Voice of Eastern India

ଶିଶୁଙ୍କ ଆଖିରେ କଜଳ ଲଗାଉଛନ୍ତି କି? ରହି ଯାଆନ୍ତୁ, କେତେ ମାରାତ୍ମକ ହୋଇପାରେ ଆପଣଙ୍କ ଅବହେଳା ପଢନ୍ତୁ ପୂରା ରିପୋର୍ଟ


ଭୁବନେଶ୍ୱର: ପୂର୍ବରୁ ମାଆ, ଜେଜେମା ପିଲାମାନଙ୍କ ଆଖିରେ କଜଳ ଲଗାଇ ଦେଉଥିଲେ। କେଉଁଠି କଜଳ କିଣି ଲଗାଯାଉଥିଲା, ଆଉ କେଉଁଠି ନିଆଁର ଧାସରେ କଜଳ ତିଆରି କରି ଆଖିରେ ଲଗାଯାଉଥିଲା। ସେତେବେଳେ ଆଖିରେ ଯଦି କୌଣସି ସମସ୍ୟା ହେଉଥିଲା ତାହା ଜଣାପଡ଼ୁ ନଥିଲା। ହେଲେ ସେ ସମୟ ଏବେ ଚାଲି ଯାଇଛି। ଛୋଟ ପିଲାଙ୍କ ଆଖିରେ କଜଳ ଲଗାଇବାକୁ ଡାକ୍ତରବାରଣ କରୁଛନ୍ତି। କାରଣ ସଚେତନ ନ ହୋଇ କଜଳ ଲଗାଇବା ଦ୍ୱାରା ପିଲାମାନଙ୍କ ଆଖିରେ ସାଂଘାତିକ ରୋଗ ସୃଷ୍ଟି ହେଉଛି। ସ୍ଥିତି ଏମିତି ହେଉଛି ଯେ ପିଲାମାନେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇବସୁଛନ୍ତି।

ଯଦି ଆପଣ ବି ଆପଣଙ୍କ ପିଲାଙ୍କ ଆଖିରେ କଜଳ ଲଗାଉଛନ୍ତି, ଆଉ ପିଲା ଆଖିରେ ଜଳାପୋଡ଼ା ହେଉଛି, ଲାଲ୍ ପଡ଼ି ଯାଉଛି କିମ୍ବା ଫୁଲା ହେଉଛି ତେବେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତୁ। ନହେଲେ ସ୍ଥିତି ଆହୁରି ଖରାପ ହୋଇପାରେ।

ପିଲାଙ୍କ ଆଖିରେ କାହିଁକି କଜଳ ଲଗାଇବାକୁ ମନା କରୁଛନ୍ତି ଡାକ୍ତର ?

ଛୋଟ ପିଲାଙ୍କ ଆଖି ଖୁବ ସମ୍ବେଦନଶୀଳ ହୋଇଥାଏ। କୌଣସି ବି ଦୂଷିତ ପଦାର୍ଥ ଆଖି ନିକଟକୁ ଗଲେ ଏହା ସଂକ୍ରମଣ କରାଇଥାଏ। ବିଶେଷକରି ପାରମ୍ପରିକ କାଜଲ କିମ୍ବା ସୁରମାରେ ଅନେକ ସମୟରେ ସୀସାର ମାତ୍ରା ଅଧିକ ଥାଏ। ପିଲାମାନେ ସୀସା ସମ୍ପର୍କରେ ଆସିଲେ ଏହା ସେମାନଙ୍କ ମସ୍ତିସ୍କ ଉପରେ ପ୍ରଭାବ ପକାଇପାରେ। ଦୀର୍ଘଦିନ ପର୍ଯ୍ୟନ୍ତ ପିଲା ଯଦି ସୀସା ସଂସ୍ପର୍ଶରେ ଆସିଲା ତେବେ ଏହା ପିଲାର ଶିକ୍ଷଣୀୟ ସମସ୍ୟା ଓ ବ୍ୟବହାରେ ପରିବର୍ତ୍ତନ ଆଣିପାରେ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସତର୍କତା ଜାରି କରି ସାରିଛି। ସେହିପରି FDA ମଧ୍ୟ ପାରମ୍ପରିକ କାଜଲ ଓ ସୁରମାରେ ସୀସା ଥାଇପାରେ ବୋଲି ସତର୍କ କରାଇଛି। ଏହା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ଦୁଇ ସଂସ୍ଥା ସତର୍କ କରିଛନ୍ତି।

Also Read- ଘର ଏରୁଣ୍ଡିବନ୍ଧରେ ବସିବାକୁ କାହିଁକି ମନା କରନ୍ତି ଅଭିଭାବକ? ଜାଣନ୍ତୁ ଏହାର କାରଣ ଓ ପୌରଣିକ ମାନ୍ୟତା

ବଢ଼ିପାରେ ସଂକ୍ରମଣ ବିପଦ

କାଜଲ ଲଗାଇବା ସମୟରେ, ଆଙ୍ଗୁଠି, କିମ୍ବା ଯେଉଁଥିରେ କଳା ଲଗାଯାଉଛି ତାହା ଆଖି ସଂସ୍ପର୍ଶରେ ଆସେ। ଯଦି ଉତ୍ପାଦଟି ଦୂଷିତ ହୋଇଥାଏ କିମ୍ବା ଅନେକ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଏ, ତେବେ ଆଖିରେ ସୂକ୍ଷ୍ମଜୀବ ପ୍ରବେଶ କରିବାର ଆଶଙ୍କା ବଢ଼ିପାରେ। ପିଲାମାନଙ୍କର ଆଖି ରଗଡ଼ିବାର ଅଭ୍ୟାସ ବି ରହିଛି। ତେଣୁ ଏହା ମଧ୍ୟ ସଂକ୍ରମଣ କରିପାରେ। ତେଣୁ ପିଲାମାନଙ୍କ ଆଖି ପାଖରେ ଯେକୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସମୟରେ ଅତିରିକ୍ତ ସତର୍କତା ଆବଶ୍ୟକ।

କଜଳ ଲଗାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼େ କି ?

ଗାଁ ଗହଳିରେ ଲୋକମାନଙ୍କର ବିଶ୍ୱାସ ରହିଛି ଯେ କଜଳ ଲଗାଇବା ଦ୍ୱାରା ପିଲାର ଆଖି ବଡ଼ ହୁଏ, ସୁନ୍ଦର ହୁଏ ଓ ଆଖିର ଜ୍ୟୋତି ପ୍ରଖର ହୁଏ। ହେଲେ ଏହିସବୁ ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ। ତେଣୁ କେବଳ ସୁନ୍ଦର ଦେଖାଯିବା ପାଇଁ ପିଲାଙ୍କ ଆଖିରେ କଜଳ ଲଗାଇବାର ପ୍ରାସଙ୍ଗିତା ଆଲୋଚନା ସାପେକ୍ଷ।

ଆଖିରେ ଯନ୍ତ୍ରଣା ହେଲା କ’ଣ କରିବେ ?

ଯଦି ଆପଣଙ୍କ ପିଲା କଜଳ ଲଗାଇବା ପରେ ଆଖି ଲାଲ ହେବା, ଫୁଲିବା, ଲଗାତାର ପାଣି ଆସିବା, ଜଳାପୋଡ଼ା ହେବା, ଯନ୍ତ୍ରଣା ହେବା କିମ୍ବା ଆଖି ଖୁଞ୍ଚି ହେବା ଭଳି ଲକ୍ଷଣ ଅନୁଭବ କରେ, ତେବେ ତୁରନ୍ତ କଜଲ ବ୍ୟବହାର ବନ୍ଦ କରନ୍ତୁ। ଆଖି ରଗଡ଼ିବା ବନ୍ଦ କରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ହେଳା ନ କରି ଜଣେ ଶିଶୁରୋଗ ବିଶେଷଜ୍ଞ କିମ୍ବା ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

କଜଳ ଲଗାଇବାର ପରମ୍ପରା ବହୁ ପୁରୁଣା ହୋଇପାରେ, କିନ୍ତୁ ପିଲାମାନଙ୍କ ଆଖିର ସୁରକ୍ଷାକୁ ପ୍ରାଥମିକତା ଦେବା ଗୁରୁତ୍ୱପୂର୍ଣ୍ଣ। ସ୍ପଷ୍ଟ ଉପାଦାନ ଏବଂ ସୁରକ୍ଷା ସୂଚନା ନଥିବା କଜଳ ଓ ସୁରମାକୁ ଆଦୌ ବ୍ୟବହାର କରନ୍ତୁ ନାହିଁ। ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଜଳ ଅତ୍ୟାବଶ୍ୟକ ନୁହେଁ, ବରଂ ଆଖିର ଯତ୍ନ ନେଇ ସୁନ୍ଦର ଦୁନିଆ ଦେଖିବା ଗୁରୁତ୍ୱପୂର୍ଣ୍ଣ।

Source link



Source link

Leave A Reply

Your email address will not be published.