ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ARIଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି କାଶୀପୁରରେ କାର୍ଯ୍ୟରତ ଏ.ଆର.ଆଇ. ମହେନ୍ଦ୍ର ମାଝୀ। କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ସୋରିଷପଦର ଛକରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ଅନୁସାରେ, ମହେନ୍ଦ୍ର ନିଜ ଶ୍ୱଶୁର ଘର କୁଚେଇପଦରରୁ ଶାଳୀ ଓ ଭାଣିଜୀଙ୍କୁ ନେଇ ଫେରୁଥିବା ବେଳେ, ସୋରିଷପଦର ଛକଠାରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଏଥିରେ ମହେନ୍ଦ୍ରଙ୍କ ସମେତ ୪ ଜଣ ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିବାବେଳେ ଶୁକ୍ରି ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ମଧ୍ୟ ଚିକିତ୍ସା ଚାଲିଛି। ଶୁକ୍ରବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ।
