ଗୋଡ୍ଡା: ଝାଡ଼ଖଣ୍ଡ ରାମଗଡ଼ ଓ ଗୋଡ୍ଡା ଜିଲ୍ଲାରେ ରବିବାର ଧାନ ତଳି ରୋଇବା ବେଳେ ବଜ୍ରପାତ ହେବାରୁ ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଆସୁଥିବା ପୋଲିସ ସୂଚନାରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩ ଜଣ ରାମଗଡ଼ ପତରାତୁ ବ୍ଲକ୍ ର ହୋଇଥିବା ବେଳେ ଅନ୍ୟ ୨ ଜଣ ଗୋଡ୍ଡା ଜିଲ୍ଲା ବସନ୍ତରାୟ ବ୍ଲକ୍ ମହେଶପୁର ଓ ରାମପୁର ଗ୍ରାମର।
ସୂଚନା ଅନୁସାରେ ବଜ୍ରପାତ ହେବା ବେଳେ ମହିଳାମାନେ ବିଲରେ ଧାନ ତଳି ରୋଉଥିଲେ। ପତରାତୁ ପୋଲିସ ଥାନା ଆଇଆଇସି ଶିବଲାଲ କୁମାର କହିଛନ୍ତି ଯେ ରାମଗଡ଼ର ୨ଟି ଗ୍ରାମରେ ବଜ୍ରପାତ ହେବାରୁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କୁ ସକୁଲ ଗାଁର ରେଖାଦେବୀ (୪୫) ଓ ରୋଶନୀ କୁମାରୀ (୨୧) ଭାବେ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣେ ମହିଳା ପଲାନୀ ଗାଁର ସୁଶାନ୍ତି ଦେବୀ (୩୪) ଭାବେ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଡ୍ଡା ଜିଲ୍ଲାରେ ବଜ୍ରପାତ ହେବା ଯୋଗୁ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କର ଚିହ୍ନଟ ହୋଇ ନାହିଁ।
ମଧ୍ୟାହ୍ନ ପରେ ବର୍ଷା ଆରମ୍ଭ ହେବା ବେଳେ ମହିଳାମାନେ ଧାନ ବିଲରେ ତଳି ରୋପଣ କାମ କରୁଥିଲେ। ଏଥିରେ ଅଚାନକ ବଜ୍ରପାତ ହେବା ଯୋଗୁ ସେମାନେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୪ ଜଣ ପୋଡି ହୋଇ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏ ପର୍ଯ୍ୟନ୍ତ ବିସ୍ତୃତ ସୂଚନା ମିଳି ପାରି ନାହିଁ। ବଜ୍ରପାତ ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ତେବେ ଚାଷବାସ ସମୟ ହୋଇଥିବାରୁ ଲୋକେ ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହେଉଛନ୍ତି।
