Voice of Eastern India

ରାତିରେ ଘରେ ପଶିଗଲା ବାଘ, ଭୟଙ୍କର ଗର୍ଜନ କରି ଲୋକଙ୍କୁ କଲା ଆକ୍ରମଣ ! ହେଲେ ଶେଷରେ…


ଉମରକୋଟ,୦୨/୦୮: ଭାଗ ଏବଂ ମଣିଷ ମଧ୍ୟରେ ଭୟଙ୍କର ଲଢେଇ । ଶେଷରେ ହାର୍ ମାନିଲା ହିଂସ୍ରପ୍ରାଣୀ । ବାଜି ମାରିନେଲା ମଣିଷ । ଛତିଶଗଡ଼ର ଧମତରୀ ଜିଲ୍ଲାରୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା। ଶନିବାର ମଧ୍ୟରାତ୍ରିରେ ଏକ କଲରାପତରିଆ ବାଘ ଘର ଭିତରକୁ ପଶିଯିବାରୁ ଆତଙ୍କ ଖେଳିଯାଇଥିଲା। କଲରାପତରିଆ ବାଘ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଥିବା ବେଳେ,ମଣିଷ ଓ କଲରାପତରିଆ ବାଘ ମଧ୍ୟରେ ହୋଇଥିବା ସଂଘର୍ଷରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଧମତରୀ ଜିଲ୍ଲାର ନଗରୀ ଅଞ୍ଚଳ ଅନ୍ତର୍ଗତ କରାଘାଟି ଗାଁରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଅଞ୍ଜୋର ସିଂହଙ୍କ ଘରେ ହଠାତ୍ ଏକ କଲରାପତରିଆ ବାଘ ପଶିଯାଇଥିଲା। ଘର ଭିତରେ ଜଙ୍ଗଲୀ ଜନ୍ତୁକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ବାହାରକୁ ଦୌଡ଼ିଥିଲେ। ଏହି ସମୟରେ କଲରାପତରିଆ ବାଘ ଆକ୍ରମଣ କରିବାରୁ ଘର ଭିତରେ ଆତଙ୍କ ଖେଳିଯାଇଥିଲା। ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଦୁଇ ଜଣ ଗ୍ରାମବାସୀ ସହାୟତା ପାଇଁ ପହଞ୍ଚିଥିଲେ। ସେମାନେ କଲରାପତରିଆ ବାଘ ବାହାରିଯାଇଥିବା ଭାବି ଘର ଭିତରକୁ ପଶିଥିଲେ। କିନ୍ତୁ କଲରାପତରିଆ ବାଘ ସେଠାରେ ହିଁ ଲୁଚି ରହିଥିଲା।

ହଠାତ୍ ବାଘଟି ଉଭୟଙ୍କ ଉପରେ ଆକ୍ରମଣ କରିଥିଲା। ଦୀର୍ଘ ସମୟ ଧରି ମଣିଷ ଓ ବାଘ ମଧ୍ୟରେ ସଂଘର୍ଷ ଚାଲିଥିଲା। ଏଥିରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ଘଟଣା ପରେ ଆହତ ଦୁଇ ଜଣଙ୍କୁ ତୁରନ୍ତ ନଗରୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସକାଳେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘର ମୃତଦେହ ଉଦ୍ଧାର କରିଥିଲେ।

Also Read :- ଭଟ୍ଟାରିକା ମନ୍ଦିର ବେଢାକୁ ପୁଣି ଛୁଇଁଲା ବନ୍ୟାଜଳ, ପ୍ରଶାସନ ଲଗାଇଲା ୧୬୩ ଧାରା

ପ୍ରାଥମିକ ତଦନ୍ତରୁ ମଣିଷ ଓ କଲରାପତରିଆ ବାଘ ମଧ୍ୟରେ ହୋଇଥିବା ସଂଘର୍ଷରେ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଅଧିକାରୀ ସଞ୍ଜୟ ରାଉତିଆ କହିଛନ୍ତି,ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି। ଆହତମାନଙ୍କୁ ବିଭାଗ ପକ୍ଷରୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି କଲରାପତରିଆ ବାଘର ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଧୀରେ ଧୀରେ ଜଙ୍ଗଲ କ୍ଷୟ ହେଉଥିବାରୁ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି। ଏହି ଘଟଣା ପରେ ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ,ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Source link



Source link

Leave A Reply

Your email address will not be published.