ରାଜ୍ୟରେ ଶିଳ୍ପ ଓ ପର୍ଯ୍ୟଟନର ମହାବିକାଶ: ୩୨୮୦ କୋଟିର ୧୯ ପ୍ରକଳ୍ପକୁ ମିଳିଲା ସବୁଜ ସଙ୍କେତ, ସୃଷ୍ଟି ହେବ ୧୦ ହଜାରରୁ ଅଧିକ ଚାକିରି
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନର ବେଗକୁ ଆହୁରି ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି (SLSWCA)ର ୧୫୦ତମ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଜରିଆରେ ରାଜ୍ୟରେ ମୋଟ ୩,୨୮୦.୫୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ ପ୍ରାୟ ୧୦,୬୬୧ ଜଣ ଯୁବକଯୁବତୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ହେବ।
ଟେକ୍ସଟାଇଲ୍ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି:
ଏହି ପୁଞ୍ଜିନିବେଶ ମଧ୍ୟରେ ବୟନଶିଳ୍ପ ଏବଂ ଗାର୍ମେଣ୍ଟସ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପୁରୀରେ ସାଇ ୱାର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ଏକ ବଡ଼ ଧରଣର ଗାର୍ମେଣ୍ଟ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ପ୍ରାୟ ୩,୬୫୦ ଜଣଙ୍କୁ ଚାକିରି ମିଳିବ । ଖୋର୍ଦ୍ଧାରେ ଡଲାର ଇଣ୍ଡଷ୍ଟ୍ରିଜ୍ ୧୨୫ କୋଟି ଟଙ୍କା ବ୍ୟୟରେ ହୋଜିୟାରି ୟୁନିଟ୍ ପ୍ରତିଷ୍ଠା କରି ୧,୧୮୫ ଜଣଙ୍କୁ ନିଯୁକ୍ତି ଦେବ ।
କ୍ଲିନ୍ ଫୁଏଲ୍ ଓ ବାୟୋଫୁଏଲ୍ ପାଇଁ ବଡ଼ ପ୍ୟାକେଜ୍:
ସବୁଠାରୁ ବଡ଼ ନିବେଶ ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପକ୍ଷରୁ କରାଯାଉଛି। କମ୍ପାନୀ ରାଜ୍ୟର ୮ଟି ଜିଲ୍ଲାରେ (ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର) କମ୍ପ୍ରେସଡ୍ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟ ନିର୍ମାଣ ପାଇଁ ୯୬୦ କୋଟି ଟଙ୍କା ବିନିଯୋଗ କରିବ।
ହୋଟେଲ୍ ଏବଂ ପର୍ଯ୍ୟଟନ ଶିଳ୍ପରେ ଚମକ:
ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ବିଳାସପୂର୍ଣ୍ଣ ହୋଟେଲ୍ ଓ ରିସର୍ଟକୁ ଅନୁମତି ମିଳିଛି । ପୁରୀ ଏବଂ ଗଞ୍ଜାମରେ ନୂଆ ୫-ଷ୍ଟାର୍ ହୋଟେଲ୍ ଓ ସମୁଦ୍ର କୂଳିଆ ରିସର୍ଟ ନିର୍ମାଣ ହେବ। ଏହା ବ୍ୟତୀତ ଝାରସୁଗୁଡ଼ା ଏବଂ କୋରାପୁଟ ପରି ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ୪-ଷ୍ଟାର୍ ରିସର୍ଟ ପ୍ରତିଷ୍ଠା କରାଯିବ।
ଉପକୃତ ହେବେ ୧୦ରୁ ଅଧିକ ଜିଲ୍ଲା :
ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବିସ୍ତାରିତ ହେବ। କେବଳ ଲୁହା କିମ୍ବା ଖଣିଜ ଭିତ୍ତିକ ଶିଳ୍ପ ନୁହେଁ, ବରଂ ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ, ପ୍ଲାଷ୍ଟିକ୍ ଏବଂ ଆଇଟି ସେକ୍ଟର (ଟାଟା ପାୱାର ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର) ପରି ବିବିଧ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି, ଯାହା ଓଡ଼ିଶାର ଅର୍ଥନୀତିକୁ ଏକ ନୂଆ ଦିଗ ଦେବ।
