Voice of Eastern India

ପୂଜା ଖୁସି ଉପରେ ଦରବୃଦ୍ଧିର ଛାଟ, ସାଧାରଣ ଖାଉଟିଙ୍କୁ କରୁଛି ଅତିଷ୍ଠ


ଭୁବନେଶ୍ୱର: ପାର୍ବଣ ଋତୁରେ ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼ । ଏହି ପୂଜା ଘଡ଼ିରେ ସାଧାରଣ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି ହଠାତ୍ ଦରବୃଦ୍ଧି । ଖାଦ୍ୟ ସାମଗ୍ରୀର ଚଢ଼ା ଦର ସାଧାରଣ ଖାଉଟିଙ୍କୁ ଅତିଷ୍ଠ କରି ଦେଇଛି । ଏକାଥରକେ ଚିନି, ହରଡ଼ ଡାଲି, ବୁଟ ଡାଲି ଦର ବୃଦ୍ଧି ପାଇବା ପରେ ଏବେ ହାଣ୍ଡିଶାଳର ବଜେଟ୍ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

ପାର୍ବଣରେ ମହଙ୍ଗା ମାଡ଼ ! ପୂଜାର ଖୁସି ଉପରେ ଦରବୃଦ୍ଧିର ଛାଟ । ଚିନ୍ତାରେ ଖାଉଟି । ପାର୍ବଣ ଆସିଲେ ଘରେ ଘରେ ଜମେ ମିଠା, ପିଠା ଓ ସୁସ୍ବାଦୁ ଖାଦ୍ୟର ଆସର । ହେଲେ ଏଥର ପୂଜାରେ ଦରବୃଦ୍ଧି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଚିନିଠାରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ, ସବୁଠି ଦରର ଉପରମୁହାଁ ଗତି । ଫଳରେ ବଜାରକୁ ଗଲେ ଗ୍ରାହକଙ୍କ ପକେଟ୍ ଉପରେ ପଡ଼ୁଛି ଅଧିକ ବୋଝ । କାରଣ ଚିନିର କୁଇଣ୍ଟାଲ ପିଛା ଦରରେ ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ରୁ ୫୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଖୁଚୁରା ବଜାରରେ ଚିନି କିଲୋ ୬୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଖାଲି ଚିନି ନୁହେଁ, ଡାଲି ଦର ବି ନିଆଁ ଲଗାଇଲାଣି । ହରଡ଼ ଡାଲି କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କା ବଢ଼ି ଫଳରେ ଡାଲି କେଜି ପ୍ରତି ଦର ୧୧୦ ଟଙ୍କାରୁ ୧୬୦ ଟଙ୍କାରେ ପହଞ୍ଚିଛି । ସେହିଭଳି ବୁଟ ଡାଲି ଦର ମଧ୍ୟ କୁଇଣ୍ଟାଲ ପିଛା ୬୦୦ରୁ ୭୦୦ ଟଙ୍କା ବୃଦ୍ଧି ପାଇଛି । ଯାହାର କେଜି ପିଛା ମାର୍କେଟ ଦାମ୍ ପୂର୍ବରୁ ୮୦ ଥିବା ବେଳେ ବର୍ତ୍ତମାନ ୯୦ରେ ପହଞ୍ଚିଛି । ଯାହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ବଡ଼ କଥା ହେଲା ରାଜ୍ୟରେ ଚିନି ଓ ଡାଲିର ଉତ୍ପାଦନ ପରିମାଣ ବହୁତ କମ । ରାଜ୍ୟରେ ବାର୍ଷିକ ୯ ଲକ୍ଷ ଟନ୍ ଚିନି ଦରକାର ପଡ଼ୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୯୮ ପ୍ରତିଶତ ଚିନି ଆସୁଛି । ଗଲା ୬ ମାସ ହେବ ଚିନି ଦର ଖାଉଟିଙ୍କ ସହ ଲୁଚକାଳି ଖେଳୁଛି । ସେହିପରି ବାର୍ଷିକ ୯ ଲକ୍ଷ ୩୦ ହଜାର ଟନ୍ ଡାଲି ଆବଶ୍ୟକତା ପୂରଣ ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ ଲକ୍ଷ ଟନ୍ ହରଡ଼ ଡାଲି ଆସୁଛି । ବାକି ରାଜ୍ୟରେ ଚାଷ ହେଉଥିବା ମୁଗ, ବିରି ଓ କୋଳଥ ଲୋକଙ୍କ ଚାହିଦା ମେଣ୍ଟାଉଛି । ଯେଉଁଥିପାଇଁ ରାଜ୍ୟରେ ଏମିତି ଅହେତୁକ ଦର ବୃଦ୍ଧି ଘଟୁଛି । ଆଉ ଯାହାକୁ ନେଇ ହନ୍ତସନ୍ତ ଗ୍ରାହକ ଓ ବ୍ୟବସାୟୀ । ଗୋଟିଏ ପଟେ ପାର୍ବଣର ଅତିରିକ୍ତ ଖର୍ଚ୍ଚ, ଅନ୍ୟପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିରେ ସନ୍ତୁଳି ହେଉଛନ୍ତି ଗ୍ରାହକ ।

 

Source link



Source link

Leave A Reply

Your email address will not be published.