ବାଲେଶ୍ବର: ଦେଶର ସାମରିକ ଶକ୍ତି ବୃଦ୍ଧି ଦିଗରେ ଭାରତ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି । ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR)ରୁ ପରମାଣୁ କ୍ଷମତା ସମ୍ପନ୍ନ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ (SFC) ପକ୍ଷରୁ ଏହି ପ୍ରଶିକ୍ଷଣମୂଳକ ପରୀକ୍ଷା ସମ୍ପନ୍ନ ହୋଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଉତକ୍ଷେପଣ ସମୟରେ ମିସାଇଲ୍ର ସମସ୍ତ ବୈଷୟିକ ଏବଂ କାର୍ଯ୍ୟକ୍ଷମ ପାରାମିଟର ସଠିକ୍ ଭାବେ ପ୍ରମାଣିତ ହୋଇଛି । ମିସାଇଲ୍ଟି ନିଜର ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଛି ।
‘ଅଗ୍ନି-୪’ ର ବିଶେଷତ୍ୱ:
ଏହି ଦୁଇ ସ୍ତରୀୟ ସଲିଡ୍-ଫ୍ୟୁଲ୍ ମିସାଇଲ୍ ପ୍ରାୟ ୪,୦୦୦ କିଲୋମିଟର ଦୂରରେ ଥିବା ଶତ୍ରୁର ଶିବିରକୁ ଧ୍ୱଂସ କରିପାରିବ । ଏହା ନିଜ ସହ ପ୍ରାୟ ୧,୦୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ମଧ୍ୟ ସକ୍ଷମ ।
ଖାଲି ସେତିକି ନୁହେଁ ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରିଙ୍ଗ୍ ଲେଜର ଗାୟରୋ- ଆଧାରିତ ବାଲିଷ୍ଟିକ୍ ନାଭିଗେସନ୍ ସିଷ୍ଟମ୍ ବ୍ୟବହାର କରାଯାଇଛି, ଯାହା ଏହାକୁ ଶତ୍ରୁ ପକ୍ଷ ପାଇଁ ଅଧିକ ସଠିକ୍ ଓ ସଂହାରକାରୀ କରିଥାଏ । ଏହାକୁ ଏକ ରୋଡ୍- ମୋବାଇଲ୍ ଲଞ୍ଚର ସାହାଯ୍ୟରେ ଯେକୌଣସି ସ୍ଥାନରୁ ସହଜରେ ଉତକ୍ଷେପଣ କରାଯାଇପାରିବ ।
Also Read: ଓଡ଼ିଶାରେ ପ୍ରଥମ ! ବଜ୍ରପାତ ହେବା ପୂର୍ବରୁ ବାଜିବ ସାଇରନ୍, ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ସୂଚନାଯୋଗ୍ୟ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଏହି ଅଗ୍ନି-୪ ମିସାଇଲ୍ ପୂର୍ବରୁ ହିଁ ସେନାରେ ସାମିଲ ହୋଇସାରିଛି । ଆଜିର ଏହି ସଫଳ ଉପଭୋକ୍ତା ପରୀକ୍ଷଣ ଭାରତର ଆଞ୍ଚଳିକ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ମଜଭୁତ କରିଛି ।
