ପାରାଦୀପ : ବୋଲବମ୍ ପାଇଁ ପାଣି ଉଠାଇବା ବେଳେ ମହାନଦୀରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା । ପୁଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି ବାପା । ମୃତ ବ୍ୟକ୍ତିଜଣକ ନିମିଢିହି ଗ୍ରାମର ଇଶ୍ୱର ବାରିକ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ଛୋଟ ପୁଅକୁ ସାଙ୍ଗରେ ଧରି ଭୂତୁମୁଣ୍ଡାଇ ପୋଲ ତଳ ମହାନଦୀକୁ ବୋଲବମ୍ ପାଣି ଉଠାଇବା ପାଇଁ ଆସିଥିଲେ । ପାଣି ଆଣି ପୂଜାର୍ଚ୍ଚନା କରିବା ସମୟରେ ପାଣି ଗଡ଼ୁଟି ନଦୀ ସ୍ରୋତରେ ଭାସିଯାଇଥିଲା । ଗଡ଼ୁଟିକୁ ଆଣିବା ପାଇଁ ଯାଇ ପୁଅ ନଦୀ ଗଣ୍ଡକୁ ଚାଲିଯିବା ସହ ଭାସିଯାଇଥିଲେ ।
ପୁଅକୁ ବୁଡ଼ିଯାଉଥିବା ଦେଖି ବାପା ଇଶ୍ୱର ନଦୀକୁ ଡେଇଁପଡ଼ିଥିଲେ । ସେ ନିଜ ଜୀବନକୁ ବାଜି ଲଗାଇ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଥିଲେ ମଧ୍ୟ, ନିଜେ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇ ବୁଡ଼ିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ବହୁ ଖୋଜାଖୋଜି ପରେ ଇଶ୍ୱରଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ପୁଅକୁ କୁଜଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ପାଣି ଉଠାଇବା ପାଇଁ କରାଯାଇଥିବା ଘାଟ ବଦଳରେ ସେମାନେ ଅନ୍ୟ ସ୍ଥାନରୁ ପାଣି ଉଠାଉଥିବା ତହସିଲଦାର କହିଛନ୍ତି ।
