ଚେନ୍ନାଇ: ତାମିଲନାଡୁରେ ନୂଆ ସରକାର ଗଠନ ହେଉ ହେଉ ପତନ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ରାଜ୍ୟ ଗୁଇନ୍ଦା ବିଭାଗ ଏକ ବଡ଼ ରାଜନୈତିକ ଚକ୍ରାନ୍ତର ପର୍ଦ୍ଦାଫାଶ କରିଛି । ଅଭିନେତାରୁ ନେତା ହୋଇଥିବା ଟିଭିକେ ମୁଖ୍ୟ ଥଲପତି ବିଜୟଙ୍କ ନୂଆ ସରକାରକୁ ଭାଙ୍ଗିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିବା ଦାବି ହେଉଛି । ଗୁଇନ୍ଦା ବିଭାଗ ଅନୁସାରେ, ଟିଭିକେର ୧୫ ଜଣ ବିଧାୟକ ଏକାସଙ୍ଗେ ଇସ୍ତଫା ପାଇଁ ଯୋଜନା କରାଯାଇଥିଲା ।
କେମିତି ସାମ୍ନାକୁ ଆସିଲା ଏହି ରହସ୍ୟ ?
ଉଥଙ୍ଗରଇରୁ ଟିଭିକେ ବିଧାୟକ ଏନ୍.ଇଲୈୟାରାଜା ଚେନ୍ନାଇ ପୋଲିସରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ବିଧାୟକଙ୍କ ଅଭିଯୋଗ ଅନୁସାରେ, ଆଇପିଡିଏସ୍ ନାମକ ଏକ କଂସଲଟେନ୍ସି ଫାର୍ମର ଜଣେ ବ୍ୟକ୍ତି ତାଙ୍କୁ ବିଧାନସଭା ବାଚସ୍ପତି ଜେ.ସି.ଡି. ପ୍ରଭାକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ୩୫ କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ । ଏହା ସହିତ ମୁହଁ ବନ୍ଦ ରଖିବାକୁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ଏହି ଖବର ଆସିବା ପରେ ତାମିଲନାଡୁ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।
ସେନ୍ଥିଲ ବାଲାଜୀ ଏବଂ ‘କରୁର ଗ୍ୟାଙ୍ଗ’ର ସଂପୃକ୍ତି
ଏହି ହାଇ-ପ୍ରୋଫାଇଲ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ସମ୍ପର୍କ ଡିଏମକେ ସରକାରର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସେନ୍ଥିଲ ବାଲାଜୀ ଏବଂ ତାଙ୍କ ଭାଇ ଅଶୋକଙ୍କ ସହ ଥିବା ଦାବି କରାଯାଉଛି । ଟିଭିକେ ବିଧାୟକଙ୍କ ଅଭିଯୋଗ ଆଧାରରେ ଚେନ୍ନାଇରୁ ଜଣେ ଏବଂ କରୁରରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସେନ୍ଥିଲ ବାଲାଜୀ ଓ ତାଙ୍କ ଭାଇଙ୍କର ଅତି ନିକଟତର ।
୫୦ କୋଟି ପର୍ଯ୍ୟନ୍ତ ଅଫର
ଟିଭିକେ ସରକାରର ମନ୍ତ୍ରୀ ସି.ଟି. ନିର୍ମଳ କୁମାର ଡିଏମକେ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ‘କରୁର ଗ୍ୟାଙ୍ଗ’ର ଲୋକେ ଏହି ଚକ୍ରାନ୍ତରେ ସାମିଲ ଅଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ଡିଏମକେ ନେତା ଏମ୍.କେ. ଷ୍ଟାଲିନ ଏବଂ ଉଦୟନିଧିଙ୍କ ନିର୍ଦ୍ଦେଶରେ ସେନ୍ଥିଲ ବାଲାଜୀ ବିଧାୟକମାନଙ୍କ ସହ ଯୋଗାଯୋଗ କରୁଛନ୍ତି । ସେମାନଙ୍କୁ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦିଆଯାଉଛି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଡିଏମକେ ଏବଂ ଏଆଇଏଡିଏମକେ ପ୍ରମୁଖ ପଲାନୀସ୍ୱାମୀ ମିଶି ବିଜୟଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।
ଗିରଫ କରିବାକୁ ଡିଏମକେର ଚ୍ୟାଲେଞ୍ଜ
ସେପଟେ ଡିଏମକେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି । ଡିଏମକେ ମୁଖପାତ୍ର ଏ.ସରଭନନ କହିଛନ୍ତି, ଟିଭିକେ ସରକାର କେବଳ ଜନସାଧାରଣଙ୍କ ନଜରରେ ଏକ ମିଛ କାହାଣୀ ଗଢ଼ିବାକୁ ଚେଷ୍ଟା କରୁଛି । ସେମାନଙ୍କ ପାଖରେ କୌଣସି ଦୃଢ଼ ପ୍ରମାଣ ନାହିଁ । ଯଦି ସେମାନଙ୍କ ପାଖରେ ପ୍ରମାଣ ଅଛି, ତେବେ ସେନ୍ଥିଲ ବାଲାଜୀଙ୍କୁ ଗିରଫ କରି ଦେଖାନ୍ତୁ ।
