୨୦୨୫ରେ ସିଆରପିଏଫ୍ର ୫୯ ଯବାନ ହାରିଛନ୍ତି ଜୀବନ, ଆତ୍ମହତ୍ୟା ରୋକିବା ପାଇଁ ବଡ଼ ପଦକ୍ଷେପ ନେଲା ଅର୍ଦ୍ଧସାମରିକ ବାହିନୀ
ନୂଆଦିଲ୍ଲୀ: ଯବାନମାନଙ୍କ ମଧ୍ୟରେ ଆତ୍ମହତ୍ୟାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଚିନ୍ତିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବଡ଼ ପଦକ୍ଷେପ ନେଇଛି । ଏହିପରି ମାମଲାର ମାସିକ ସମୀକ୍ଷା କରିବା ଏବଂ ସେଗୁଡ଼ିକୁ ରୋକିବା ପାଇଁ ଏକ ଉଚ୍ଚସ୍ତରୀୟ କୋର ଗ୍ରୁପ୍ ଗଠନ କରିଛି । ସିଆରପିଏଫ୍ ମୁଖ୍ୟାଳୟରେ ଏହି ମାସ ଆରମ୍ଭରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ବରିଷ୍ଠ ଅଧିକାରୀମାନେ ଏହିପରି ଘଟଣାର ଯାଞ୍ଚ କରିବା, ବାରମ୍ବାର ଘଟୁଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ସହାୟତା ପ୍ରଣାଳୀରେ ସୁଧାର ଆଣିବା ପାଇଁ ଏକ କମିଟିର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ସିଆରପିଏଫ୍ କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟା ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ୨୦୨୫ରେ ଗତ ପାଞ୍ଚ ବର୍ଷର ସର୍ବାଧିକ ଥିଲା । ସରକାରୀ ତଥ୍ୟ ଅନୁଯାୟୀ, ଗତବର୍ଷ ଏପରି ୫୯ଟି ମୃତ୍ୟୁ ରେକର୍ଡ କରାଯାଇଛି । ତଥ୍ୟ ଅନୁସାରେ, ୨୦୨୧ରେ ୫୭, ୨୦୨୨ରେ ୪୩, ୨୦୨୩ରେ ୫୭, ୨୦୨୪ରେ ୪୬ ଏବଂ ୨୦୨୫ରେ ୫୯ ଜଣ ସିଆରପିଏଫ୍ କର୍ମଚାରୀ ଆତ୍ମହତ୍ୟା କରିଥିଲେ । ସେହିପରି, ୨୦୨୬ ମେ’ ସୁଦ୍ଧା ୩୦ ୧୯ଟି ମୃତ୍ୟୁ ରେକର୍ଡ କରାଯାଇଛି । ୨୦୨୧ରୁ ମେ’ ୨୦୨୬ ପର୍ଯ୍ୟନ୍ତର ତଥ୍ୟ ଦର୍ଶାଉଛି ଯେ ଏଥିମଧ୍ୟରୁ ଅନେକ ମୃତ୍ୟୁ କର୍ମଚାରୀମାନେ ଡ୍ୟୁଟିରେ ଥିବା ସମୟରେ ହିଁ ଘଟିଛି ।
ଗତ ସପ୍ତାହରେ ଜାତୀୟ ମାନବାଧିକାର ଆୟୋଗ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସିଆରପିଏଫ୍ ମହାନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ମାଗିଛନ୍ତି । ଜଣେ ଅଧିକାରୀଙ୍କ ଅନୁଯାୟୀ, କୋର ଗ୍ରୁପର ଅଧ୍ୟକ୍ଷତା ସିଆରପିଏଫ୍ ମହାନିର୍ଦ୍ଦେଶକ ଜି.ପି.ସିଂହ କରିବେ ।
ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ଜଣେ ଅଧିକାରୀ କହିଛନ୍ତି, “ଏହି ଗ୍ରୁପ୍ ପ୍ରତିମାସର ତୃତୀୟ ସପ୍ତାହରେ ବୈଠକ କରି ବିଗତ ସମୟରେ ରେକର୍ଡ କରାଯାଇଥିବା ଆତ୍ମହତ୍ୟା ଘଟଣାଗୁଡ଼ିକର ସମୀକ୍ଷା କରିବ । ପ୍ରତ୍ୟେକ ସମୀକ୍ଷାରେ ଘଟଣାର କାରଣ ଓ ପରିସ୍ଥିତି, ମାନସିକ ସହାୟତାର ଉପଲବ୍ଧତା, ସମ୍ପୃକ୍ତ ୟୁନିଟ୍ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ସୁଧାର ଆବଶ୍ୟକ ଥିବା ଯେକୌଣସି ବିଷୟର ଯାଞ୍ଚ କରାଯିବ ।”
ବ୍ୟାଟାଲିୟନ ମୁଖ୍ୟଙ୍କୁ ଦେବାକୁ ପଡ଼ିବ ପ୍ରେଜେଣ୍ଟେସନ
ଅଧିକାରୀ ଜଣକ କହିଛନ୍ତି ଯେ ପ୍ରତ୍ୟେକ ମାମଲାରେ ସମ୍ପୃକ୍ତ ବ୍ୟାଟାଲିୟନର କାର୍ଯ୍ୟାଳୟ ମୁଖ୍ୟ କିମ୍ବା କମାଣ୍ଡାଣ୍ଟଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଗ୍ରୁପ୍ ସମ୍ମୁଖରେ ପ୍ରେଜେଣ୍ଟେସନ ଦେବାକୁ ହେବ । ଅଧିକାରୀଙ୍କ କହିବା ଅନୁଯାୟୀ, “ପ୍ରେଜେଣ୍ଟେସନରେ ବ୍ୟକ୍ତିଙ୍କ ପୃଷ୍ଠଭୂମି, ଘଟଣାର କାରଣ, ୟୁନିଟ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଦିଆଯାଇଥିବା ଚିକିତ୍ସା ସହାୟତା, ପ୍ରାରମ୍ଭିକ ତଦନ୍ତର ନିଷ୍କର୍ଷ ଏବଂ ଏପରି ଘଟଣାକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ସ୍ୱତନ୍ତ୍ର ପଦକ୍ଷେପଗୁଡ଼ିକ ସାମିଲ ରହିବ ।”
