ସ୍ତ୍ରୀଙ୍କ ଜନ୍ମଦିନରେ ମୃତ୍ୟୁ ମାମଲା : ମିଳିଲା ସୁଇସାଇଡ୍ ନୋଟ୍ କିନ୍ତୁ ବ୍ୟବହାର ହୋଇଛି ଦୁଇ କଲମ, ରହସ୍ୟ ବଢା଼ଇଲା ଧାଡି଼ଏ ଲେଖା !
ବାଲେଶ୍ୱର, ୨୧|୦୭: ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜଗତସିଂହପୁର ଜିଲ୍ଲା ଅଁଳା ପଞ୍ଚାୟତ ଅଁଳା (କବିରପାଟଣା) ଗାଁର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଜଟିଳ ମୁହାଁ ହୋଇଛି। ପୋଲିସ ହାତରେ ପହଞ୍ଚିଥିବା ସୁଇସାଇଡ୍ ନୋଟକୁ ନେଇ ସସ୍ପେନ୍ସ ବଢ଼ିଛି । ମିଳିଥିବା ସେହି ସୁଇସାଇଡ୍ ନୋଟରେ ଦୁଇ ପ୍ରକାର କାଳି ବ୍ୟବହାର ହେବା ଓ ଯିଏ ଆତ୍ମହତ୍ୟା କରୁଛି ସେ ଆଉ ଅଧିକ କିଛି ନଲେଖି ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମାତ୍ର ଧାଡ଼ିଏ ଲେଖାରେ ସୀମିତ ରଖିବା ଘଟଣାକୁ ଆହୁରି ରହସ୍ୟମୟ କରୁଛି।
ତେବେ ଏହି ସୁଇସାଇଡ୍ ନୋଟଟି ଆଗରୁ ମିଳୁ ନଥିଲା କାହିଁକି ବୋଲି ରଶ୍ମିରଞ୍ଜନଙ୍କ ପରିବାର ଲୋକେ ପ୍ରଶ୍ନ କରି ନିଜ ବୋହୂ ଓ ତାର ତଥା ପୁରୁଷ ବନ୍ଧୁଙ୍କର ସବୁ କାଣ୍ଡ ବୋଲି କହି ପୁଅ ମୃତ୍ୟୁ ପଛର ଏମାନେ ହିଁ କାରଣ ବୋଲି ଦାବି କରୁଛନ୍ତି । ସେହିପରି ଦେଖିବାକୁ ଗଲେ ରଶ୍ମିରେଖାଙ୍କ ହାତଧରି କରି ସାତ ଜନ୍ମ ପାଇଁ ସାଥୀ ହେବାର ସଙ୍କଳ୍ପ ନେଇଥିବା ରଶ୍ମି ରଞ୍ଜନ ଆତ୍ମହତ୍ୟା କରିଥାନ୍ତୁ ଅବା ତାଙ୍କୁ ହତ୍ୟା କରାଯାଇଥାଉ, ମେଡିକାଲ୍ ବେଡରେ ରଶ୍ମି ରଞ୍ଜନଙ୍କ ମୃତଦେହ ପଡ଼ି ଥିବା ବେଳେ ପାଖରେ ରଶ୍ମିରେଖା ନରହିବା ଘଟଣାକୁ ସନ୍ଦେହ ଭିତରକୁ ଟାଣି ନେଉଛି।
ସେହିପରି ରଶ୍ମିରଞ୍ଜନ କ’ଣ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ପତ୍ନୀ ରହୁଥିବା ବାଲେଶ୍ଵରକୁ ତାଙ୍କ ଜନ୍ମ ଦିନରେ ଆତ୍ମହତ୍ୟା କରିବାକୁ ଯାଇଥିଲେ? ଅନ୍ୟ ପକ୍ଷରେ ରଶ୍ମିରେଖାଙ୍କ ଭଡ଼ା ଘରର ସିସି କ୍ୟାମେରା ଯାହା କହୁଛି ଉକ୍ତ ଦିନ ଘଟଣା ଘଟିବା ପରେ ତାଙ୍କର ସେହି ଭଡ଼ା ଘରକୁ ବାଇକ୍ ଓ ସ୍କୁଟିରେ କେତେକ ବ୍ୟକ୍ତି ଆସିଛନ୍ତି। ସେଥିମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। ତେବେ ସେ ମହିଳା ଦୁଇ ଜଣ କିଏ ? ରଶ୍ମିରଞ୍ଜନ ଏବଂ ରଶ୍ମିରେଖାଙ୍କ ସହ ସେମାନଙ୍କ କି ସମ୍ପର୍କ ସେ ଦିଗ ପ୍ରତି ମଧ୍ୟ ସହଦେବଖୁଣ୍ଟା ପୋଲିସ ତଦନ୍ତ କରୁଛି।
ତେବେ ପୁଲିସ ଜବତ ସୁଇସାଇଡ୍ ନୋଟକୁ ଯାଞ୍ଚ୍ ନିମନ୍ତେ ଫୋରେନସିକ ଲାବ୍କୁ ପଠାଇଛି। ଏଠାରୁ ସ୍ପଷ୍ଟ ହେବ ସେହି ନୋଟଟି ରଶ୍ମିରଞ୍ଜନଙ୍କ ହାତ ଲେଖା ନା’ ଏହା ହତ୍ୟା ଷଡ଼ଯନ୍ତ୍ରକାରୀ ଖସିଯିବାର ନୂଆ ଚାଲ୍। ସେପଟେ ଆଉ ଅଳ୍ପ ଦିନର ଅପେକ୍ଷା, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁ କିଛି ଠିକ୍ ହୋଇଯିବ ବୋଲି ଥାନାଧିକାରୀ ଆଲୋକ ବେହେରା କହିଛନ୍ତି ।
