କାଠମାଣ୍ଡୁ: ନେପାଳ ସରକାର ଏକ ନୂଆଡିଜାଇନର ୧ ଟଙ୍କା ମୁଦ୍ରା ଢଳାଇକୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ଦେଶର ବିବାଦୀୟ ମାନଚିତ୍ରକୁ ହଟା ଯାଇଛି, ଯେଉଁଥିରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାନୀର କ୍ଷେତ୍ରଙ୍କୁ ଏକ ପ୍ରାଚୀନ ମଠ ଛବି ସହ ଦେଖାଯାଇଥିଲା। ଏହି ନିଷ୍ପତ୍ତି ନେପାଳର ତତ୍କାଳୀନ କେ.ପି.ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ୨୦୨୦ ମସିହାରେ ଜାରି କରାଯାଇଥିବା ନୂଆ ରାଜନୈତିକ ମାନଚିତ୍ରର ପ୍ରାୟ ୬ ବର୍ଷ ପରେ ଆସିଛି। ଏଥିରେ ୩ ବିବାଦୀୟ କ୍ଷେତ୍ରଙ୍କୁ ନେପାଳର ଅଂଶ ଭାବେ ପ୍ରଦର୍ଶିତ କରାଯାଇଥିଲା। ଏଣୁ ନେପାଳର ଭାରତ ସହିତ ରାଜନୈତିକ ବିବାଦର ସୂତ୍ରପାତ ହୋଇଥିଲା।
କ୍ୟାବିନେଟ୍ ସୂତ୍ର ଅନୁସାରେ ନେପାଳ ମନ୍ତ୍ରୀ ପରିଷଦ ଗୁରୁବାର ନେପାଳ ରାଷ୍ଟ୍ରବ୍ୟାଙ୍କର ୧ ଟଙ୍କା ଓ ୨ ଟଙ୍କା ନୂଆ ମୁଦ୍ରା ଢଳେଇକୁ ସ୍ୱୀକୃତି ଦେଇଛି। ଏହି ପୁନଃରଚନାରେ ବିବାଦୀୟ ରାଜନୈତିକ ମାନଚିତ୍ରକୁ ୧ ଟଙ୍କା ମୁଦ୍ରାରୁ ହଟାଇ ସେ ସ୍ଥାନରେ ମୁସ୍ତାଙ୍ଗ ଜିଲ୍ଲାର ମାରାଂ ଗାଁରେ ଥିବା ଲୋଘ୍ୟାକର ମଠର ଚିତ୍ର ରଖାଯିବ। ଏହି ମଠକୁ ନେପାଳର ସବୁଠୁ ପ୍ରାଚୀନ ବୌଦ୍ଧ ମଠ ମନେ କରାଯାଏ। ତେବେ ୨ ଟଙ୍କା ମୁଦ୍ରାରେ ପୂର୍ବରୁ ଜାରି ନକ୍ସା ଅଙ୍କିତ ରହିବ। ଏହି ପଦକ୍ଷେପ ନେପାଳ ରାଷ୍ଟ୍ରବ୍ୟାଙ୍କ ଦ୍ୱାରା ମୁଦ୍ରାର ଆକାର ଏବଂ ଓଜନକୁ କମ୍ କରିବା ଲାଗି ବ୍ୟାପକ ପୁନର୍ଗଠନର ଅଂଶବିଶେଷ।
ବ୍ୟାଙ୍କ ମୁଖପାତ୍ର ଗୁରୁପ୍ରସାଦ ପୌଡେଲ କହିଛନ୍ତି ଯେ ନୂଆ ୧ ଟଙ୍କା ମୁଦ୍ରାର ଓଜନ ୪ ଗ୍ରାମ ବଦଳେ ୩.୨ ଗ୍ରାମ ରହିବ। ସେହିପରି ୨ ଟଙ୍କା ମୁଦ୍ରାର ଓଜନ ୫ ଗ୍ରାମ ବଦଳେ ୩.୮ ଗ୍ରାମ ହେବ। ଏହି ଦୁଇ ମୁଦ୍ରା ମିଶ୍ରିତ ଧାତୁ ବଦଳେ ଷ୍ଟିଲରେ ନିର୍ମିତ ହେବ ଓ ଏହାର ରଙ୍ଗ ଏବେକା ପିତଳ ରଙ୍ଗ ବଦଳେ ଏହା ସ୍ୱଚ୍ଛ ଷ୍ଟିଲର ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେପାଳୀ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ଭୀମ ରାବଲ ସମାଲୋଚନା କରିଛନ୍ତି। ଏହାକୁ ସେ ନେପାଳର ଜାତୀୟ ଅଖଣ୍ଡତା ବିରୋଧରେ ପଦକ୍ଷେପ ବୋଲି କହିଛନ୍ତି।
