ନୂଆଦିଲ୍ଲୀ, ୨୮/୦୮: ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ବି-ଟିମ୍ ପଠାଇପାରେ ବିସିସିଆଇ । ଏସିଆନ କ୍ରିକେଟ୍ କାଉନସିଲ୍ ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ଆଲାଚନା ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଏପରି ନିଷ୍ପତ୍ତି ନେଇପାରେ । ଅନ୍ୟ ଏକ କଥା ହେଉଛି ଯେ, ଖେଳାଳିଙ୍କ ପାଇଁ ଭଲ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନାହିଁ । ଜାପାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ବିସିସିଆଇ ଚିନ୍ତାରେ ପଡି ଯାଇଛି । ତେଣୁ ବୋର୍ଡ ବି-ଟିମ୍ ପଠାଇବାକୁ ଯୋଜନା କରୁଛି ।
ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏଁ ଚାଲିବ । ଏସିଆନ ଗେମ୍ସ ଜାପାନର ଆଇଚି -ନାଗୋୟାରେ ସେପ୍ଟେମବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ପୁରୁଷ ଟିମ୍ ୨୪ ତାରିଖରୁ ଅକ୍ଟୋବର ୩ ଯାଏଁ ମୁକାବିଲା ଖେଳିବ । ଅନ୍ୟ ଦିଗରେ ବିଭିନ୍ନ ଦେଶର ମହିଳା କ୍ରିକେଟ୍ ଟିମ୍ ସେପ୍ଟେମ୍ବର ୧୭ରୁ ୨୨ ତାରିଖ ମଧ୍ଯରେ ସମସ୍ତ ମ୍ୟାଚ୍ ଖେଳିବେ ।
Also Read :- ଶ୍ରୀଲଙ୍କା ବିପକ୍ଷରେ ଡ୍ର’ ନା ଭାରତର ପରାଜୟ ? ଏବେ ଖେଳିପାରିବନି ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ! ଚିନ୍ତାରେ ଗିଲ୍- ଗମ୍ଭୀର
ବିସିସିଆଇର ସୂତ୍ରାନୁସାରେ, ଏସିସି ବା ଏସିଆନ୍ କ୍ରିକେଟ୍ କାଉନସିଲ୍ ଏବଂ ଭାରତୀୟ କ୍ରିକେଟ୍ ବୋର୍ଡ ଜାପାନର ଆୟୋଜନ ନେଇ ଖୁସି ନାହାଁନ୍ତି । ଜାପାନରେ ବ୍ୟବସ୍ଥିତ ଢଙ୍ଗରେ କିଛି କରାଯାଇ ନାହିଁ । ଏଥିପାଇଁ ବିସିସିଆଇ ଜଣେ ଅଧିକାରୀଙ୍କୁ ସେଠାକୁ ପଠାଇପାରେ । ଯଦି ବ୍ୟବସ୍ଥା ଠିକ୍ ଭାବେ ନହୁଏ ତାହାଲେ ଟୁର୍ଣ୍ଣାମେଣ୍ଟ ପାଇଁ ବୋର୍ଡ୍ ନିଜର ବି-ଟିମ୍ କୁ ପଠାଇବ ।
ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ସେମାନେ କିଛି ଦିନ ତଳେ ଜାପାନ ଅଲମ୍ପିକ କମିଟିର ସଦସ୍ୟଙ୍କ ସହ ବୈଠକ କରିଥିଲେ । ଏଥିରେ ଖେଳାଳିମାନେ ଟେଣ୍ଟରେ ରହିବା କଥା ଉଠିଥିଲା । ଏହାସହ ଟେଣ୍ଟରୁ ବାଥରୁମର ଦୂରତା ୫୦୦ ମିଟର ଥିଲା । ଯାହା ଖେଳାଳିଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ । ଏହାସହ ହୋଟେଲ ରୁମ୍ ମଧ୍ୟ ବହୁତ ସାନ । ଯାହା ସବୁଠୁ ବଡ ସମସ୍ୟା ଅଟେ । ଏସବୁ ସମସ୍ୟା ବାବଦରେ ଜାପାନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୩ ଏସିଆନ୍ ଗେମ୍ସ ଚାଇନାର ହାଙ୍ଗଝୋଉ ସହରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏଥର ବୋର୍ଡ ସିନିୟର ଟିମ୍ ପଠାଇବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଯଦି ବ୍ୟବସ୍ଥା ଠିକ୍ ନରୁହେ ତାହାଲେ ବୋର୍ଡ ନିଜର ବି-ଟିମ୍ ପଠାଇବାକୁ ବାଧ୍ୟ ହେବ ବୋଲି ଜଣା ପଡିଛି ।
