ତିରୁଅନନ୍ତପୁରମ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ସବରୀମାଲା ଆୟପ୍ପା ମନ୍ଦିରରୁ ଏକ ସୁନା ମୁକୁଟ କଥିତ ରୂପେ ଗାୟବ ହୋଇଯାଇଛି। ଏହି ମୁକୁଟକୁ ୨୦୧୨ ମସିହାରେ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଅର୍ପିତ କରିଥିଲେ। ମନ୍ଦିରରେ ଜାରି ଷ୍ଟକ୍ ସତ୍ୟାପନ ପ୍ରକ୍ରିୟାରେ ଜଣାପଡିଛି ଯେ ଗାୟବ ହୋଇଥିବା ସୁନା ମୁକୁଟକୁ ନକଲୀ ମୁକୁଟ ଦ୍ୱାରା ବଦଳାଯାଇଛି। ଅସଲୀ ମୁକୁଟର ଓଜନ ୪୪୫.୭୮ ଗ୍ରାମ ଥିଲା ଓ ଏଥିରେ ୫୫.୭୨ ଗ୍ରାମ ସୁନା ଥିଲା। ଏହି ମୁକୁଟଟି ଅନେକ ମୂଲ୍ୟବାନ ପଥର ଜଡିତ ଥିଲା। ତେବେ ଭଣ୍ଡାର ଗୃହରେ ମହଜୁଦ ନକଲୀ ମୁକୁଟଟି ମାତ୍ର ୨୪୦ ଗ୍ରାମ ଓଜନର।
ସେହିପରି ଅରନମୂଲାସ୍ଥିତ ଟ୍ରେଜରୀର ଭଣ୍ଡାର ଯାଞ୍ଚ କାଳରେ ୪ ସ୍ୱର୍ଣ୍ଣମୁଦ୍ରାର ଏକ ମାଳ ନଥିବାର ଜଣାପଡିଛି। ସବରୀମାଲା ଭଣ୍ଡାର ଗୃହ ଓ ଅରନମୂଲା ଟ୍ରେଜରୀର ଭଣ୍ଡାର ଯାଞ୍ଚ ଉଚ୍ଚନ୍ୟାୟାଳୟ ଦ୍ୱାରା ନିଯୁକ୍ତ ନ୍ୟାୟମୂର୍ତ୍ତି କେ.ଟି.ଶଙ୍କରନ ଦେଖରେଖରେ ଚାଲିଛି। ସୁନା ମୁକୁଟକୁ ୨୦୧୨ ମସିହାରେ ତାମିଲନାଡୁସ୍ଥିତ ଚାର୍ଟାଡ ଆକାଉଣ୍ଟାଣ୍ଟମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ମୁକୁଟକୁ ଚିଙ୍ଗମ-୧ ଦିନ ମୂର୍ତ୍ତିରେ ଲଗା ଯାଇଥିଲା ଓ ପରେ ଏହାକୁ ସୁରକ୍ଷିତ ରଖା ଯାଇଥିଲା। ଉଚ୍ଚ ମୂଲ୍ୟର ଦାନକୁ ଭଣ୍ଡାର ଗୃହକୁ ନିଆଯିବା ପରେ ମନ୍ଦିରର ଅଭିଲେଖରେ ରେକର୍ଡ କରାଯାଏ। ନିୟମ ଅନୁସାରେ ଏହି ସବୁ ମୂଲ୍ୟବାନ ସାମଗ୍ରୀକୁ ପରେ ଅରନମୂଳାର ସୁରକ୍ଷିତ ଟ୍ରେଜରୀକୁ ସ୍ଥାନାନ୍ତର କରାଯାଏ।
ଟିଡିବି ଅଧ୍ୟକ୍ଷ କେ. ଜୟକୁମାର କହିଛନ୍ତି ଯେ ଯଦି ନିଖୋଜ ସାମଗ୍ରୀ କଥା ସତ୍ୟ ହୋଇଥାଏ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି ଯେ ଏହି ଘଟଣାର ସୂଚନା ସେ ଗଣମାଧ୍ୟମ ରିପୋର୍ଟରୁ ପାଇଛନ୍ତି। ସେ କହିଛନ୍ତି ଯେ ଏପରି ମୂଲ୍ୟବାନ ସାମଗ୍ରୀକୁ ଅରଣମୂଳା ଟ୍ରେଜରୀରେ ରଖାଯିବା କଥା ସେ ମନ୍ଦିର ପ୍ରଶାସନରେ ବ୍ୟାପ୍ତ ଅନିୟମିତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମୂଲ୍ୟବାନ ଆଭୂଷଣ ଗଣତିର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଆସନ୍ତା ମାସ ପ୍ରଥମ ସପ୍ତାହରେ ହାଇକୋର୍ଟରେ ଉପସ୍ଥାପନ କରାଯିବ।
