ଭୁବନ: ନଦୀରେ ଭାସି ଆସୁଥିବା ଜାଳେଣୀ କାଠ ଆଣିବାକୁ ଯାଇ ଫସିଲେ ଯୁବକ। ଭରା ନଈରେ ପାଣି ମଝିରେ ଫସି ହେଲେ ନୟନ୍ତା। ମଙ୍ଗଳବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ। ଅବଶ୍ୟ ଦମକଳ ବାହିନୀ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁସାରେ, ଗ୍ରାମର ଦୁଇ ସାଙ୍ଗ ମିଥୁନ ମଲ୍ଲିକ (୩୮) ଏବଂ କାଳନ୍ଦୀ ଦାସ (୩୮) ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଭାସି ଆସୁଥିବା ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ, ହଠାତ ନଦୀରେ ପାଣି ବଢ଼ିଯାଇଥିଲା। ମିଥୁନ ସାହସ କରି ନଦୀ ପହଁରି କୂଳକୁ ଫେରି ଆସିଥିବା ବେଳେ, କାଳନ୍ଦୀ କିନ୍ତୁ ବଢ଼ିପାଣି ଦେଖି ଭୟରେ କୁଳକୁ ଆସି ପାରିନଥିଲେ ଏବଂ ନଦୀ ମଝିରେ ଥିବା ଗୋଟିଏ ଉଚ୍ଚ ସ୍ଥାନରେ ରହିଯାଇଥିଲେ । ଏପଟେ ମିଥୁନ ଏନେଇ ଗ୍ରାମବାସୀ ଓ ପରେ ଭୁବନ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଭୁବନ ଦମକଳ ବାହିନୀ ପହଞ୍ଚି କାଳନ୍ଦୀଙ୍କୁ ନଦୀ ମଝିରୁ ଉଦ୍ଧାର କରିଥିଲେ।
Also Read: ମାଛ ଧରିବାକୁ ଯାଇଥିଲେ, ମଝି ଚିଲିକାରୁ ଅପହରଣ !
ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ନଦୀରେ ବନ୍ୟା ସ୍ଥିତି ରହିଥିବା ବେଳେ, ନଦୀକୁ ଯିବାକୁ ପ୍ରଶାସନ ତରଫରୁ ବାରଣ କରାଯାଉଛି । ଏମିତିରେ ଏହି ଦୁଇ ସାଙ୍ଗ କିପରି ନଦୀ ମଝିକୁ ଗଲେ ଏବଂ ସଠିକ ସମୟରେ ଦମକଳ ବାହିନୀ ପହଞ୍ଚିବାରୁ କଳନ୍ଦୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
