Voice of Eastern India

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂତନ ହୃଦ୍ ଚିକିତ୍ସା ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ


ଭୁବନେଶ୍ୱର: ତୀବ୍ର ହୃଦ୍‌ଯନ୍ତ୍ର ବିଫଳତାରେ ପୀଡ଼ିତା ଜଣେ ୭୧ ବର୍ଷୀୟା ମହିଳାଙ୍କ ଠାରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଶେଷଜ୍ଞ ଓ ହୃଦଶଲ୍ୟ ଚିକିତ୍ସକଙ୍କୁ ନେଇ ଗଠିତ ଏକ ଏକ ବହୁବିଭାଗୀୟ ଟିମ୍ ସଫଳତାର ସହ ଟ୍ରାନ୍ସକ୍ୟାଥେଟର ଏଓର୍ଟିକ୍ ଭାଲ୍‌ଭ ରିପ୍ଲେସମେଂଟ (ଟିଏଭିଆର) ପଦ୍ଧତିରେ ସଫଳ ଚିକିତ୍ସା କରିଛନ୍ତି । ଏହି ଅତ୍ୟାଧୁନିକ ଓ ସର୍ବନିମ୍ନ ଆକ୍ରମଣାତ୍ମକ ଚିକିତ୍ସା ପଦ୍ଧତି ଓପନ୍ ହାର୍ଟ ସର୍ଜରୀ କରିବା ସମ୍ଭବ ନଥିବା ରୋଗୀଙ୍କ ପାଇଁ ଏକ ବିକଳ୍ପ ଭାବେ ସହାୟକ ହୋଇପାରେ ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମିଳା ମହାରଣାଙ୍କୁ ତିନି ସପ୍ତାହ ପୂର୍ବେ ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଠାରେ ଅତ୍ୟନ୍ତ ଗୁରୁତର ଏଓର୍ଟିକ୍ ଷ୍ଟେନୋସିସ୍ ବା ହୃଦୟର ମୁଖ୍ୟ ଭାଲ୍‌ଭ ସଙ୍କୁଚିତ ହୋଇଯାଇଥିଲା ବୋଲି ଜଣାପଡ଼ିଥିଲା । ଫଳରେ ତାଙ୍କର ହୃଦୟ ମାତ୍ର ପ୍ରାୟ ୨୦ରୁ ୩୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଥିଲା ଏବଂ ରକ୍ତଚାପ ମଧ୍ୟ ଅତ୍ୟନ୍ତ କମ୍ ରହିଥିଲା ବୋଲି ହସ୍ପିଟାଲ୍‌ର ହୃଦରୋଗ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରେଶ କୁମାର ବେହେରା ସୋମବାର କହିଛନ୍ତି ।

ରୋଗୀଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ପରିବାରବର୍ଗଙ୍କ ସହ ଆଲୋଚନା ପରେ ପାରମ୍ପରିକ ଓପନ୍ ହାର୍ଟ ସର୍ଜରୀ ପରିବର୍ତେ ପର୍କ୍ୟୁଟାନିଅସ୍ ଟ୍ରାନ୍ସକ୍ୟାଥେଟର ଏଓର୍ଟିକ୍ ଭାଲ୍‌ଭ ରିପ୍ଲେସମେଂଟ କରିବାକୁ ନିଷ୍ପତି ନିଆଯାଇଥିଲା ଡାକ୍ତର ବେହେରା ବିଶ୍ୱ ହୃଦ୍ ଦିବସ ପାଳନର ପୂର୍ବଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ପ୍ରତିବର୍ଷ ସେପ୍ଟେମ୍ପର ୨୯ ତାରିଖରେ ବିଶ୍ୱ ହୃଦ ଦିବସ ପାଳିତ ହୁଏ । ଚଳିତବର୍ଷର ବିଷୟବସ୍ତୁ ‘ଡୋଂଟ ମିସ୍ ଏ ବିଟ” ରଖାଯାଇଛି । ଲୁକ୍କାୟିତ ହୃଦରୋଗର ଲକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ହୃଦରୋଗ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ‘ଟିଏଭିଆର ଏକ ଅତ୍ୟାଧୁନିକ ପଦ୍ଧତି । ଏଥିରେ ଛାତିରେ କୌଣସି ବଡ଼ କ୍ଷତ ସୃଷ୍ଟି ନକରି ଜଙ୍ଘର ଧମନୀ (ଫେମୋରାଲ୍ ଆର୍ଟେରୀ) ଦେଇ ଏକ ନୂଆ ହୃଦୟ ଭାଲ୍‌ଭ ସ୍ଥାପନ କରାଯାଏ’ ବୋଲି ହୃଦ୍ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଜ୍ଞାନ ରଞ୍ଜନ ନାୟକ କହିଥିଲେ ।

ଚିକିତ୍ସା ପରେ ରୋଗୀ ଦୁଇରୁ ତିନି ଦିନ ମଧ୍ୟରେ ଚଲାବୁଲା କରିପାରିଥିଲେ ଏବଂ ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା । ଏହି ପଦ୍ଧତି ପାଇଁ ସୂକ୍ଷ୍ମ ଯୋଜନା ସହ ପ୍ରି-ଅପରେଟିଭ ସିଟି ସ୍କାନ୍ ଆବଶ୍ୟକ ହୋଇଥାଏ । ପାରଂପରିକ ଓପନ୍ ହାର୍ଟ ସର୍ଜରୀ ତୁଳନାରେ ଏହା କମ୍ ବିପଦସଙ୍କୁଳ ଏବଂ ରୋଗୀଙ୍କ ଶୀଘ୍ର ସୁସ୍ଥତାରେ ସହାୟକ ହୋଇପାରେ,’ ଡାକ୍ତର ନାୟକ କହିଥିଲେ ।

Also Read: ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍ଟେଜ୍ ୨୦୨୬’ ଆୟୋଜିତ

ବୟସ୍କ ରୋଗ, ଏକାଧିକ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ଓପନ୍ ହାର୍ଟ ସର୍ଜରୀ ଏଡ଼ାଇବାକୁ ଚାହୁଁଥିବା ରୋଗୀଙ୍କ ପାଇଁ ଟିଏଭିଆର ଏକ ଉପଯୋଗୀ ଚିକିତ୍ସା ପଦ୍ଧତି ହୋଇପାରେ ବୋଲି ପ୍ରଫେସର (ଡାକ୍ତର) ବେହେରା କହିଥିଲେ । ଏହି ପ୍ରକ୍ରିୟା ସଫଳତାର ସହ କରିବା ପାଇଁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉଚ୍ଚ ପ୍ରଶିକ୍ଷିତ, ଅଭିଜ୍ଞ ଏବଂ ବିଶେଷଜ୍ଞ ଟିମ୍ ରହିଛି ବୋଲି ସେ କହିଥିଲେ ।

ଏହି ଚିକିତ୍ସକ ଟିମ୍‌ରେ ସିଟିଭିଏସ୍ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ଆଶୁତୋଷ ସାମଲ, ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ସହକାରୀ ପ୍ରଫେସର ଡାକ୍ତର ରାଜେନ୍ଦ୍ର ଶତପଥୀ ଏବଂ ବରିଷ୍ଠ ଟେକ୍ନିସିଆନ୍ ତାପସ ଚଇନିଙ୍କ ସମେତ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

 

Source link



Source link

Leave A Reply

Your email address will not be published.