Voice of Eastern India

ମଝି ଆକାଶରେ ଇଣ୍ଡିଗୋ ବିମାନ ଉପରେ ବଜ୍ରପାତ, ଅଗ୍ର ଭାଗ କ୍ଷତିଗ୍ରସ୍ତ, ଯାତ୍ରା କରୁଥିଲେ ୧୭୦ ଯାତ୍ରୀ


ଲକ୍ଷ୍ନୌ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଉଡ଼ାଣ ସମୟରେ ବିମାନ ଉପରେ ବଜ୍ରପାତ ହୋଇଥିବା ଦାବି କରାଯାଉଛି । ଫଳରେ ବମାନକୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଲ୍ୟାଣ୍ଡିଂ ପରେ ବିମାନର ଅଗ୍ର ଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ବୁଧବାର ସନ୍ଧ୍ୟାରେ ପାଟନାରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ‘ନୋଜ୍’ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଇଣ୍ଡିଗୋ ପକ୍ଷରୁ ଏନେଇ ଡିଜିସିଏକୁ ସୂଚନା ଦିଆଯିବା ସହ ବିମାନକୁ ଗ୍ରାଉଣ୍ଡ କରି ଦିଆଯାଇଥିଲା । ବିମାନର ଆଗ ପଟ କ୍ଷତିଗ୍ରସ୍ତ ହେବା ପଛରେ ବିଜୁଳି ମାରିଥିବା ଆଶଙ୍କା କରାଯାଇଛି । ତେବେ ଏପରି ହେବାର ସମ୍ଭାବନା ଅତି କମ୍ ରହିଛି ବୋଲି କୁହାଯାଉଛି । ସମସ୍ତ ଦିଗକୁ ନେଇ ଯାଞ୍ଚ ଚାଲିଛି ।

ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପାଟନାରୁ ଲକ୍ଷ୍ନୌ ଆସିବା ପରେ ଏହି ବିମାନଟି ଅହମ୍ମଦାବାଦ ପାଇଁ ଉଡ଼ାଣ ଭରିବାର ଥିଲା । ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଫ୍ଲାଇଟ୍ ବାତିଲ ହେବା ନେଇ ସୂଚନା ଦେବା ସହ ଅନ୍ୟ ବିମାନରେ ଯିବା କିମ୍ବା ଟଙ୍କା ଫେରସ୍ତର ବିକଳ୍ପ ଦେଇଥିଲା ।

ସୂତ୍ର ଅନୁସାରେ, ଇଣ୍ଡିଗୋର ଉଡ଼ାଣ (6E-925) ପାଟନାରୁ ଲକ୍ଷ୍ନୌ ଅଭିମୁଖେ ବାହାରିଥିଲା । ପ୍ରାଥମିକ ସୂଚନା ଅନୁସାରେ, ଅବତରଣ ସମୟରେ ପ୍ରାୟ ୧୭,୦୦୦ ଫୁଟ ଉଚ୍ଚତାରେ ବାଦଲ ଭିତରେ କିଛି ଘଟିଥିଲା ବୋଲି ପାଇଲଟ୍ ଏଟିସିକୁ ଜଣାଇଥିଲେ । ବୋଧହୁଏ ବିଜୁଳି ମାରିଥିଲା । ଓହ୍ଲାଇବା ପରେ ବିମାନର ଯାଞ୍ଚ କରାଯିବାରୁ ତାହାର ଆଗ ପଟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ନୌରେ ଓହ୍ଲାଇବା ପରେ ବୈଷୟିକ ଟିମ୍ ବିମାନର ଯାଞ୍ଚ ଆରମ୍ଭ କରିଥିଲେ । ବିମାନର ଅନ୍ୟ କୌଣସି ଅଂଶ ଉପରେ ଏହାର ପ୍ରଭାବ ପଡ଼ିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା ।

ଆଭିଏସନ୍ ବିଶେଷଜ୍ଞଙ୍କ ବୟାନକୁ ନେଇ ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବାଦଳ ଭିତରେ ବଡ଼ ବଡ଼ କୁଆପଥର ବି ରହିଥାଏ । ଏହାସହ ଧକ୍କା ହେବା ଦ୍ୱାରା ମଧ୍ୟ ବିମାନ କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି । ଏହା ବ୍ୟତୀତ କୌଣସି ପକ୍ଷୀ ସହିତ ମଧ୍ୟ ଧକ୍କା ହୋଇପାରେ । ବଜ୍ରପାତ ନେଇ ଯେଉଁ ଆଶଂକା ପ୍ରକାଶ କରାଯାଉଛି, ତାର ସମ୍ଭାବନା କମ । ବର୍ତ୍ତମାନ ପାଇଲଟଙ୍କ ରିପୋର୍ଟକୁ ଗୋପନୀୟ ରଖାଯାଇଛି ।

Source link



Source link

Leave A Reply

Your email address will not be published.