ଚେନ୍ନାଇ : ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। ‘ଜେଲର’ର ଜବରଦସ୍ତ ସଫଳତା ପରେ ଏବେ ଆହୁରି ଜୋରଦାର ହୋଇଛି ‘ଜେଲର ୨’। ଆଉ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି। ଫିଲ୍ମର ପାର୍ଟ ୧ରେ ‘ଜେଲର’ରେ ତମନ୍ନା ଭାଟିଆଙ୍କ ‘କାଭାଲା’ ଗୀତଟି ଯେମିତି ଧମାଲ୍ ମଚାଇଥିଲା, ଏଥର ସେହି ଜାଗା ନେଇଛନ୍ତି ଜଣେ ନୂଆ ଅଭିନେତ୍ରୀ | ଏହି ଆଇଟମ ସଙ୍ଗରେ ଅଭିନେତ୍ରୀ ଶମ୍ନା କାସିମଙ୍କୁ ଦେଖିବାକୁ ମିଳିବ ଯିଏକି ପୂର୍ଣ୍ଣା ନାମରେ ମଧ୍ୟ ପରିଚିତ।
‘ଜେଲର ୨’ର ପ୍ରଥମ ଗୀତ ହେଉଛି ‘ଆଲା ବୋଲେଲୋ’। ଅଗଷ୍ଟ ୨୧ରେ ଏହି ଗୀତଟି ଅଫିସିଆଲି ରିଲିଜ୍ ହୋଇଛି। ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଧ ରବିଚନ୍ଦର। ଗୀତରେ ସବୁଠୁ ବେଶି ଆକର୍ଷଣୀୟ ଲାଗୁଚି ରଜନୀକାନ୍ତଙ୍କ ଷ୍ଟାଇଲ୍ ଏବଂ ଶମ୍ନା କାସିମଙ୍କ ଡାନ୍ସ। ପ୍ରଥମ ପାର୍ଟରେ ‘କାଭାଲା’ରେ ତମନ୍ନା ଭାଟିଆଙ୍କ ଗ୍ଲାମରସ୍ ପରଫର୍ମାନ୍ସ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏବେ ‘ଜେଲର ୨’ରେ ‘ଆଲା ବୋଲେଲୋ’ ମାଧ୍ୟମରେ ଶମ୍ନା କାସିମ୍ ସେହି କ୍ରେଜକୁ ଆଗକୁ ନେଇଛନ୍ତି। ଅଗଷ୍ଟ ୧୯ ରେ ଗୀତର ପ୍ରୋମୋ ଆସିବା ପରଠାରୁ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଦେଇଥିଲା । ଆଉ ଏବେ ପୂରା ଗୀତଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ଥାଉ କି, ‘ଜେଲର ୨’କୁ ନେଲସନ୍ ଦିଲୀପକୁମାର ନିର୍ଦ୍ଦେଶନା ଦେଇଛନ୍ତି । ପାର୍ଟ ୨ ରେ ମଧ୍ୟ ରଜନୀକାନ୍ତ ପୁଣିଥରେ ‘ଟାଇଗର’ ମୁଥୁଭେଲ ପାଣ୍ଡିଆନ୍ ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୦୨୬ ଅକ୍ଟୋବର ୧୫ରେ ରିଲିଜ୍ ହେବା ନେଇ ଘୋଷଣା କରାଯାଇଛି । ତେବେ ‘କାଭାଲା’ ଭଳି ‘ଆଲା ବୋଲେଲୋ’ ଗୀତାଟି କେତେ ବଡ଼ ହିଟ୍ ହେଉଛି , ସେନେଇ ଏବେଠାରୁ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଆକାଶଛୁଆଁ।
