ନୂଆଦିଲ୍ଲୀ: ଅନଲାଇନରେ ଗ୍ରୋସରୀ ଅର୍ଡର କରିବା, ଫିଲ୍ମ ଟିକେଟ ବୁକ୍ କରିବା କିମ୍ବା କୌଣସି କୋର୍ସ ପାଇଁ ସାଇନ୍-ଅପ୍ କରିବା ସମୟରେ ପ୍ରାରମ୍ଭିକ ପୃଷ୍ଠାରେ ଦେଖାଯାଉଥିବା ମୂଲ୍ୟ ଚୂଡ଼ାନ୍ତ ପେମେଣ୍ଟ ପୃଷ୍ଠାକୁ ଯିବା ବେଳକୁ ବୃଦ୍ଧି ପାଇଥାଏ। ହ୍ୟାଣ୍ଡଲିଂ ଫି, ସଦସ୍ୟତା ଶୁଳ୍କ କିମ୍ବା ଆଗରୁ ଟିକ୍ ହୋଇଥିବା ଅର୍ଥ ଭଳି ଅତିରିକ୍ତ ଖର୍ଚ୍ଚ ଯୋଡ଼ି ହୋଇଯାଏ। ଏହିପରି କାର୍ଯ୍ୟକୁ ଆଇନ ଭାଷାରେ Dark Patterns କୁହାଯାଏ।
ଗ୍ରାହକଙ୍କୁ ନିଜ ଅଜାଣତରେ ବା ବାଧ୍ୟ କରି ଅଧିକ ଟଙ୍କା ଖର୍ଚ୍ଚ କରାଇବା ପାଇଁ ଏହିପରି ୱେବସାଇଟ୍ ଓ ଆପ୍ ଡିଜାଇନ୍ ବ୍ୟବହାର କରୁଥିବା ୯ଟି ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏହି ସମ୍ପର୍କରେ ସରକାର ରାଜ୍ୟସଭାରେ ସୂଚନା ଦେଇଛନ୍ତି।
Zepto
କ୍ୱିକ୍-କମର୍ସ ଆପ୍ Zepto ପ୍ରାରମ୍ଭରେ ଗ୍ରାହକଙ୍କୁ ଦେଖାଉଥିବା ମୂଲ୍ୟରେ ପରବର୍ତ୍ତୀ ସମୟରେ ହ୍ୟାଣ୍ଡଲିଂ ଚାର୍ଜ ଏବଂ ମେମ୍ବରସିପ୍ ଫି ଯୋଡ଼ୁଥିଲା। ଏହାକୁ ‘ଡ୍ରିପ୍ ପ୍ରାଇସିଂ’ (Drip Pricing) ଏବଂ ‘ବାସ୍କେଟ୍ ସ୍ନିକିଂ’ ଭାବେ ଚିହ୍ନଟ କରାଯାଇଛି। Zepto ଉପରେ ୭ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।
BookMyShow
ଟିକେଟ ବୁକ୍ କରିବା ସମୟରେ ‘BookASmile’ ଚାରିଟି ପାଇଁ ୧ ଟଙ୍କାର ଯୋଗଦାନ ପୂର୍ବରୁ ହିଁ ‘ପ୍ରି-ଟିକ୍’ ହୋଇ ରହୁଥିଲା। ଗ୍ରାହକଙ୍କୁ ନିଜେ ତାହା ହଟାଇବାକୁ ପଡ଼ୁଥିଲା, ଯାହାକୁ ‘ବାସ୍କେଟ୍ ସ୍ନିକିଂ’ କୁହାଯାଏ।
IndiGo
ବିମାନ ସେବା ସଂସ୍ଥା IndiGo ଅତିରିକ୍ତ ସେବା ବାତିଲ୍ କରିବା ସମୟରେ “No I will take risk” ଭଳି ମେସେଜ୍ ଦେଖାଉଥିଲା। ଗ୍ରାହକଙ୍କ ମନରେ ଭୟ ବା ଦୋଷୀ ଭାବନା ସୃଷ୍ଟି କରିବା ପାଇଁ ଏହି ‘କନଫର୍ମ ସେମିଂ’ କୌଶଳ ବ୍ୟବହାର କରାଯାଉଥିଲା। ରେଗୁଲେଟରଙ୍କ ନିର୍ଦ୍ଦେଶ ପରେ ଏହାକୁ ବଦଳାଇ “No, I will not add to the trip” କରାଯାଇଛି।
Physics Wallah
PW ଫାଉଣ୍ଡେସନ୍ ପାଇଁ ୧୦ ଟଙ୍କାର ଦାନ ସ୍ୱୟଂଚାଳିତ ଭାବେ ଯୋଡ଼ି ହୋଇ ରହୁଥିଲା ଏବଂ ଭାବପ୍ରବଣ ମେସେଜ୍ ଦିଆଯାଉଥିଲା। ଏହାସହ ମାଗଣା କୋର୍ସ ଆକ୍ସେସ କରିବା ପୂର୍ବରୁ ବ୍ୟକ୍ତିଗତ ତଥ୍ୟ ମଗାଯାଉଥିଲା। ଏହି ଆପ୍ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି, ଯାହାକୁ କମ୍ପାନୀ ପରିଶୋଧ କରିସାରିଛି।
ଏହି ୪ଟି ବଡ଼ କମ୍ପାନୀ ବ୍ୟତୀତ CCPA ଅନ୍ୟ ୫ଟି ପ୍ଲାଟଫର୍ମ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । FirstCry, PharmEasy, McAfee, SpiceJet ଏବଂ କୋଚିଂ ପ୍ଲାଟଫର୍ମ Anuj Jindal ଉପରେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇଛି।
