AUS vs BAN: ଅଷ୍ଟ୍ରେଲିଆ-ବାଂଲାଦେଶ ଟେଷ୍ଟର ପ୍ରଥମ ଦିନରେ ଖସିଲା ୧୮ ଓ୍ଵିକେଟ୍, ୫୧ ବର୍ଷରେ ତୃତୀୟ ଥର ଘଟିଲା ଏମିତି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦ୍ରୁତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ମ୍ୟାଚର ପ୍ରଥମ ଦିନରେ ହିଁ ୧୮ଟି ଓ୍ଵିକେଟ୍ ପତନ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମ୍ୟାଚର ପରିଣାମ ବହୁତ ଶୀଘ୍ର ବାହାରିବ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଘାତକ ବୋଲିଂ କରି ବାଂଲାଦେଶ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ଦେଇ ନ ଥିଲେ। ସେ ଘାତକ ବୋଲିଂ କରି ୬ ଓ୍ଵିକେଟ୍ ନେବା ସହ ୬୪ ରନରେ ବାଂଲାଦେଶ ଇନିଂସ ସୀମିତ ରଖିଥିଲେ। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୮ ଓ୍ଵିକେଟ୍ ହରାଇ ୧୬୫ ରନ କରିଛି। ଘରୋଇ ଦଳ ବାଂଲାଦେଶଠୁ ୧୦୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରି ସାରିଛି।
ମେକାୟରେ ଖେଳା ଯାଉଥିବା ମ୍ୟାଚର ପ୍ରଥମ ଦିନରେ ମୋଟ୍ ୧୮ଟି ଓ୍ଵିକେଟର ପତନ ଘଟିଥିବା ବେଳେ ଏଥିରେ ବାଂଲାଦେଶର ୧୦ ଓ୍ଵିକେଟ୍ ରହିଥିବା ବେଳେ ଅଷ୍ଟ୍ରେଲିଆର ୮ ଓ୍ଵିକେଟ୍ ରହିଛି। ଅଷ୍ଟ୍ରେଲିଆ ମାଟିରେ ୧୯୭୫ ପରେ ଟେଷ୍ଟରେ ଏମିତି ତୃତୀୟ ଥର ଘଟିଛି। ଏହା ପୂର୍ବରୁ ୨୦୨୫ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଇଥିବା ମୁକାବିଲାରେ ଦୁଇ ଦଳ ପ୍ରଥମ ଦିନରେ ହିଁ ଅଲଆଉଟ୍ ହୋଇଥିଲେ। ପୁଣି ଉକ୍ତ ସିରିଜରେ ପର୍ଥରେ ଖେଳା ଯାଇଥିବା ଟେଷ୍ଟରେ ଇଂଲଣ୍ଡ ଟିମ୍ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ ହରାଇ ୧୨୩ ରନ କରିଥିଲା। ପୁଣି ଆଜିର ମ୍ୟାଚରେ ବାଂଲାଦେଶ ୬୪ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍ ହରାଇ ୧୬୫ ରନ କରିଛି। ଏହି ତାଲିକାରେ ଭାରତର ନାଁ ମଧ୍ୟ ରହିଛି। ୨୦୨୪ରେ ପର୍ଥ ଟେଷ୍ଟରେ ଭାରତ ୧୫୦ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୬୭ ରନ କରିଥିଲା।
Also Read: ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ଦୁଇଟି ଇନିଂସରେ ଖାତା ଖୋଲିବା ପୂର୍ବରୁ ଗଲା ପ୍ରଥମ ୱିକେଟ୍
ବାଂଲାଦେଶ ପରି ମଧ୍ୟ ଅଷ୍ଟ୍ରେଲିଆ ବି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହେଲେ ଷ୍ଟିଭ ସ୍ମିଥ ଓ କ୍ୟାମେରୁନ ଗ୍ରୀନ ଅଷ୍ଟ୍ରେଲିଆକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ସ୍ମିଥ ୪୨ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୫୧ ରନ କରି ଅପରାଜିତ ଅଛନ୍ତି। ଏହି ଦୁଇ ବ୍ୟାଟର ବିଫଳ ହୋଇଥିଲେ ବୋଧହୁଏ ଅଷ୍ଟ୍ରେଲିଆ ମଧ୍ୟ ୧୦୦ ରନ ଭିତରେ ସୀମିତ ରହିଥାନ୍ତା। ବାଂଲାଦେଶ ଇନିଂସରେ ୭ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୧୦ ଓଭରରେ ମାତ୍ର ୧୨ ରନ ଦେଇ ୬ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେହିଭଳି ବାଂଲାଦେଶ ପକ୍ଷରୁ ବୋଲିଂର ସରିଫୁଲ ଇସଲାମ ୩୫ ରନ ଦେଇ ୬ ଓ୍ଵିକେଟ୍ ନେଇଛନ୍ତି।
