‘ତାରିଖ୍ ପେ ତାରିଖ୍’ ନୀତିରେ ନ୍ୟାୟ ବ୍ୟବସ୍ଥା ! ରାୟ ଆସିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ, ଶସ୍ତା ଔଷଧ ପାଇଁ କରିଥିଲେ ୫୭ ଥର ଆବେଦନ
ନୂଆଦିଲ୍ଲୀ: ହାଇକୋର୍ଟରେ ମାମଲା ଗଡ଼ି ଗଡ଼ି ଚାଲିଲା । ୫୭ ଥର ଶୁଣାଣି ପାଇଁ ତାଲିକାଭୁକ୍ତ ହେଲା ମାମଲା । ତଥାପି ମିଳିପାରିଲା ନାହିଁ ଚୂଡ଼ାନ୍ତ ରାୟ । ସେପଟେ ନ୍ୟାୟ ଭିକ୍ଷା କରି ଶେଷରେ ଆଖିବୁଜିଲେ ରୋଗୀ । ଏବେ ସୁପ୍ରିମକୋର୍ଟ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ସ୍ତନ କର୍କଟ (breast cancer) ରୋଗର ଏକ ଜୀବନରକ୍ଷାକାରୀ ଔଷଧର ଦାମ ହ୍ରାସ କରିବା ପାଇଁ ଜଣେ ମହିଳା ଆବେଦନ କରିଥିଲେ, ମାତ୍ର କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ହିଁ ରୋଗୀଙ୍କ ମୃତ୍ୟୁ ହୋଇଛି ।
ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହି ବିଳମ୍ବ ସମ୍ପର୍କିତ ଏକ ଚିଠିକୁ ରିଟ୍ ପିଟିସନ ଭାବରେ ଗ୍ରହଣ କରି ଶୁଣାଣି କରିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ମାମଲାଟି କେରଳ ହାଇକୋର୍ଟରେ ପ୍ରାୟ ଚାରି ବର୍ଷ ଧରି ପଡ଼ି ରହିଥିଲା। ଏହି ସମୟ ମଧ୍ୟରେ ଏହାକୁ ୫୭ ଥର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରି ନଥିଲା। ଓକିଲ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଥିଲେ ଯେ, ମହିଳା ଆବେଦନକାରୀଙ୍କର ମୃତ୍ୟୁ ହୋଇସାରିଛି ।
ସ୍ତନ କର୍କଟ ଚିକିତ୍ସାରେ ବ୍ୟବହୃତ ଏକ ଅତ୍ୟନ୍ତ ମହଙ୍ଗା ଜୀବନରକ୍ଷାକାରୀ ଔଷଧର ମୂଲ୍ୟ କମାଇବା ପାଇଁ ଜଣେ ମହିଳା ରୋଗୀ ୨୦୨୨ ଆବେଦନ କରିଥିଲେ । କୋର୍ଟଙ୍କ ପକ୍ଷରୁ କୌଣସି ଫୈସଲା ଶୁଣାଯିବା ପୂର୍ବରୁ ଆବେଦନକାରୀ ମହିଳାଙ୍କର ପରଲୋକ ହୋଇଯାଇଛି । ଆବେଦନକାରୀଙ୍କ ମୃତ୍ୟୁ ପରେ ମଧ୍ୟ କେରଳ ହାଇକୋର୍ଟ ଏହି ମାମଲାକୁ ବନ୍ଦ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ, ଏହି ପ୍ରସଙ୍ଗଟି କେବଳ ଜଣେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମହଙ୍ଗା ଚିକିତ୍ସା ପାଇଁ ସଂଘର୍ଷ କରୁଥିବା ସମସ୍ତ କର୍କଟ ରୋଗୀଙ୍କ ସହିତ ଜଡ଼ିତ।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ
ଏହି ସମସ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖି ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା। ଏହି ଚିଠିର ନକଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ସିଜେଆଇ (CJI) ସୂର୍ଯ୍ୟକାନ୍ତଙ୍କ ନିକଟକୁ ମଧ୍ୟ ପଠାଯାଇଥିଲା। ଏହାକୁ ଆଧାର କରି ପ୍ରଧାନ ବିଚାରପତି ଶୁକ୍ରବାର ସ୍ୱତଃପ୍ରବୃତ୍ତ ଭାବରେ ମାମଲାରେ ହସ୍ତକ୍ଷେପ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ଏହାର ଜବାବ ମାଗିଛନ୍ତି।
