Voice of Eastern India

ସ୍ତ୍ରୀର ତଣ୍ଟି କାଟି ୧୦୦ ମିଟର ଖାଇକୁ ଠେଲି ଦେଲା ସ୍ବାମୀ, ବଞ୍ଚିଗଲେ ମହିଳା; ୩ ଗିରଫ 


ନୂଆଦିଲ୍ଲୀ: ପତ୍ନୀଙ୍କୁ ପାହାଡ଼ର ମନୋରମ ଦୃ୍ଶ୍ୟ ଦେଖାଇବାକୁ ନେଇଥିଲା ସ୍ବାମୀ । ପାହାଡ଼ ଶିଖରରୁ ଠେଲି ମାରିବାକୁ କରିଥିଲା ଯୋଜନା । ଖାଇକୁ ଠେଲି ଦେବା ପୂର୍ବରୁ ମହିଳାଙ୍କ ବେକକୁ ଧାରୁଆ ଛୁରୀରେ କାଟି ଦେଇଥିଲା ଅଭିଯୁକ୍ତ । କିନ୍ତୁ କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ମହିଳାଜଣଙ୍କ ପ୍ରାୟ ୧୦୦ ଫୁଟ ଖାଇକୁ ଖସିପଡ଼ିଥିଲେ ବି ଘଞ୍ଚ ବୁଦା ଉପରେ ପଡ଼ିଥିଲେ ଏବଂ ତାଙ୍କର ଜୀବନ ରକ୍ଷା ପାଇଯାଇଛି ।  ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାମୀ ସହ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।   

ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରୁ ଏହି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ପାହାଡ଼ ବୁଲାଇବା ବାହାନାରେ ନେଇ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିବା ସହ ୧୦୦ ମିଟର ଗଭୀର ଖାତକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ତେବେ ମହିଳା ଘଞ୍ଚ ବୁଦା ଭିତରେ ପଡ଼ିଯିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ ତତ୍ପରତା ଦେଖାଇ ଘଟଣାର ମାତ୍ର ୩୦ ମିନିଟ୍ ମଧ୍ୟରେ ସ୍ୱାମୀ ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୁଖ୍ୟ ଅଭିଯୁକ୍ତର ନାମ ଦଲୀପ କୁମାର (୨୮) ବୋଲି ଜଣାପଡ଼ିଛି । ସେ ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ବାସିନ୍ଦା। ସେ ନିଜ ସାନଭାଇ ଏବଂ ଜଣେ ସାଙ୍ଗ ସହ ମିଶି ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଏହି ଷଡ଼ଯନ୍ତ୍ର ରଚିଥିଲା। 

ପୋଲିସ ସୂଚନା ଅନୁଯାୟୀ, ଦଲୀପ ନିଜ ଭାଇ ଶିବମ ଏବଂ ସାଙ୍ଗ ମଦନ କୁମାରଙ୍କ ସହ ମିଶି ଏହି ଯୋଜନା କରିଥିଲା। ଦେଉନଘାଟ ନିକଟ ଏକ ନିଛାଟିଆ ସ୍ଥାନରେ ପହଞ୍ଚିବା ପରେ ତିନିଜଣ ମିଶି ମହିଳାଙ୍କୁ ଛୁରିରେ ଆକ୍ରମଣ କରିଥିଲେ, ତାଙ୍କ ଗଳା କାଟି ଦେଇଥିଲେ ଏବଂ ସେ ଆଉ ବଞ୍ଚିବେନି ଭାବି ପ୍ରାୟ ୮୦ ରୁ ୧୦୦ ମିଟର ଗଭୀର ଖାତକୁ ଠେଲି ଦେଇଥିଲେ।

 କେମିତି ବଞ୍ଚିଲେ ମହିଳା ?

ଖାତକୁ ଖସି ପଡ଼ିବା ସମୟରେ ସେଠାରେ ଥିବା ଘଞ୍ଚ ବୁଦା ମହିଳାଙ୍କ ପାଇଁ ରକ୍ଷା କବଚ ସାଜିଥିଲା । ଫଳରେ ସେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଗଲେ। ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ଖାତରୁ ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ଉପରକୁ ଚାଲିଆସିଥିଲେ। ପଥିକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପ୍ରଥମେ ତାଙ୍କୁ ସୋଲାନର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଶିମଲାର ଆଇଜିଏମସି (IGMC) ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ମିଳିଲା  ସୁରାକ 

ଏହି ମାମଲାରେ ବାରୋଗର ବାସିନ୍ଦା ନରେଶ କୁମାର ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ବଡ଼ ସହାୟତା କରିଛନ୍ତି। ସେ କହିଛନ୍ତି ଯେ, ଜୁଲାଇ ୧୦ ତାରିଖ ରାତି ପ୍ରାୟ ୮:୧୫ ରୁ ୮:୩୦ ମଧ୍ୟରେ ସେ ଦେଉନଘାଟ ନିକଟରେ ତିନିଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଦେଖିଥିଲେ। କିଛି ସନ୍ଦେହ ହେବାରୁ ସେ ଯେତେବେଳେ ଫେରି ଚାହିଁଲେ, ସେତେବେଳେ ସେହି ତିନିଜଣ ଯୁବକ ମହିଳାଙ୍କୁ ଖାତକୁ ଠେଲି ଦେଇ ନାଗାଲି ଆଡ଼କୁ ପଳାଇଥିଲେ। ଘଟଣାର ସୂଚନା ପାଇ ସାପରୁନ ଏବଂ ସଦର ସୋଲାନ ପୋଲିସ ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ଟ୍ରେନ ବା ବସ ଯୋଗେ ଉତ୍ତର ପ୍ରଦେଶ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ମାତ୍ର ଅଧ ଘଣ୍ଟା ମଧ୍ୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା।

ଗିରଫ ଅଭିଯୁକ୍ତ ଦଲୀପ କୁମାର (୨୮), ଶିବମ (୨୦) ଏବଂ ଦଲୀପର ସାଙ୍ଗ ମଦନ କୁମାର (୨୮) ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା। ଏହି କାରଣରୁ ଦଲୀପ ନିଜ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ଭୟଙ୍କର ଯୋଜନା କରିଥିଲା। ବର୍ତ୍ତମାନ ସଦର ସୋଲାନ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ଏହି ପ୍ରମାଣ ଆଧାରରେ ପୋଲିସ ଅଧିକ ତଦନ୍ତ କରୁଛି ।

 

Source link



Source link

Leave A Reply

Your email address will not be published.