Voice of Eastern India

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି



ପୁରୀ ୨୪।୭: ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା । ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି ବିଜେରେ ଆସି ରଥାରୂଢ଼ ହେଲେ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍ଷେତ୍ର । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ହେଲା ଛେରାପହଁରା । ରଥରେ ମହାରାଜା ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରୁଛନ୍ତି । ଅପରାହ୍ଣ ୪ଟା ସୁଦ୍ଧା ରଥ ଟଣା ଆରମ୍ଭ ହେବ ।

ସମସ୍ତ ନୀତିକାନ୍ତି ପରେ ବିଶ୍ଵକର୍ମା ଓ ଭୋଇ ସେବକ ରଥରେ ଦଉଡି଼ ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥ ଟଣା ହେବ । ମାଉସୀମା’ ମନ୍ଦିର ସମ୍ମୁଖରେ ରଥାରୂଢ଼ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗିବ । ତାଳଧ୍ଵଜ ଓ ଦେବଦଳନ ରଥ ଟଣା ହୋଇ ସିଂହଦ୍ଵାରେ ପହଞ୍ଚିବ । ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକିବ । ସେଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ହେବ ।

ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାର ଲାଗିସହ ବେଶ କରାଇ ପାଲିଙ୍କିରେ ବିଜେ କରାଇ ଯଥାବିଧି ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ । ଦହି ପଟି ମଣୋହି ପରେ ଗଜପତି ମହାରାଜାଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ସହ ଭେଟ ହେବେ । ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପ୍ରଦକ୍ଷିଣ କରି ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପରେ ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ଵାର ସମ୍ମୁଖରେ ପହଁଚିବ ।
Source link



Source link

Leave A Reply

Your email address will not be published.