ନୂଆଦିଲ୍ଲୀ, ୩୦/୧୦ : ଉତ୍ତର ପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବେଠୁ ରଣନୀତି ପ୍ରସ୍ତୁତ କଲାଣି । କେନ୍ଦ୍ରୀୟ ନେତା ଘନଘନ ୟୁପି ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ନେତାଙ୍କ ସହ ବୈଠକ କରିଛନ୍ତି । ଏହାସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ଆତ୍ମବିଶ୍ୱାସ ଭରିଛନ୍ତି ।
ନିଜ ସମ୍ବୋଧନରେ ଶାହ କହିଛନ୍ତି ଯେ, ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ହେଉଛନ୍ତି ମାଲିକ । ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ବିଜେପିର ପ୍ରକୃତ ଶକ୍ତି । ସେମାନଙ୍କ ଦମରେ ବିଜେପି ଦେଶ ତଥା ରାଜ୍ୟରେ ସରକାର ଗଠନ କରିଛି । ୨୦୧୯ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲା ପରେ ୟୁପିରେ ଅନେକ କିଛି ବଦଳିଛି । ମାଫିଆଙ୍କଠୁ ମୁକ୍ତ ହୋଇଛି । ଏଠାରେ ପୂର୍ବରୁ ତୁଷ୍ଟିକରଣ ଚାଲିଥିଲା । ଏବେ କିନ୍ତୁ ରାମ ମନ୍ଦିର ତିଆରି ହୋଇଛି । ବିଜେପି ସରକାର ପୁଣି ଥରେ ଆସିଲେ ଏଠାରେ ୟୁସିସି ଲାଗୁ ହେବ ।
Also Read :-Farmer Financial Assistance: PM କିଷାନ ଟଙ୍କା ପାଇବାକୁ କରନ୍ତୁ ଏହି କାମ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅପିଲ୍
ସେ ଆହୁରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ସରକାରରେ ରାମଭକ୍ତଙ୍କୁ ଗୁଳି ମାଡ଼ କରାଯାଇଥିଲା । ସରଜୁ ନଦୀ ରାମ ଭକ୍ତଙ୍କ ରକ୍ତରେ ଲାଲ୍ ହୋଇଯାଇଥିଲା । ତେବେ ୨୦୧୭ରେ ଏଠାରେ ବିଜେପି ଐତିହାସିକ ବିଜୟ ପାଇଥିଲା । ୩୧୨ ସିଟ୍ ଦଳକୁ ମିଳିଥିଲା । ୪୦ ପ୍ରତିଶତ ଭୋଟ୍ ମିଳିଥିଲା । ବିଜେପି ପୁଣି ଥରେ ଏଠାରେ ପ୍ରଚଣ୍ଡ ବହୁମତ ପାଇବ । ତୃତୀୟ ଥର ବିଜେପି ସରକାର ଗଠନ ହେବ । ଏହାସହ ବିଜେପିର ନେତାମାନେ ପ୍ରଥମେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ ଶାହ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେପିର ଏହି ବୈଠକରେ ଦଳର ୨୮୦୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ । ଦଳ ପୂର୍ବରୁ ୨୦୧୭ ଏବଂ ୨୦୨୨ରେ ଲଗାତାର ଜିତିଛି । ୨୦୨୭ରେ ମଧ୍ୟ ବିଜେପି ଏଠାରେ ସରକାର ଗଠନରେ ହ୍ୟାଟ୍ରିକ୍ କରିବାକୁ ପ୍ରୟାସ କରୁଛି ।
