Voice of Eastern India

ନର୍ମାଲ ଡେଲିଭରି ପାଇଁ YouTube ଭିଡିଓ ଦେଖି ପ୍ରସବ କଲେ ମହିଳା, ଚାଲିଗଲା ଜୀବନ !


ଚେନ୍ନାଇ: ବର୍ତ୍ତମାନ ସମୟରେ ଲୋକେ ନିଜର ସମସ୍ୟା ସଂପର୍କରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଅପେକ୍ଷା ଇଣ୍ଟରନେଟ୍‌ ଉପରେ ଭରସା କରୁଛନ୍ତି । ଇଣ୍ଟରନେଟରେ ମିଳୁଥିବା ସମାଧାନ ହିଁ ଏକମାତ୍ର ସତ୍ୟ ବୋଲି ଧରି ନେଉଛନ୍ତି । କିନ୍ତୁ ବେଳେ ବେଳେ ଏହି ଅଭ୍ୟାସ ଲୋକଙ୍କୁ ବିପଦରେ ପକାଉଥିବାର ନଜିର ରହିଛି । ସେମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଜାଣିଲେ ଯେ କେହି ବି ଆଶ୍ବର୍ଯ୍ୟ ହୋଇଯିବେ । ନର୍ମାଲ ଡେଲିଭରି ବା ସାଧାରଣ ପ୍ରସବ ପାଇଁ ୟୁଟ୍ୟୁବର ସାହାର ନେଇଥିବା ଜଣେ ମହିଳାଙ୍କ ଜୀବନ ଯାଇଛି । ଡାକ୍ତରଖାନାକୁ ନଯାଇ ଘରେ ପ୍ରସବ କରାଇବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପପଡ଼ିଛି । ଏହି ଘଟଣା ତାମିଲନାଡୁର ତିରୁପୁର ଜିଲ୍ଲାରେ ଘଟିଛି । 

ଜଣେ ୩୨ ବର୍ଷୀୟା ମହିଳା ଡାକ୍ତରଖାନା ଯିବା ବଦଳରେ ଘରେ “ପ୍ରାକୃତିକ ପ୍ରସବ” (Natural Childbirth) କରିବାକୁ ଚେଷ୍ଟା କରି ପ୍ରାଣ ହରାଇଛନ୍ତି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ମୃତ ମହିଳାଙ୍କ ନାମ ଶଶିକଳା ବୋଲି ଜଣାପଡ଼ିଛି। ସେ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଥିଲେ ମଧ୍ୟ ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁଁ  ସେ ଶେଷରେ ଆଖି ବୁଜିଛନ୍ତି। ଶଶିକଳାଙ୍କର ପ୍ରଥମ ପ୍ରସବ ସମୟରେ ସିଜରିଆନ୍ ହୋଇଥିଲା। ଏହା ପରଠାରୁ ଏଲୋପାଥିକ୍ ଚିକିତ୍ସା ପଦ୍ଧତି ପ୍ରତି ତାଙ୍କର ଏକ ପ୍ରକାର ଅନିଚ୍ଛା ଭାବ ଆସିଯାଇଥିଲା ।

ପୋଲିସ ସନ୍ଦେହ କରୁଛି ଯେ, ପରିବାର ଲୋକେ ପୁଣିଥରେ ସିଜରିଆନ୍ ଅପରେସନକୁ ଏଡ଼ାଇବାକୁ ଚାହୁଁଥିଲେ। ସେଥିପାଇଁ ୟୁଟ୍ୟୁବରେ ଉପଲବ୍ଧ ସୂଚନା ଏବଂ ଭିଡିଓକୁ ଅନୁସରଣ କରି ସେମାନେ ଘରେ ହିଁ ପ୍ରାକୃତିକ ଉପାୟରେ ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଲୋକେ ପ୍ରାକୃତିକ ଉପାୟରେ ଶିଶୁ ଜନ୍ମ କରାଇବା ଜିଦରେ ସରକାରୀ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ କୌଣସି ଯୋଗାଯୋଗ ରଖିନଥିଲେ କି ସମୟାନୁସାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇନଥିଲେ।

ଶିଶୁ ଜନ୍ମ ହେବା ପରେ ଶଶିକଳାଙ୍କ ଶରୀରରେ ପ୍ଲାସେଣ୍ଟା ସହ ଜଡ଼ିତ କିଛି ଗୁରୁତର ସମସ୍ୟା ଦେଖାଦେଇଥିଲା ଏବଂ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ତାଙ୍କ ଅବସ୍ଥା ବିଗିଡ଼ିବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ପେରୁନ୍ଦୁରାଇ ସ୍ଥିତ ସରକାରୀ ଇରୋଡ୍ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ସ୍ୱାମୀଙ୍କ ବିରୋଧରେ ମାମଲା 

ଏହି ଘଟଣାରେ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ମୃତ ମହିଳାଙ୍କ ସ୍ୱାମୀ କୋଲାନ୍ଥାଇସାମୀଙ୍କ ବିରୋଧରେ ପୋଲିସ ହତ୍ୟା ଭଳି ଅପରାଧ ମାମଲା ରୁଜୁ କରିଛି। ଏହା ସହିତ ‘ଜାତୀୟ ମେଡିକାଲ କମିଶନ’ ଅଧିନିୟମ ୨୦୧୯ ର ବିଭିନ୍ନ ଧାରା ମଧ୍ୟ ଲଗାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। ପ୍ରସବ ସମୟରେ ସେଠାରେ କୌଣସି ଅନଧିକୃତ କିମ୍ବା ଅଣ-ପ୍ରଶିକ୍ଷିତ ବ୍ୟକ୍ତି ସହାୟତା କରୁଥିଲେ କି ନାହିଁ ଏବଂ ଇଣ୍ଟରନେଟ୍‌ର ଅଣ-ପ୍ରମାଣିତ ଡାକ୍ତରୀ ପରାମର୍ଶର ଭୂମିକା କେତେ ଥିଲା, ସେ ନେଇ ପୋଲିସ ଯାଞ୍ଚ କରୁଛି।

ସ୍ୱାସ୍ଥ୍ୟ ବିଭାଗର ଅନୁସନ୍ଧାନ: ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଘଟଣାର ଏକ ସମାନ୍ତରାଳ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଗର୍ଭଧାରଣ ସମୟର ଜରୁରୀକାଳୀନ ଯାଞ୍ଚ (Antenatal check-ups) କୁ କାହିଁକି ଏଡ଼ାଇଗଲେ ଏବଂ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶକୁ କାହିଁକି ଅବହେଳା କଲେ, ତାର ସତ୍ୟାସତ୍ୟ ଖୋଜାଯାଉଛି।

 

Source link



Source link

Leave A Reply

Your email address will not be published.