Voice of Eastern India

ଭାରତୀୟ ପଡ଼ୋଶୀଙ୍କୁ ଛାଡ଼ିବାକୁ ନାରାଜ ଆମେରିକୀୟ ମହିଳା, କାନ୍ଦି କାନ୍ଦି ଜାବୁଡ଼ି ଧରୁଛନ୍ତି, ବାରମ୍ବାର ଲୁହ ପୋଛୁଛନ୍ତି, ଭିଡିଓ ଭାଇରାଲ୍


ଭୁବନେଶ୍ୱର: ଆମେରିକାରୁ ଭାରତ ଫେରୁଥିବା ଜଣେ ଭାରତୀୟ ଦମ୍ପତିଙ୍କୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ତାଙ୍କ ଆମେରିକୀୟ ପଡ଼ୋଶୀ। ପଡ଼ୋଶୀ ମହିଳାଜଣକ ଦମ୍ପତିଙ୍କୁ ଜାବୁଡ଼ି ଧରି କାନ୍ଦୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ ଛୁଇଁଛି। ଦେଶ ଓ ଭାଷାର ସୀମା ଟପି ମାନବିକ ସମ୍ପର୍କ କେତେ ଯେ ଗଭୀର ହୋଇପାରେ, ଏହି ଭିଡିଓ ଶେୟାର କରି ତାହା ଦର୍ଶାଇଛନ୍ତି ସେହି ଭାରତୀୟ ପରିବାର।

ଇନଷ୍ଟାଗ୍ରାମ ୟୁଜର୍ ବିଜୟ କୋକ୍କେରାଗଡ୍ଡା ନିଜ ଆକାଉଣ୍ଟରେ ଏହି ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ, ଦମ୍ପତି ଆମେରିକା ଛାଡ଼ି ଭାରତ ଫେରୁଥିବା ବେଳେ Detroit Airport ଯିବା ପୂର୍ବରୁ ଏହି ଘଟଣା ଘଟିଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଦମ୍ପତି ଘର ବାହାରେ ଠିଆ ହୋଇଥିବା ବେଳେ ତାଙ୍କ ଆମେରିକୀୟ ପଡ଼ୋଶୀ ମହିଳା ଆଖିରେ ଲୁହ ନେଇ ସେମାନଙ୍କ ଆଡ଼କୁ ଆସୁଛନ୍ତି। ନିକଟରେ ପହଞ୍ଚିବା ମାତ୍ରେ ସେ ଦମ୍ପତିଙ୍କୁ ଜୋରରେ ଆଲିଙ୍ଗନ କରି କାନ୍ଦୁଛନ୍ତି। ଦମ୍ପତିଙ୍କୁ ଛାଡ଼ିବାକୁ ତାଙ୍କ ମନ ଆଦୌ ହେଉନି। ତାଙ୍କ ଭାରତୀୟ ପଡ଼ୋଶୀ ଆମେରିକା ଛାଡ଼ି ନ ଯାଆନ୍ତେ ଯଦି ଭଲ ହୁଅନ୍ତା ବୋଲି ମହିଳାଙ୍କ ମନରେ ଏହି ଆଶା ଟିକକ ରହିଛି।

ଆମେରିକୀୟ ମହିଳା ପଡ଼ୋଶୀ ଭାରତୀୟ ଦମ୍ପତିଙ୍କୁ ଆଦୌ ଛାଡ଼ିବାକୁ ନାରାଜ ଥିଲେ। ସେ ବାରମ୍ବାର କହୁଥିଲେ ଯେ ସେମାନଙ୍କୁ ସେ ବହୁତ ମନେ ପକାଇବେ। ଦମ୍ପତି ହସିହସି ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଆମେରିକୀୟ ମହିଳା ଜଣଙ୍କ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ ଦୀର୍ଘ ସମୟ ଧରି ସେ ଭାରତୀୟ ପଡ଼ୋଶୀ ଦମ୍ପତିଙ୍କୁ ଜାବୁଡ଼ି ଧରି, ତାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ହୃଦୟ ତରଳାଇ ଦେଇଛି।

Also Read- ଇଟାଲୀରେ ଭାରତୀୟ ଫଟୋଗ୍ରାଫରଙ୍କ ୪୪ ଲକ୍ଷ ଟଙ୍କାର କ୍ୟାମେରା ଚୋରି: ପୁଲିସ କହିଲା, ଆଜି ରବିବାର ଯାଇପାରିବିନି

ଏହି ବିଦାୟର ଆଉ ଏକ ବିଶେଷ ଦିଗ ହେଉଛି, ଏସବୁ ଦୃଶ୍ୟ ଯେ କେହି କ୍ୟାମେରାର କଏଦ କରୁଥିଲେ, ଏକଥା ଭାରତୀୟ ଦମ୍ପତିଙ୍କୁ ଜଣା ନଥିଲା। ବିଜୟଙ୍କ କହିବା ଅନୁସାରେ, ଜଣେ ବନ୍ଧୁ ଗୁପ୍ତରେ ଏହି ବିଦାୟ ବେଳର ଭିଡିଓ ରେକର୍ଡ କରିଥିଲେ। ପରେ ଦମ୍ପତିଙ୍କୁ ଏହି ରେକର୍ଡିଂ ଦିଆଯାଇଥିଲା। ଫଳରେ ସେମାନଙ୍କ ପାଇଁ ଏହା ଏକ ଅମୂଲ୍ୟ ସ୍ମୃତି ହୋଇ ରହିଗଲା ବୋଲି ବିଜୟ କହିଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ନିଜ ଅନୁଭୂତି ମଧ୍ୟ ସେୟାର କରିଛନ୍ତି। କେହି କହିଛନ୍ତି ଯେ ଏଭଳି ଭଲପାଉଥିବା ପଡ଼ୋଶୀ ଓ ବନ୍ଧୁ ପାଇବା ନିଶ୍ଚିତ ଭାବେ ଭାଗ୍ୟ କଥା। ଆଉ କେହି ବିଦେଶରେ ରହିବା ସମୟରେ ଗଢ଼ିଉଠିଥିବା ବନ୍ଧୁତା ଓ ପରିବାର ଭଳି ସମ୍ପର୍କକୁ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାର ଅନୁଭୂତି ବଖାଣିଛନ୍ତି।

ଏହି ଭିଡିଓରେ ମନ୍ତବ୍ୟ ଦେଇଥିବା ଲୋକଙ୍କ ମତରେ ପ୍ରକୃତ ସମ୍ପର୍କ ପାଇଁ ଦେଶ, ଧର୍ମ, ଭାଷା କିମ୍ବା ଦୂରତା କେବେ ବାଧା ହୋଇପାରେନା। ପରସ୍ପର ମନ ଯୋଡ଼ି ହେଲେ ଦୂରକୁ ଗଲେ ବି ସମ୍ପର୍କ ଅତୁଟ ରହିଥାଏ। ଭାରତ ଫେରୁଥିବା ଏହି ଦମ୍ପତିଙ୍କ ବିଦାୟ ମୁହୂର୍ତ୍ତ ମଧ୍ୟ ସେହି ମାନବିକ ସମ୍ପର୍କର ଏକ ସୁନ୍ଦର ଉଦାହରଣ। ଏକ ଆଲିଙ୍ଗନ ଓ କିଛି ଲୁହର ବୁନ୍ଦା ଯେ କେତେ ଗଭୀର ବନ୍ଧୁତାର କାହାଣୀ କହିପାରେ, ଏହି ଭିଡିଓ ତାହାର ଏକ ଭାବପ୍ରବଣ ଚିତ୍ର।

Source link



Source link

Leave A Reply

Your email address will not be published.