Voice of Eastern India

ହସ ପଛରେ ଦୁଃଖର ଘନ ଅନ୍ଧାର ! ଦାରିଦ୍ର୍ୟରୁ ବିଶ୍ୱର ମହାନ କମେଡିଆନ୍ ଓ ନୀରବ ସିନେମାର ମହାନାୟକ ”ଚାର୍ଲସ ସ୍ପେନସର ଚାପ୍ଲିନ” l


 

ଲଣ୍ଡନ: ଦୁଃଖ ମଣିଷକୁ ଭିତରୁ ଭାଙ୍ଗି ଦେଇଥାଏ I ସଂଘର୍ଷ ବେଳେ ବେଳେ ମଣିଷକୁ ହାର ମାନିବାକୁ ବାଧ୍ୟ କରିଥାଏ I କିନ୍ତୁ କିଛି ମଣିଷ ନିଜ ଦୁଃଖକୁ ସମ୍ବଳ କରି ରଚନା କରିପାରନ୍ତି ଏକ ନୂଆ ଇତିହାସ l ଦାରିଦ୍ରତା ଭିତରୁ ଖୋଜନ୍ତି ବଞ୍ଚିବାର ରାହା l ଦୁଃଖ ,ଯନ୍ତ୍ରଣାକୁ ହୃଦୟରେ କବର ଦେଇ ପାଲଟି ଯାଆନ୍ତି କୋଟି କୋଟି ଲୋକଙ୍କ ହସର କାରଣ l ଏଭଳି ଜଣେ ହସର ଯାଦୁଗର ଲଣ୍ଡନ ସହର ରେ ଜନ୍ମ ନେଇଥିଲେ ,ଯିଏ ସାରା ବିଶ୍ୱକୁ ନିରବ ଅଙ୍ଗ ଭଙ୍ଗୀରେ ହସେଇ ହସେଇ ବେଦମ କରୁଥିଲେ l ମୁଁହରେ ଛୋଟ ନିଶ , ମୁଣ୍ଡରେ ଟୋପି ,ହାତରେ ଛୋଟ ବାଡ଼ି ଧରି ପରଦା ଉପରକୁ ଚାଲି ଆସିଲେ ,ଦେଖୁଥିବା ଲୋକ ହସକୁ ଚାପି ରଖି ପାରେନି l ବିଶ୍ୱ କମେଡିର ଏହି ମହାନ ସୂତ୍ର ଧର ଥିଲେ ”ଚାର୍ଲସ ସ୍ପେନସର ଚାପ୍ଲିନ” ଯାହାଙ୍କୁ ଦୁନିଆ ଚାର୍ଲି ଚାପ୍ଲିନ ରୂପରେ ଜାଣନ୍ତି l ତାଙ୍କ ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କୁ ହସାଇଛି ସତ , କିନ୍ତୁ ଏହି ହସ ପଛରେ ଲୁଚିଥିଲା ଏକ ଗଭୀର ଯନ୍ତ୍ରଣାଭରା ଜୀବନ କାହାଣୀ।

ଚାର୍ଲି ଚାପ୍ଲିନଙ୍କ ଜନ୍ମ ୧୮୮୯ ମସିହାରେ ଲଣ୍ଡନରେ ହୋଇଥିଲା। ତାଙ୍କ ଶୈଶବ ଥିଲା ଅତ୍ୟନ୍ତ ଦାରିଦ୍ର୍ୟ ଓ ଅନିଶ୍ଚିତତାରେ ଭରା। ତାଙ୍କ ମା’ ହାନ୍ନା ଚାପ୍ଲିନ ଜଣେ ଗାୟିକା ଓ ଅଭିନେତ୍ରୀ ଥିଲେ, କିନ୍ତୁ ପରିବାରର ଆର୍ଥିକ ସ୍ଥିତି କେବେ ମଧ୍ୟ ସୁଦୃଢ଼ ହୋଇପାରିନଥିଲା। ବାପାଙ୍କ ଅନୁପସ୍ଥିତି ଏବଂ ମା’ଙ୍କ ଅସୁସ୍ଥତା ପରିବାରକୁ ଆହୁରି ସଙ୍କଟରେ ପକାଇଥିଲା। ଚାପ୍ଲିନ ଓ ତାଙ୍କ ଭାଇ ସିଡନୀଙ୍କୁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥିଲା। କେତେକ ସମୟରେ ଖାଇବାକୁ ମଧ୍ୟ ପର୍ଯ୍ୟାପ୍ତ ଖାଦ୍ୟ ନଥିଲା। ତାଙ୍କ ମା’ଙ୍କ ମାନସିକ ଓ ଶାରୀରିକ ସମସ୍ୟା ବଢ଼ିବା ପରେ ଦୁଇ ଭାଇଙ୍କ ଜୀବନ ଆହୁରି ସଂଘର୍ଷରେ ଭାରି ଯାଇଥିଲା । ସମୟ ଏମିତି ଆସିଲା ଖୁବ କମ ବୟସରେ ଚାର୍ଲିକୁ ମା ଠାରୁ ସବୁ ଦିନ ପାଇଁ ଅଲଗା ହେବାକୁ ପଡିଲା ଅର୍ଥାତ ହାନ୍ନା ଚାପ୍ଲିନଙ୍କ ଦେହାନ୍ତ ଘଟିଲା l ଯେଉଁ ବୟସରେ ପିଲାକୁ ମା,ର ହାତ ଧରି ବାଟ ଚାଲିବା କଥା ସେହି ବୟସରେ ଚାର୍ଲି ସମ୍ପୂର୍ଣ ଏକା ହୋଇଗଲେ l

ଛୋଟ ବୟସରୁ ହିଁ ଚାପ୍ଲିନଙ୍କୁ କାମ କରିବାକୁ ପଡ଼ିଥିଲା। ସ୍କୁଲ୍ ଶିକ୍ଷା ନିୟମିତ ଭାବେ ଜାରି ରଖିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା। ପାଞ୍ଚ ବର୍ଷ ବୟସରେ ସେ ମଞ୍ଚ ଉପରକୁ ଚଢ଼ିଥିଲେ l ଅତି ଛୋଟ ବୟସରୁ ଚାପ୍ଲିନ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ। ତାଙ୍କର ଅଭିନୟ ପ୍ରତିଭା ଧୀରେ ଧୀରେ ଲୋକଙ୍କ ନଜରକୁ ଆସିଲା। ୧୯୦୮ମସିହାରେ ସେହି ସମୟର ସବୁଠାରୁ ପ୍ରସିଦ୍ଧ କମେଡି ଥିଏଟର କମ୍ପାନୀ ଫ୍ରେଡ୍ କାର୍ନୋଙ୍କ ମ୍ୟୁଜିକ୍ ହଲ୍ ଟ୍ରୁପ୍ରେ କାମ କରିବାର ସୁଯଗ ମିଳିଲା । ଏହି ଅନୁଭବ ତାଙ୍କ କମେଡି ଓ ଶାରୀରିକ ଅଭିନୟର ଶୈଳୀକୁ ଆହୁରି ଶକ୍ତିଶାଳୀ କରିଥିଲା।

୧୯୧୩ ରେ ଫ୍ରେଡ୍ କାର୍ନୋଙ୍କ ପୁରା ଟିମ କୁ ଆମେରିକାରେ ପ୍ରୋଗ୍ରାମ କରିବାର ସୁଯଗ ମିଳିଲା l ଚାର୍ଲିଙ୍କ ପାଇଁ ଏହା ଏକ ବଡ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା l ଚାର୍ଲି ଜାଣି ନଥିଲେ କି ,ଆମେରିକା ମାଟିରେ କିଏ ତାଙ୍କୁ ଅପେକ୍ଷା କରିଛି l ଆମେରିକାରେ ପହଞ୍ଚିଲା ପରେ ସବୁଠାରୁ ପ୍ରସିଦ୍ଧ ସିନେ ନିର୍ମାତା ”ମ୍ୟାକ ସେନେଟ ” ସହିତ ଚାର୍ଲିଙ୍କ ସାକ୍ଷାତ ହୁଏ l ମ୍ୟାକ ସେନେଟ ସେହି ସମୟରେ ”କିଷ୍ଟୋନ ସ୍ଟୁଡ଼ିଓ” ସଂସ୍ଥାପକ ଥିଲେ ତା ସହିତ ସେ ଥିଲେ କମେଡି ସିନେମାର ବାଦଶାହ l ସେ ଚାର୍ଲିଙ୍କ ପ୍ରତିଭାକୁ ବୁଝିପାରିଲେ l ଆଉ ଚାର୍ଲିକୁ ତାଙ୍କ କମ୍ପାନୀରେ କାମ କରିବର ମଉକା ମିଳିଲା l। ପ୍ରଥମ ସିନେମା ଏତେ ପରିଚୟ ଦେଲାନି l ତାପରେ ଜନ୍ମ ନେଲା ନୂଆ ଚରିତ୍ର ‘ଟ୍ରାମ୍ପ’ l ଏକ ଗରିବ, ଭାଗ୍ୟହୀନ କିନ୍ତୁ ଆଶାବାଦୀ ମଣିଷ, ଯିଏ ଜୀବନର ପ୍ରତ୍ୟେକ କଷ୍ଟକୁ ହସିହସି ସାମ୍ନା କରେ ଏଭଳି ଏକ ଚରିତ୍ର ଥିଲା ‘ଟ୍ରାମ୍ପ’ । ଏହି ସିନେମା ଜରିଆରେ ଚାର୍ଲି ଲକ୍ଷ ଲକ୍ଷ ଲୋକଙ୍କ ହସର କାରଣ ସାଜିଲେ l ଏହି ସିନେମାରେ ଚାର୍ଲି ବାରମ୍ବାର ପଡୁଥିଲେ କିନ୍ତୁ ପୁଣି ଠିଆ ହେଉଥିଲେ ,ଆଉ ଏକ ଲମ୍ଫ ମାରିବା ପାଇଁ l ବୋଧହୁଏ ସିନେମାର ଏହି ଦୃଶ୍ୟ ଲୋକଙ୍କୁ ସିନେମା ସହିତ ଯୋଡି ରଖିବାକୁ ବାଧ୍ୟ କରିଥିଲା l କିଛି ଦିନ ଭିତରେ ଚାର୍ଲି ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସିନେ ତାରକା ବନିଗଲେ l କିନ୍ତୁ ଏତିକିରେ ଖୁସି ନଥିଲେ ଚାର୍ଲି l ଏବେ ତାଙ୍କ ମନ ଭିତରେ ଆଉ କିଛି ସ୍ବପ୍ନ ଉଙ୍କି ମାରିଲା l ଚାର୍ଲି ନିଜେ କାହାଣୀ ଲେଖିବା ଆରମ୍ଭ କଲେ l ଆଉ ସିନେମା ନିର୍ଦ୍ଧେଶନା ଆଡକୁ ମଧ୍ୟ ମନ ବଳାଇଲେ l ପରେ ଚାର୍ଲିଙ୍କ କାହାଣୀ ଓ ନିର୍ଦ୍ଧେଶନାରେ ପ୍ରଥମ ସିନେମା ଆସିଲା the kid l ଏଥିରେ ଏକ ଗରିବ ଓ ଅନାଥ ପିଲାର ଜୀବନ ସଂଘର୍ଷ କୁ ସେ ହାସ୍ୟ ରସରେ ପରଦାକୁ ଉତାରି ଥିଲେ ,ଯାହା ଅନେକ ସଫଳତା ପାଇଲା l ଲୋକେ ଥିଏଟର ରେ ହସୁଥିଲେ ଆଉ ତା ସହିତ ଆଖିରୁ ଲୁହ ଝରାଉଥିଲେ l କାରଣ ଏହି ସିନେମାରେ ଚାର୍ଲି ନିଜେ ନିଜର ଶୈଶବର ଗରିବୀ ଯନ୍ତ୍ରଣା କୁ ଦେଖେଇବାକୁ ଚେଷ୍ଟା କରିଥିଲେ l ହସାଇବାର କାହାଣୀ ଭିତରେ ଲୁଚି ରହୁଥିଲା ମଣିଷର ଦୁଃଖ। ସେ ଗରିବ, ଭୋକ, ବେକାରି, ଅନ୍ୟାୟ ଓ ସାମାଜିକ ବିଷମତାକୁ ନିଜ ଚଳଚ୍ଚିତ୍ରରେ ହାସ୍ୟ ମାଧ୍ୟମରେ ଦେଖାଇଥିଲେ।

‘The Kid’, ‘The Gold Rush’, ‘City Lights’, ‘Modern Times’ ଏବଂ ‘The Great Dictator’ ଭଳି ଚଳଚ୍ଚିତ୍ର ତାଙ୍କୁ ବିଶ୍ୱ ସିନେମାର ଅମର କଳାକାରରେ ପରିଣତ କରିଥିଲା। ବିଶେଷକରି ‘The Gold Rush’ରେ ଭୋକ ଓ ଦାରିଦ୍ର୍ୟକୁ ହାସ୍ୟରେ ପରିଣତ କରିବାର ତାଙ୍କ ଶୈଳୀ ଦର୍ଶକଙ୍କ ହୃଦୟ ଜିତିଥିଲା। ଚାପ୍ଲିନଙ୍କ ସବୁଠାରୁ ବଡ଼ ଶକ୍ତି ଥିଲା ସେ କଥା ନକହି ମଧ୍ୟ ଲୋକଙ୍କୁ ହସାଇ ଓ କନ୍ଦାଇ ପାରୁଥିଲେ। ତାଙ୍କ ମୁହଁର ଭାବଭଙ୍ଗୀ, ଶରୀରର ଗତି ଓ ଛୋଟ ଛୋଟ ଅଭିନୟର ଦୃଶ୍ୟ ଭାଷାର ସୀମାକୁ ଅତିକ୍ରମ କରିଥିଲା।ତାଙ୍କ ଚରିତ୍ରକୁ ଦେଖି ଦୁନିଆର ବିଭିନ୍ନ ଦେଶର ଲୋକ ହସିଥିଲେ, କିନ୍ତୁ ସେହି ହସ ଭିତରେ ନିଜ ଜୀବନର ଦୁଃଖକୁ ମଧ୍ୟ ଅନୁଭବ କରିପାରୁଥିଲେ। ଏହି କାରଣରୁ ଚାପ୍ଲିନ କେବଳ ଜଣେ କମେଡିଆନ୍ ନୁହେଁ, ବରଂ ମଣିଷର ଭାବନାକୁ ବୁଝିପାରୁଥିବା ଜଣେ ମହାନ କଳାକାର ହୋଇଥିଲେ।

ଯେଉଁ ଶିଶୁ ଦିନେ ଦାରିଦ୍ର୍ୟ ଓ ଭୋକ ସହ ଲଢ଼ୁଥିଲେ, ସେହି ଚାର୍ଲି ଚାପ୍ଲିନ ପରେ ବିଶ୍ୱ ସିନେମାର ସବୁଠାରୁ ପ୍ରଭାବଶାଳୀ ଓ ପରିଚିତ କଳାକାରମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ। ତାଙ୍କ ଜୀବନ ଏକ ବଡ଼ ଶିକ୍ଷା ଦିଏ ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି, ପ୍ରତିଭା, ପରିଶ୍ରମ ଓ ସୃଜନଶୀଳତା ମଣିଷକୁ ନୂଆ ଶିଖରକୁ ନେଇପାରେ। ନିଜ ଜୀବନର ଅନ୍ଧକାରକୁ ହସରେ ବଦଳାଇ ଚାପ୍ଲିନ ସାରା ବିଶ୍ୱକୁ ହସାଇଥିଲେ। ନିଜେ ଏତେ ଦୁଃଖରେ ରହି ମଧ୍ୟ ସେହି ମଣିଷ ସାରା ବିଶ୍ୱକୁ ହସିବାର କାରଣ ସାଜିଥିଲା ।

Source link



Source link

Leave A Reply

Your email address will not be published.