ସାକ୍ଷୀଗୋପାଳ ୧୮।୧୧ : ସାକ୍ଷୀଗୋପାଳରେ ଅଁଳା ନବମୀ । ରାତି ୧ଟାରୁ ଆରମ୍ଭ ହୋଇଛି ମା’ ରାଧାରାଣୀଙ୍କ ବିରଳ ରାଧାପାଦ ଦର୍ଶନ । ମା’ଙ୍କ ଦର୍ଶନ ପାଇଁ ଛୁଟିଛି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ସ୍ଥାନୀୟ ଚନ୍ଦନ ପୋଖରୀ ନିକଟରୁ ଆରମ୍ଭ ହୋଇଛି ଧାଡ଼ି ଦର୍ଶନ ।
ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ । ସେପଟେ ନଟବର ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ସେବାୟତ ପରମ୍ପରା ଅନୁଯାୟୀ, ସେବାୟତ ପରିବାରର ଜଣେ ଝିଅ ଆଜି ମା’ ରାଧାଙ୍କ ରୂପ ଧାରଣ କରିଛନ୍ତି । ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିସାରିଲେଣି । ଧୀରେ ଧୀରେ ବଢ଼ୁଛି ଭକ୍ତଙ୍କ ଗହଳି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।
Also Read:-ପ୍ରେମିକ ଆଗରେ ନିଜକୁ ଜାଳିଦେଲେ ଯୁବତୀ : ଝଗଡ଼ା ବଢିବା ପରେ ଦେହରେ ଲଗାଇଦେଲେ ନିଆଁ !
