Voice of Eastern India

ଜନ୍ମ ଦିନ ଉପହାରରେ ମୃତ୍ୟୁ ! ମଝି ରାସ୍ତାରେ ଶିକ୍ଷୟିତ୍ରୀ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ପୋଲିସ କନଷ୍ଟେବଳ ସ୍ୱାମୀ


ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସାଧାରଣ ପାରିବାରିକ କଳହ କେତେ ଭୟଙ୍କର ରୂପ ନେଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ । ମଝି ରାସ୍ତାରେ ସ୍ତ୍ରୀ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ, ଜଣେ ପୋଲିସ କନଷ୍ଟେବଳ ନିଜ ସର୍ଭିସ ପିସ୍ତଲରୁ ଗୁଳି କରି ନିଜ ସ୍ତ୍ରୀକୁ ହତ୍ୟା କରିଛନ୍ତି ।

ଘଟଣାଟି ରବିବାର ବିଳମ୍ବିତ ରାତିରେ ମହିଳାଙ୍କ ଜନ୍ମଦିନରେ ଘଟିଥିଲା । ହତ୍ୟା ପରେ, ପତ୍ନୀଙ୍କୁ ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ଛାଡି ପଳାଇ ଯାଇଥିଲା କନେଷ୍ଟବଳ ସ୍ୱାମୀ । ସେହି ବାଟ ଦେଇ ଯାଉଥିବା ଜଣେ ଜୋମାଟୋ ଡେଲିଭରି ବୟ ଆହତ ମହିଳାଙ୍କୁ ଏକ ଅଟୋରେ ଏଲବିଏସ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ହତ୍ୟା ଏବଂ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ମୃତ ମହିଳା ଜଣକ ହେଉଛନ୍ତି ୨୬ ବର୍ଷୀୟା ପ୍ରିୟଙ୍କା । ସେ ପେଶାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ । ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସର ଆଣ୍ଟି ଅଟୋ ଥେଫ୍ଟ ସ୍କ୍ୱାଡରେ କାର୍ଯ୍ୟରତ କନଷ୍ଟେବଳ ମନୀଷ କୁମାର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ଏକ ସ୍କୁଟରରେ ଯାଉଥିଲେ । କଲ୍ୟାଣପୁରୀ ଅଞ୍ଚଳରେ ଯାଉଥିବା ସମୟରେ ହଠାତ୍ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା ।

ଏହି ସମୟରେ ସ୍ୱାମୀ ମନୀଷ ନିଜ ସ୍କୁଟରଟିକୁ ରାସ୍ତା କଡ଼ରେ ରଖିଥିଲେ । ନିଜ ପାଖରେ ଥିବା ପିସ୍ତଲ ବାହାର କରି ପ୍ରିୟଙ୍କାଙ୍କୁ ଗୁଳି କରିଦେଇଥିଲେ । ଗୁଳି ବାଜିବା ମାତ୍ରେ ପ୍ରିୟଙ୍କା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ ଏବଂ ଅଭିଯୁକ୍ତ ମନୀଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଘଟଣାସ୍ଥଳର ଆଖପାଖରେ ଥିବା ସିସିଟିଭି କ୍ୟାମେରାରେ ଏହି ସମ୍ପୂର୍ଣ୍ଣ ଘଟଣା ଏବଂ ସେମାନଙ୍କ ଝଗଡ଼ାର ଦୃଶ୍ୟ କଏଦ ହୋଇଛି । ଏହାକୁ ଆଧାର କରି ପୋଲିସ ଯାଞ୍ଚ ଚଳାଇଛି । ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ତିକ୍ତତା ଲାଗି ରହିଥିଲା । ବର୍ତ୍ତମାନ ହତ୍ୟାକାରୀ ପୋଲିସ କନଷ୍ଟେବଳ ସ୍ୱାମୀ ମନୀଷ ଫେରାର ଥିବାବେଳେ ପୋଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Source link



Source link

Leave A Reply

Your email address will not be published.