ମୁମ୍ବାଇ : ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରଶ୍ନପତ୍ର ଲିକ୍ ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ଧରି ଫେରାର ଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର ଗୁପ୍ତାଙ୍କୁ ବିହାରରୁ ଗିରଫ କରିଛି ପୋଲିସ । ଏହି ଗିରଫଦାରୀ ପରୀକ୍ଷା ଦୁର୍ନୀତିର ପଛରେ ଥିବା ବୃହତ୍ ରାକେଟ୍ର ଖୁଲାସା କରିବାରେ ସହାୟକ ହେବ ବୋଲି ତଦନ୍ତକାରୀ ସଂସ୍ଥା କହିଛି ।
ମହାରାଷ୍ଟ୍ର TET ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର ଗୁପ୍ତାଙ୍କୁ ମହାରାଷ୍ଟ୍ର ପୁଲିସ ବିହାରରୁ ଗିରଫ କରିଥିବା ନେଇ ସୂଚନା ଦିଆଯାଇଛି । ସେ ଦୀର୍ଘ ସମୟ ଧରି ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ଅନେକ ରାଜ୍ୟରେ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯାନ ସମୟରେ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି। ପୁଲିସ ସୂଚନା ଅନୁସାରେ, ବିଜେନ୍ଦ୍ର ଗୁପ୍ତା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୁଖ୍ୟ ସୂତ୍ରଧର ଥିଲେ ଏବଂ ଦେଶର ବିଭିନ୍ନ ରାଜ୍ୟରେ ଘଟିଥିବା ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ସହ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତାଙ୍କ ଗିରଫ ସହିତ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।
ବିଜେନ୍ଦ୍ର ଗୁପ୍ତାଙ୍କୁ ପଚରାଉଚରା କରି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ଚେଷ୍ଟା ଚଳାଇଛି। ତଦନ୍ତରେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଏକ ନେଟୱାର୍କର ଖୁଲାସା ହୋଇଛି । ତଦନ୍ତ ସମୟରେ, ପୋଲିସ ଅନେକ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁଥିରେ ଆଗ୍ରାସ୍ଥିତ ଏକ ପ୍ରିଣ୍ଟିଂ ପ୍ରେସର ଦୁଇଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ଯେଉଁଠାରୁ ଗୁପ୍ତା ଲିକ୍ ପ୍ରଶ୍ନପତ୍ର ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି।ତଦନ୍ତକାରୀ ଦଳ ବର୍ତ୍ତମାନ ପ୍ରଶ୍ନପତ୍ର ଲିକ୍ ରାକେଟ୍ର ଆର୍ଥିକ କାରବାର, ଅନ୍ୟ ସହଯୋଗୀ ଏବଂ ବହୁରାଜ୍ୟ ବ୍ୟାପୀ ନେଟୱର୍କର ଛାନଭିନ କରୁଛି ।
