Voice of Eastern India

Fake Lawyers in India: ଦେଶରେ ପ୍ରତି ୩ ଜଣଙ୍କ ମଧ୍ୟୟରେ ଜଣେ ଓକିଲ ନକଲି: ଫେକ୍ ଓକିଲଙ୍କ ବିରୋଧରେ ବଡ଼ ଆକ୍ସନ୍ ପ୍ରସ୍ତୁତି!


ନୂଆଦିଲ୍ଲୀ: ଦେଶରେ ନକଲି ବା ଫେକ୍ ଓକିଲଙ୍କ ବିରୋଧରେ ବଡ଼ ସ୍ତରରେ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି ଆରମ୍ଭ ହୋଇଛି। ଫେକ୍ ଓକିଲଙ୍କ ବିରୋଧରେ ତଦନ୍ତ ଏବଂ ଆକ୍ସନ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା CBIକୁ ଦେବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଛି। ଏହି ଯାଚିକା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି।

ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ଏହି ମାମଲାକୁ ଗମ୍ଭୀର ବିଷୟ ବୋଲି କହିଛନ୍ତି। ଆବେଦନରେ କୁହାଯାଇଛି ଯେ, ବକିଲାତି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ପେସା। ଏହି ପେସାରେ ଯଦି ନକଲି ଲୋକ ପ୍ରବେଶ କରନ୍ତି, ତେବେ ଏହା କେବଳ ଲୋକଙ୍କୁ ଠକିବା ନୁହେଁ, ବରଂ ସମଗ୍ର ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।

୩୦ରୁ ୪୦% ଓକିଲ ଫେକ୍: ବାର କାଉନସିଲ୍ ଅଧ୍ୟକ୍ଷଙ୍କ ବୟାନ

ଆବେଦନରେ ବାର କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ରଙ୍କ ଏକ ବୟାନକୁ ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କ ବୟାନ ଅନୁଯାୟୀ, ଦେଶର ବାର୍ରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ଓକିଲ ଫେକ୍ ଥିବା ଦାବି କରାଯାଇଥିଲା। ଅର୍ଥାତ୍, ପ୍ରତି ତିନିଜଣ ଓକିଲଙ୍କ ମଧ୍ୟରୁ ପ୍ରାୟ ଜଣେ ନକଲି ହୋଇଥିବା ଦାବି ସାମ୍ନାକୁ ଆସିଛି। ଏପରି ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଆବଶ୍ୟକ ବୋଲି ଆବେଦନରେ କୁହାଯାଇଛି। ୨୦୨୬ ଜୁନ୍ରେ ବାର କାଉନସିଲ୍ର ଓକିଲ ପ୍ରଶାନ୍ତ କୁମାର ଏବଂ ବିପିନ ନାୟର ମଧ୍ୟ ସୁପ୍ରିମକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରିଥିଲେ। ଏହା ଏକ ଗୁରୁତର ସମସ୍ୟା ହୋଇଥିବାରୁ ଏହା ଉପରେ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ସେମାନେ କହିଥିଲେ।

ସୁପ୍ରିମକୋର୍ଟରେ କ’ଣ ହେଲା?

ରାଜା ଚୌଧୁରୀ ନାମକ ଜଣେ ଓକିଲ ଏହି ଆବେଦନ ଦାଖଲ କରିଛନ୍ତି। ଶୁଣାଣି ସମୟରେ ସେ କହିଥିଲେ ଯେ, ଓକିଲାତି ପେସାର ଦୁରୁପଯୋଗ କରାଯାଉଛି। ଯେଉଁମାନେ ପ୍ରକୃତରେ ଓକିଲ ନୁହନ୍ତି, ସେମାନେ ମଧ୍ୟ ଓକିଲ ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏଭଳି ଲୋକଙ୍କ ବିରୋଧରେ ଆଲ୍ଲାହାବାଦ ହାଇକୋର୍ଟ ପଦକ୍ଷେପ ଆରମ୍ଭ କରିଥିବା କଥା ମଧ୍ୟ ସେ ଆବେଦନରେ କୋର୍ଟଙ୍କୁ ଜଣାଇଛନ୍ତି। ଏହା ଉପରେ ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ ଯେ, ୧୦୫ ଜଣ ଓକିଲଙ୍କ ମାମଲା ସାମ୍ନାକୁ ଆସିଛି।

ଏହାପରେ ଆବେଦନ କର୍ତ୍ତା ଦାବି କରିଥିଲେ ଯେ, ଆଲ୍ଲାହାବାଦ ବାର୍ରେ ୧୦୦୦ରୁ ଅଧିକ ଫେକ୍ ଓକିଲ ରହିଛନ୍ତି। ତାଙ୍କ ଅନୁଯାୟୀ, କେବଳ ଉତ୍ତରପ୍ରଦେଶ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ସମସ୍ୟା ରହିଛି।

‘ଓକିଲାତି ପେସାରେ ମାଫିଆ’ କହିଥିଲେ ହାଇକୋର୍ଟ

କିଛି ଦିନ ପୂର୍ବରୁ କଫିଲ ଖାନ ବନାମ ଉତ୍ତରପ୍ରଦେଶ ମାମଲାର ଶୁଣାଣି ସମୟରେ ଆଲ୍ଲାହାବାଦ ହାଇକୋର୍ଟ ଓକିଲାତି ପେସାରେ ମାଫିଆଙ୍କ ଉପସ୍ଥିତି ନେଇ ଚିନ୍ତା ପ୍ରକାଶ କରିଥିଲେ। ଏଭଳି ଲୋକଙ୍କ ବିରୋଧରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ। ଏହାପରେ ଉତ୍ତରପ୍ରଦେଶରେ ଫେକ୍ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଆଲ୍ଲାହାବାଦରେ ବାର କାଉନସିଲ୍ର ସୁପାରିସ୍ ଆଧାରରେ ୬୮ ଜଣ ଓକିଲଙ୍କ ବିରୋଧରେ FIR ରୁଜୁ ହୋଇଛି। ଉତ୍ତରପ୍ରଦେଶ ପୋଲିସର କହିବା ଅନୁଯାୟୀ, ପ୍ରାୟ ୧୦୦ଟି FIR ରୁଜୁ ହେବ। କୌଣସି ବାଧା ସୃଷ୍ଟି ନହେବା ପାଇଁ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।

ଭାରତରେ କେତେ ଜଣ ରେଜିଷ୍ଟର୍ଡ ଓକିଲ ଅଛନ୍ତି?

୨୦୨୩ ଅଗଷ୍ଟରେ ଆଇନ ମନ୍ତ୍ରଣାଳୟ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲା ଯେ, ଭାରତରେ ପ୍ରାୟ ୨୦ ଲକ୍ଷ ରେଜିଷ୍ଟର୍ଡ ଆଡଭୋକେଟ୍ ଅଛନ୍ତି। ବାର କାଉନସିଲ୍ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ଓକିଲ ବାରରେ ଏନରୋଲ୍ ହେଉଛନ୍ତି। ଓକିଲାତି ପେସାରେ ପ୍ରବେଶ କରିବା ପାଇଁ ଆଇନରେ ଡିଗ୍ରୀ ହାସଲ କରିବା ବାଧ୍ୟତାମୂଳକ। ଏହାପରେ ବାର କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ପରୀକ୍ଷା ନିଆଯାଏ। ଏହି ପରୀକ୍ଷା ପାସ୍ କରିବା ପରେ ହିଁ ବକିଲଙ୍କୁ ପ୍ରାକ୍ଟିସ୍ କରିବାର ଅନୁମତି ମିଳେ।

୫ ବର୍ଷରେ ଥରେ ହୁଏ ପ୍ରାକ୍ଟିସ୍ ଭେରିଫିକେସନ୍

ଓକିଲମାନେ ପ୍ରକୃତରେ ପ୍ରାକ୍ଟିସ୍ କରୁଛନ୍ତି କି ନାହିଁ, ଏହାର ଯାଞ୍ଚ ପାଇଁ ବାର କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରମାଣପତ୍ର ଏବଂ ଅଭ୍ୟାସ ସ୍ଥାନ ଯାଞ୍ଚ ନିୟମ, ୨୦୧୫( Certificate and Place of Practice Verification Rules, 2015) ବ୍ୟବହାର କରେ। ଏହି ନିୟମ ଅନୁଯାୟୀ, ପ୍ରତି ୫ ବର୍ଷରେ ଓକିଲମାନଙ୍କ ପ୍ରାକ୍ଟିସ୍ ସମ୍ପର୍କିତ ସୂଚନା ସଂଗ୍ରହ କରାଯାଏ। ଓକିଲମାନଙ୍କୁ ବାର କାଉନସିଲ୍କୁ ଜଣାଇବାକୁ ପଡ଼େ ଯେ ସେମାନେ ବର୍ତ୍ତମାନ କେଉଁଠାରେ ପ୍ରାକ୍ଟିସ୍ କରୁଛନ୍ତି ଏବଂ କେବେଠାରୁ ସେଠାରେ ପ୍ରାକ୍ଟିସ୍ କରୁଛନ୍ତି।

ଯଦି କୌଣସି ଓକିଲ ଆବଶ୍ୟକ ଓ ସଠିକ୍ ସୂଚନା ଦେଉନାହାନ୍ତି, ତେବେ ସମ୍ପୃକ୍ତ ବାର କାଉନସିଲ୍ଙ୍କ ପାଖରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି। ଫେକ୍ ଓକିଲଙ୍କ ସଂଖ୍ୟା ଏବଂ ସେମାନଙ୍କ ବିରୋଧରେ ଆକ୍ସନ୍ ନେବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ, ଆଗାମୀ ଦିନରେ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ବାର କାଉନସିଲ୍ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତା’ ଉପରେ ନଜର ରହିବ।

Source link



Source link

Leave A Reply

Your email address will not be published.