଇ ଦିଆଗଲା।
ମହିଳାଙ୍କ ହୃତପିଣ୍ଡରେ ଷ୍ଟେଣ୍ଟ ଲଗାଇବା ସହିତ ସହମତି ପତ୍ରରେ ନକଲି ହସ୍ତାକ୍ଷର କରାଯାଇଥିଲା। ଚିକିତ୍ସା ସମୟରେ ମହିଳାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।
ଅଭିଯୋଗକର୍ଭା କୁଲଦୀପ କହିଛନ୍ତି, ଗତ ୨୪ ତାରିଖ ତାଙ୍କ ପତ୍ନୀ ଗୁଡୀ ଦେବୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଘଟଣାରେ ତାଙ୍କର ଗୋଡ଼ ହାଡ଼ ଭାଙ୍ଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ପାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋଡ଼ର ଚିକିତ୍ସା ପରେ ପୀଡ଼ିତା ଖୁବ୍ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର ପ୍ରତିଶ୍ରୁତି ଦେଇଥିଲେ।
Also Read :- ପାକିସ୍ତାନ ହାତରୁ ଖସିଗଲା PoK ! ଆନ୍ଦୋଳନ ଜୋରଦାର, ନିର୍ବାଚନ ବନ୍ଦ
କିନ୍ତୁ ୨୫ ତାରିଖ ଦିନ ଡାକ୍ତର ପରିବାରକୁ ନ ଜଣାଇ ମହିଳାଙ୍କର ଆଞ୍ଜିଓପ୍ଲାଷ୍ଟି କରିଦେଲେ। ଅନାବଶ୍ୟକ ଚିକିତ୍ସା ପ୍ରକ୍ରିୟା ପରେ ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହେଲା। ମୃତ୍ୟୁ ପରେ ଏହି ପ୍ରକ୍ରିୟା ବିଷୟରେ ସେମାନେ ଜାଣିବାକୁ ପାଇଲେ। ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଯାଞ୍ଚ ଅଧିକାରୀ କହିଛନ୍ତି।
